ବଦଳିଲା ଆଇନ୍‌ : ଆଳୁ-ପିଆଜ-ଡାଲି ଏବେ ESMAରୁ ବାଦ୍‌

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ ୦୪।୦୬: ଆଳୁ, ଡାଲି, ପିଆଜ, ଖାଇବା ତେଲ, ତୈଳବୀଜ ଏବଂ ଶସ୍ୟ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିସରରୁ ବାଦ୍‌ ଦିଆଯାଇଛି । ୬୫ ବର୍ଷ ପୁରୁଣା ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସଂଶୋଧିତ କରି କେନ୍ଦ୍ର ସରକାର ଏ ନିଷ୍ପତ୍ତି ନେଇଛନ୍ତି । ଆଳୁ, ପିଆଜ, ଡାଲି ଏସମାରୁ ବାଦ ।ବଦଳିଲା ୬୫ବର୍ଷ ପୁରୁଣା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ESMAରୁ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର ।

ଚାଷୀ ନିଜ ଲାଭ ଅନୁସାରେ ଏହି ସାମଗ୍ରୀଗୁଡ଼ିକୁ ରପ୍ତାନି କରିପାରିବେ, ବିକ୍ରି କରିପାରିବେ କିମ୍ବା ମହଜୁଦ ରଖିପାରିବେ । ଏ ନିଷ୍ପତ୍ତି ସେମାନଙ୍କର । ଏହା ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ଫଳରେ ସେମାନଙ୍କ ଆୟ ବଢ଼ିବ । ଏହା କରି ସରକାର ଦୀର୍ଘ ୫୦ ବର୍ଷ ଧରି ଚାଷୀମାନେ କରି ଆସୁଥିବା ଦାବି ଉପରେ ମୋହର ଲଗାଇଛନ୍ତି । ତେବେ କେବଳ ପ୍ରାକୃତିକ ଦୁର୍ବିପାକ, ଯୁଦ୍ଧ କିମ୍ବା ଦରବୃଦ୍ଧି ପରିସ୍ଥିତିରେ ହିଁ ଏହା କାର୍ଯ୍ୟ କରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି ।

ଏକ ରାଷ୍ଟ୍ର ଏକ ବଜାର ଦିଗରେ ଭାରତ ବଢ଼ୁଛି । ଏଥିପାଇଁ ଆଇନ ପ୍ରସ୍ତୁତ କରାଯିବ ବୋଲି ଜାବେଡକର ସୂଚନା ଦେଇଛନ୍ତି । ସେ କହିଛନ୍ତି, କୃଷି କ୍ଷେତ୍ରରେ ବଡ଼ ସଂସ୍କାର ଆସିଛି । ଚାଷୀମାନେ ଯେଉଁଠି ଚାହିଁବେ ନିଜ ଉତ୍ପାଦକୁ ବିକ୍ରି କରିପାରିବେ । ଯେଉଁଠୁ ଅଧିକ ଦର ମିଳିବ ସେଠାରେ ସାମଗ୍ରୀ ବିକ୍ରି କରିବେ । ଏହାଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିବେ । କୃଷି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିବ ।

ଏହା ସହିତ କୃଷି ଉତ୍ପାଦ କ୍ଷେତ୍ରରେ ବାଧକ ମୁକ୍ତ ବାଣିଜ୍ୟ ସୁନିଶ୍ଚିତ କରିବା ପାଇଁ ‘ଦ ଫାର୍ମିଂ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ୍‌ କମର୍ସ(ପ୍ରମୋସନ୍‌ ଏବଂ ଫାସିଲିଟେସନ୍‌)-୨୦୨୦’କୁ ଅନୁମୋଦନ ମିଳିଛି । ଅଧିକ ଦରର ଗ୍ୟାରେଣ୍ଟି ଉପରେ ଏକ ନିଷ୍ପତ୍ତି ନିଆଯାଇଛି । ସେ ରପ୍ତାନିକାରୀ ହୁଅନ୍ତୁ ଅବା ପ୍ରୋସେସର, ଆଗ୍ରିଗେଟର ହୁଅନ୍ତୁ, ପାଇକାରୀ ବ୍ୟବସାୟୀ ହୁଅନ୍ତୁ ଅବା ବଡ଼ ରିଟେଲର କୃଷି ଉତ୍ପାଦକୁ ପାରସ୍ପରିକ ବୁଝାମଣାରେ ବିକ୍ରି କରିବାର ସୁବିଧା ଦିଆଯିବ । ଏହି କ୍ରମରେ ‘ଦ ଫାର୍ମର୍ସ(ଏମ୍ପାୱାରମେଣ୍ଟ ଆଣ୍ଡ୍‌ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ୍‌ ଫାର୍ମ ସର୍ଭିସେସ୍‌ ଅର୍ଡିନାନ୍ସ-୨୦୨୦’କୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ମଜଭୁତ ହେବ । ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଚାଷୀମାନଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଏହା ଭାରତୀୟ କୃଷି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିବ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କୃଷି ଉତ୍ପାଦର ବିପଣନ କ୍ଷେତ୍ରରେ କୌଣସି ପ୍ରକାର ହସ୍ତକ୍ଷେପକୁ ହଟାଇବ । ବୈଠକରେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ମନ୍ତ୍ରାଳୟରେ ପ୍ରକଳ୍ପ ବିକାଶ କକ୍ଷ ହେବ । ଏହା ଦ୍ୱାରା ଭାରତ ନିବେଶକଙ୍କ ପାଇଁ ଅଧିକ ଆକର୍ଷକ ଏବଂ ଅନୁକୂଳ ରାଷ୍ଟ୍ର ପାଲଟିବ । କୋଲକାତା ବନ୍ଦରର ନାମକୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଭାବେ ପୁନଃନାମିତ କରାଯାଇଛି ।

ଜାନୁଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଥିଲେ । ସେହିଭଳି ଭାରତୀୟ ମେଡିସିନ୍‌ ଏବଂ ହୋମିଓପାଥି ପାଇଁ ଆୟୂଷ ମନ୍ତ୍ରାଳୟ ଅଧୀନରେ ଫାର୍ମାକୋପିଆ ଆୟୋଗର ସ୍ଥାପନ କରାଯିବ । ଚଳିତ ସପ୍ତାହରେ ଏହା କେନ୍ଦ୍ର କ୍ୟାବିନେଟ୍‌ର ଦ୍ୱିତୀୟ ବୈଠକ । ଏହା ପୂର୍ବରୁ ସୋମବାର ବୈଠକ ହୋଇଥିଲା, ଯାହାକି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକ ଥିଲା । ଏଥିରେ ଚାଷୀ, ଏମ୍‌ଏସ୍‌ଏମ୍‌ଇ ଏବଂ ଉଠାଦୋକାନୀଙ୍କ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.