ସରକାରୀ ଠିକା, ଆଉଟସୋର୍ସିଂ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ

Published By : Prameya-News7 Bureau | November 07, 2019 IST

ଭୁବନେଶ୍ୱର,୬/୧୧- ଆରମ୍ଭ ହେଲା ସରକାରୀ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ । ରାଜ୍ୟର ହଜାର, ହଜାର ଠିକା, ଆଉଟସୋର୍ସିଂ କର୍ମଚାରୀ ଓ ଶିକ୍ଷକ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖୁଛନ୍ତି। ପ୍ରେସକୁ ସୂଚନା ଦେଇ, ଓଡ଼ିଶା କର୍ମଚାରୀ ମହାମଞ୍ଚ କହିଛି କି, ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ବିଭିନ୍ନ ସରକାରୀ ଦପ୍ତରରେ ଏହି କର୍ମଚାରମାନେ କାର୍ଯ୍ୟ କରୁଛନ୍ତି । ମାସକୁ ମାତ୍ର ଛଅରୁ ଆଠ ହଜାର ଦରମାରେ ହଜାର ହଜାର କର୍ମଚାରୀ ନିଷ୍ଠାର ସହ କାମ କରିଆସୁଛନ୍ତି। ଯାହା ସାଧାରଣ ଦିନ ମଜୁରିଆର ରୋଜଗାରଠାରୁ ବି କମ୍। ଏଭଳି ଅନ୍ୟାୟ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ବର୍ଷ ବର୍ଷ ଧରି ପ୍ରତିବାଦ ହୋଇ ଆସୁଅଛି । ସରକାର ବି ପ୍ରତିଶୃତି ପରେ ପ୍ରତିଶୃତି ଦେଉଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ତାହା କାର୍ଯ୍ୟକାରୀ କରାଯାଉ ନାହିଁ । ତେଣୁ ଏକ ଅଭିନବ ଉପାୟରେ ନିଜର ଦାବିକୁ ସରକାରଙ୍କ ପାଖରେ ରଖିବାକୁ ଠିକା ଓ ଆଉଟସୋର୍ସିଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ଠିକଣାରେ ଚିଠି ଲେଖି ଦୁଃଖ ଜଣାଉଛନ୍ତି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ। ଅନ୍ୟାୟର ଶିକାର ହୋଇଥିବା ସରକାରୀ ଶିକ୍ଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପୂରା ସଂଖ୍ୟା ଦେଖିଲେ ୨ଲକ୍ଷରୁ ଅଧିକ ପୋଷ୍ଟକାର୍ଡ ପ୍ରେରଣର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରୁ ଠିକା ଓ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରାଯାଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଚଳିତ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବ ବୋଲି ଆଶା ରଖିଛି ମଞ୍ଚ । ଏହା ସତ୍ୱେ ଯଦି ସରକାର ସରକାରୀ କର୍ମଚାରୀଙ୍କ ଦୁଃଖ ନବୁଝନ୍ତି ତେବେ ବାଧ୍ୟ ହୋଇ ଓଡ଼ିଶା କର୍ମଚାରୀ ମହାମଞ୍ଚ ନିଜର ଆନ୍ଦୋଳନକୁ ବ୍ୟାପକକରିବ ବୋଲି କହିଛି ।


ଏହିପୋଷ୍ଟକାର୍ଡ଼ ଅଭିଯାନ ପ୍ରଥମେ ହିଞ୍ଜୁଳିକାଟୁଠାରୁ ଆରମ୍ଭ କରାଯାଇଛି। ଏହା ପରେ ପରେ ସାରା ରାଜ୍ୟରୁ ପୋଷ୍ଟକାର୍ଡ ପ୍ରେରଣ ଆରମ୍ଭ ହୋଇଛି। ଓଡ଼ିଶା କର୍ମଚାରୀ ମହାମଞ୍ଚ ଏହି ଆନ୍ଦୋଳନର ନେତୃତ୍ୱନେଉଛି । ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି, ମଧୁସୁଦନ ମଲ୍ଲିକ, ଠିକା କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ, ଉପସଭାପତି କ୍ଷିତିଶ ପଣ୍ଡା ଏବଂ ଆଉଟସୋର୍ସିଂ ସଂଘ ସଭାପତି ସଂଜୟ ପଟ୍ଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସମ୍ପାଦକ ମାନସ ଦାସ, ମହାସଚିବ ସଚିତ୍ର ଦାସ, ସଙ୍ଗଠନ ସମ୍ପାଦକ ତାପସ ମିଶ୍ର, ଚୁକ୍ତି ଭିତ୍ତିକ ସରକାରୀ ହାଇସ୍କୁଲର ସଭାପତି ଶୁଭ୍ରଜିତ ପ୍ରତିହାରି, ସମ୍ପାଦକ ବିପିନ ବିହାରୀ ସାହୁ ପ୍ରମୁଖ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତି ଓ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.