ଆଜି ଆସିବ ଆଇନଜୀବୀ ଦିପାଳୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଗିରଫ ହେବ ବିକ୍ରମ !
23/10/2019 at 10:07 AM

ଭୁବନେଶ୍ବର ୨୩।୧୦: ଭୁବନେଶ୍ବରରେ ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ବେଳକୁ ବେଳ ଅଧିକ ରହସ୍ୟ ହୋଇ ଉଠୁଥିବା ବେଳେ ଆଜି ଦିପାଳୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିର ହସ୍ତଗତ ହେବ । ଏହାପରେ ଦିପାଳୀଙ୍କୁ ହତ୍ୟା କରାଯାଇଛି ବା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହେବ ।
ଶନିବାର ବିଳମ୍ବିତ ରାତିରେ ଦିପାଳୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳୁ ଦିପାଳୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲା । ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ଦିପାଳୀଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି । ପ୍ରାରମ୍ଭିକ ଅବସ୍ଥାରେ ପୋଲିସ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି ଗ୍ରହଣ କରିନେଇଥିଲେ ମଧ୍ୟ ପରିବର୍ତ୍ତୀ ସମୟରେ ଘଟଣାକୁ ଏକ ରହସ୍ୟଜନକ ଘଟଣା ବୋଲି ଧରିନେଇ ଜୋରଦାର ତଦନ୍ତ ଆରମ୍ଭ କରିଛି । ଗତକାଲି ମୃତ ଦିପାଳୀଙ୍କ ସିଲ୍ ହୋଇଥିବା ଗରେ ସାଇଣ୍ଟିଫିକ୍ ଟିମ୍ ବ୍ୟାପକ ଛାନଭିନ୍ କରିଛି । ଛାନଭିନ୍ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ୍ ଓ ଆପତ୍ତିଜନତ ଜିନିଷ ମଧ୍ୟ ଜବତ ହୋଇଛି ।
ଅପରପକ୍ଷରେ ଦିପାଳୀଙ୍କ ପୁରୁଷ ବନ୍ଧୁ ବିକ୍ରମକୁ ଖୋଜିବା ପାଇଁ କଲିକତା, ଭଦ୍ରକ ଓ ବାଲେଶ୍ବର ଯାଇଥିବା ପୋଲିସର ତିନୋଟି ଟିମ୍ ବିକ୍ରମକୁ ନପାଇ ଫେରିଆସିଛି । ବିକ୍ରମ ଭୁବନେଶ୍ବରରେ ହିଁ ଲୁଚି ବସିଥିବା ଚର୍ଚ୍ଚା ହେଉଛି । ଗୋଟିଏପଟେ ଆଜି ଦିପାଳୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବ ଏବଂ ଅନ୍ୟପକ୍ଷରେ ଯଦି ବିକ୍ରମକୁ ଗିରଫ କରିବାରେ ପୋଲିସ ସକ୍ଷମ ହୁଏ ତାହାଲେ ଦିପାଳୀ ରହସ୍ୟଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇପାରିବ ।
ଗତକାଲି ଦିପାଳୀଙ୍କ ସାନ ଏବଂ ବଡ ଭଉଣୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ଦିପାଳୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ହିଁ ହତ୍ୟା କରିଥାଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ, ବିକ୍ରମଙ୍କ ନିଜ ଘର ବାଲେଶ୍ବର ଜିଲ୍ଲାରେ ଏବଂ ସେଠାରେ ହିଁ ଦିପାଳୀଙ୍କ ମାମୁ ଘର । ଦିପାଳୀ ମାମୁ ଘରକୁ ଯିବାଆସିବା କରୁଥିବା ବେଳେ ବିକ୍ରମ ଏବଂ ଦିପାଳୀଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ବିବାହକୁ ବିକ୍ରମଙ୍କ ପରିବାରଲୋକ ବିରୋଧ କରୁଥିଲେ । ସମ୍ଭବତଃ ଏହାକୁ ନେଇ କୌଣସି ଘଟଣା ଘଟିଛି । ଫଳରେ ଦିପାଳୀଙ୍କୁ ମାରି ଦିଆଯାଇଛି ବା ମରିବା ପାଇଁ ପରିସ୍ଥିତି ସୃଷ୍ଟି କରାଯାଇଛି ।
ପୋଲିସ ଯେତେ ଶୀଘ୍ର ବିକ୍ରମଙ୍କୁ କାବୁ କରିବ ସେତେ ଶୀଘ୍ର ଏହି ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିବ ।