ବାର୍ଡ ଫ୍ଳୁ ଆତଙ୍କ: ପଲ୍‌ଟ୍ରି ଫାର୍ମ ପ୍ରଭାବିତ, ବଜାରରେ ଚିକେନ୍‌ କିଲୋ ୪୦

Published By : Prameya-News7 Bureau | January 06, 2021 IST

ଚଣ୍ଡିଗଡ ୦୬।୦୧: ଦେଶରେ ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ସାଧାରଣ ଲୋକ ଚିକେନ୍‌ଠୁ ଦୂରେଇବାରେ ଲାଗିଛନ୍ତି। ଉତ୍ତରଠୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପଲ୍ଟ୍ରି ଫାର୍ମ ଭିତରେ କୁକୁଡାଙ୍କ ଉପରେ କଡା ନଜର ରଖାଯାଉଛି। ଏହି ପୂରା ଘଟଣାରେ ଦେଶରେ ପଲ୍ଟ୍ରି ଫାର୍ମିଂ ବ୍ୟବସାୟ ପ୍ରଭାବିତ ହୋଇଛନ୍ତି। ଫଳରେ ଚଣ୍ଡିଗଡ ପରି ସହରରେ  ବ୍ରଏଲର କୁକୁଡା ମାଂସ କିଲୋ ପିଛା ୪୦ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି। ଏହି ପରି ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମୀର ପରି ରାଜ୍ୟଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚିକେନ୍ ଦର କେଉଁଠି ୫୦ ତ କେଉଁଠି ୬୦ ଟଙ୍କାରେ ବିକ୍ରି ହେଉଛି।

ଚଣ୍ଡିଗଡ ସମେତ ଅନେକ ବଜାରରେ ଚିକେନ୍ ଦାମ ହ୍ରାସ ପାଇବା କାରଣରୁ ପଲ୍ଟ୍ରି ଫାର୍ମିଂର ବ୍ୟବସାୟ କରୁଥିବା ଲୋକଙ୍କ ଚିନ୍ତା ବଢି ଯାଇଛି। ବାର୍ଡ ଫ୍ଲୁ ପ୍ରଭାବିତ ରାଜ୍ୟଗୁଡିକରେ କୁକୁଡା ପାଳନ କରୁଥିବା ଲୋକ ଏବଂ କୁକୁଡା ବ୍ୟବସାୟ କରୁଥିବା ଲୋକ ନିଜର ପକ୍ଷୀଙ୍କୁ କେମିତି ବଞ୍ଚାଇବେ ସେ ଚିନ୍ତାରେ ରହିଛନ୍ତି। ଅନ୍ୟପଟେ ଚିକେନ୍ ଦର ହ୍ରାସ ପାଇବା ସେମାନଙ୍କ ପାଇଁ ବେଡି ଉପରେ କରଡା ମାଡ ସଦୃଶ  ହୋଇଛି। ଚିକେନ୍ ଦାମ ଅହେତୁକ ଖସିବା କାରଣରୁ ବ୍ୟବସାୟୀ ନିଜର ଖର୍ଚ୍ଚ ନବାହାରିବା ଏବଂ କ୍ଷତି ସହିବା କଥା କହିଛନ୍ତି। ମଧ୍ୟ ପ୍ରଦେଶର ରାଜ୍ୟ ସରକାର ଦକ୍ଷିଣ ଭାରତର କୌଣସି ବି ରାଜ୍ୟରୁ ଚିକେନ କାରବାର କରିବା ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇଛନ୍ତି।

ଦେଶରେ ବଢୁଥିବା ବାର୍ଡ ଫ୍ଲୁ ଘଟଣା ମଧ୍ୟରେ କେନ୍ଦ୍ରଠୁ ନେଇ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି। ଦେଶରେ ବାର୍ଡ ଫ୍ଲୁର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କଣ୍ଟ୍ରୋଲ ରୁମ୍ କରିଛନ୍ତି। ଏହି କଣ୍ଟ୍ରୋଲ ରୁମ୍‌ ଜରିଆରେ ଉକ୍ତ ରାଜ୍ୟଗୁଡିକ ସହିତ ଯୋଗାଯୋଗ ଏବଂ ସମନ୍ଵୟ ରଖାଯାଉଛୀ ଯେଉଁଠି ବାର୍ଡ ଫ୍ଲୁର ପ୍ରକୋପ ରହିଛି। ଏହା ବ୍ୟତୀତ ରାଜ୍ୟ ସରକାରଗୁଡିକ ନିଜ ସ୍ତରରେ ମଧ୍ୟ ଏହାର ମକାବିଲା ପାଇଁ ବିଶେଷ ପ୍ରସ୍ତୁତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.