ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଷ୍ଟର ୱାର : ଶ୍ରେୟ ନେବା ପାଇଁ ରାଜନୀତି, ଧର୍ମେନ୍ଦ୍ରଙ୍କ ୨୦୧୯ ମାଷ୍ଟର ପ୍ଲାନ ନେଇ ଇସାରାକୁ ପ୍ରଶ୍ନ

Published By : Prameya-News7 Bureau | September 20, 2018 IST

ଭୁବନେଶ୍ବର୨୦|୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଓ ଝାରସୁଗୁଡା ଆସିବା ପୂର୍ବରୁ ଆରମ୍ଭ ହୋଇଗଲାଣି ପୋଷ୍ଟର ଓ୍ବାର। ଶ୍ରେୟ ନେବା ପାଇଁ ତିନି ଦଳଙ୍କ ଜୋରଦାର ପ୍ରାୟସ । ଝାରସୁଗୁଡା ବାସୀଙ୍କୁ ମୋଦିଙ୍କ ଏହା ନୂଆଖାଇର ଭେଟି ବୋଲି ବିଜେପି କହୁଥିବାବେଳେ କଂଗ୍ରେସ ସ୍ଥାନୀୟ ବିଧାୟକ କହୁଛିନ୍ତି ତାଙ୍କ ଚେଷ୍ଟାର ଫଳ ଆଉ ଏପଟେ ବିଜେଡି ଥୋଇଛି ବିମାନ ବନ୍ଦର କଡାଗଣ୍ତା ହିସାବ। ସେପଟେ ପ୍ରସ୍ତୁତି ନେଇ ତାଳଚେର ଏବଂ ଝାରସୁଗୁଡା ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ। ଏସବୁ ଭିତରେ ଗତକାଲି ଧର୍ମେନ୍ଦ୍ର ପ୍ରଧାନ ୨୦୧୯କୁ ନେଇ ଇଙ୍ଗିତ କରିଥିବା ମାଷ୍ଟର ପ୍ଲାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଓ ବିଜେଡି… ଝାରୁସୁଗୁଡାରେ ପୋଷ୍ଟର ଓ୍ବାର।ଝାରସୁଗୁଡା ବିମାନ ବନ୍ଦରର ଶ୍ରେୟ ନେବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭିତର ଚକାପଞ୍ଚା। ବିଜେପି ମୋଦିଙ୍କ ପୋଷ୍ଟରରେ ଛାଇ ଦେଇଛି ଝାରସୁଗୁଡାକୁ । ବିମାନବନ୍ଦରକୁ ଉଦଘାଟନ ଝାରସୁଗୁଡା ବାସୀଙ୍କ ପାଇଁ ମୋଦିଙ୍କ ନୂଆଖାଇ ଭେଟି ବିଜେପି ପ୍ରଚାରକରୁଥିବା ବେଳେ କଂଗ୍ରେସର ସ୍ଥାନୀୟ ବିଧାୟକ କହିଛନ୍ତି ଏଥିପାଇଁ ସେ ନିଜେ ଉଦ୍ୟମ କରିଥିଲେ। ୟୁପିଏ ସରକାର ଅମଳର ବେଳରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏପଟେ ବିଜେଡି ଲୋକଙ୍କ ଆଗରେ ବିମାନ ବନ୍ଦରର କଡା ଗଣ୍ତା ହିସାବ ଥୋଇଛନ୍ତି। ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟସରକାରୀ ମଗଣା ଜମି ଓ ବିଜୁଳି, ଜଳ ଯୋଗାଣ, ନିରାପତ୍ତା କର୍ମଚାରୀଙ୍କ ଦରମା ବାବଦକୁ ୩୬୨ କୋଟି ବ୍ୟୟ କରିଥିବାବେଳେ କେନ୍ଦ୍ର ସରକାର ମାତ୍ର ୧୩୫କୋଟି ଟଙ୍କା ସହାୟତା ଦେଇଛନ୍ତି ବୋଲି ବିଜେଡି ସମ୍ବାଦିକ ସମ୍ମିଳନୀ କରି ଏଭଳି ହିସାବ ରଖିଛି। ଏପଟେ ଝାରସୁଗୁଡା ଏବଂ ତାଳଚେର ଯାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ସ୍ଥିତି ସମୀକ୍ଷା କରିବା ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚାନ କରିଛନ୍ତି। ଏପଟେ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ରେ ବିଜେଡି କଂଗ୍ରେସକୁ ଅଟକାଇବା ପାଇଁ କରିଥିବା ମାଷ୍ଟର ପ୍ଲାନକୁ ନେଇ ଜୋର ଧରିଛି ରାଜନୀତି। ବିଜେପି ଭୟଭୀତ ହୋଇଗଲାଣି। ୧୨୦ ମିଶନ ପୂରଣ ହୋଇପାରିବନି ଯେଉଁଥିପାଇଁ ଛୋଟ ଦଳଙ୍କ ସହାୟତା ନେବାକୁ କହିଛନ୍ତି ବୋଲି ବିଜେଡି କହିଛି। ଏପଟେ କଂଗ୍ରେସ କହିଛି ଧର୍ମେନ୍ଦ୍ରଙ୍କ ସ୍ବପ୍ନ ପୂରଣ ହେବନି । ଆଚ୍ଛାଦିନ କୁଆଡେ ଗଲା ସମସ୍ତେ ଜାଣିଗଲେଣି। ତେଣୁ କୌଣସି ଛୋଟ ଦଳ ତାଙ୍କ ସାଙ୍ଗରେ ଯିବେ ନାହିଁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀ ପତି। ଏପଟେ ବିଜେପି କହିଛି ବିଜେଡି ଓ କଂଗ୍ରେସକୁ ରୋକିବାକୁ ହେଲେ ସମସ୍ତଙ୍କୁ ଏକତ୍ର କରିବାକୁ ହେବ। ସବୁ ଏକତ୍ର ହେଲେ ସଫଳ ହେବୁ ବୋଲି କହିଛନ୍ତି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହ ଦେଓ। ଗୋଟିଏ ପଟେ ପ୍ରଧାନ ମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସିବେ । କିଭଳି ଏହି ଗସ୍ତରୁ ବିଜେପି ଫାଇଦା ଉଠାଇବ ସେଥିପାଇଁ ବିଜେପି ଜୋରଦାର ପ୍ରାୟସ କରୁଛି। କିନ୍ତୁ ମୁଣ୍ତ ଉପରେ ନିର୍ବାଚନ ଥିବାରୁ କଂଗ୍ରେସ ବିଜେଡି ମଧ୍ୟ ଲୋକଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରାୟସ କରୁଛନ୍ତି। ଯେଉଁଥିପାଇଁ ଚାଲିଛି ପୋଷ୍ଟର ଓ୍ବାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.