ପୋଷ୍ଟ କୋଭିଡ: ସଂକ୍ରମଣମୁକ୍ତ ହେବା ପରେ ଦେଖାଦେଉଛି ଅନେକ ରୋଗ, ସତର୍କ ରହିବାକୁ ପରାମର୍ଶ

Published By : Prameya-News7 Bureau | October 25, 2020 IST

ଭୁବନେଶ୍ୱର ୨୫।୧୦: କୋଭିଡ୍ ରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ଠାରେ ଦେଖା ଦେଉଛି ନାନା ସମସ୍ୟା । କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ହାଲିଆ ଲାଗିବା, ଦେହ ଘୋଳାବିନ୍ଧା, କାଶ, ମାୟୋକାର୍ଡିଓସିସ୍, ମାଇକାର୍ଡିଆଲ ଇନଫେକସନ୍ ଭଳି ସମସ୍ୟାରେ ପୀଡିତ ହେଉଥିବା ଦେଖାଦେଉଛି । ଏଥିପାଇଁ ସଜାଗ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୋଷ୍ଟ କୋଭିଡ୍ ରେ ଦେଖାଦେଉଛି ନାନା ସମସ୍ୟା। କରୋନାରୁ ସୁସ୍ଥ ହୋଇ ଫେରିଥିବା ୪୫ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ଏବେ ସାଇଡ୍  ଇଫେକ୍ଟ ଦେଖିବାକୁ ମିଳିଛି । ସଂକ୍ରମଣମୁକ୍ତ ହେବା ପରେ ବି ରୋଗୀ ପାଖରେ ହାଇପରଟେନସନ୍ , ଅଣ୍ଠୁଗଣ୍ଠିରେ ପୀଡା, ଦେହ ଘୋଳା ବିନ୍ଧା, ନିଶ୍ବାସ ପ୍ରଶ୍ବାସ ନେବାର କଷ୍ଟ , ଷ୍ଟ୍ରୋକ୍, ମଧୁମେହ ଜନିତ ସମସ୍ୟା ଦେଖିଦେଉଛି । ଏପରିକି ସ୍ବାଦ ଓ ଗନ୍ଧରେ ଅସ୍ବାଭାବିକ ପରିବର୍ତନ, ଆଜ୍ ମା, ମଧୁମେହ ଓ ସିଓପିଡି ଭଳି ରୋଗରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ଏଭଳି ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି। ବିଭାଗ ପକ୍ଷରୁ ପୋଷ୍ଟ୍  କୋଭିଡ୍  ଫଲୋଅପ୍ ଓ ପରିଚାଳନା ପ୍ରୋଟୋକଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

କରୋନାରୁ ସୁସ୍ଥ ବ୍ୟକ୍ତି ପାଖରେ ଅନିୟନ୍ତ୍ରିତ ଡାଇବେଟିସ୍  ସମସ୍ୟା ଦେଖାଦେଉଛି । ଏହା ସହ ଥାଇରଏଡ୍, ଫୁସଫୁସ୍ ରେ ସମସ୍ୟା ସହ ବ୍ୟକ୍ତିକୁ ହାଲିଆ ଲାଗିବା, ଦୁର୍ବଳ ଲାଗିବା, ଠିକ୍ ରେ ନିଦ ନହେବା, ମାନସିକ ଚିନ୍ତା. ଚିଡ୍ ଚିଡା ଭାବ ଭଳି ଗଭୀର ସମସ୍ୟା ଦେଖାଦେଉଥିବା ଜଣାପଡିଛି । କରୋନା ପୂର୍ବରୁ ଅନ୍ୟ ସଂକ୍ରାମକ ରୋଗରେ ରୋଗୀ ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ଥିଲା । କିନ୍ତୁ ଏହି ସମସ୍ୟା ବଢିବା ଦ୍ବାରା ମୃତ୍ୟୁ ସଂଖ୍ୟା ଅଧିକ ବି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି

କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ଅତି ଆତ୍ମବିଶ୍ବାସରେ ନରୁହନ୍ତୁ ଯେ ସେମାନେ କରୋନା ସଂକ୍ରମିତ ହେବେ ନାହିଁ । ସୁସ୍ଥ ହେବାର ଅର୍ଥ ନୁହେଁ ଯେ ବାହାରେ ବୁଲିବା କିମ୍ବା ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନମାନିବା । ସୁସ୍ଥ  ହୋଇଥିବା ବ୍ୟକ୍ତି ପୁଣି କରୋନା ରୋଗୀଙ୍କ ସଂସ୍ପର୍ଷରେ ଆସିଲେ କରୋନାରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ପୂର୍ବଭଳି ସମସ୍ତ ପ୍ରୋଟୋକଲ୍  ଏବଂ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି ।

ସେହିଭଳି ଯଥେଷ୍ଟ ପରିମାଣର ଉଷୁମ ପାଣି ପିଇବା ସହିତ ସ୍ବଳ୍ପରୁ ମଧ୍ୟମ ଧରଣର ବ୍ୟାୟାମ, ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା ଉଚିତ୍। ବିଶେଷକରି ନିଶ୍ବାସ ପ୍ରଶ୍ବାସ ଜନିତ ବ୍ୟାୟମ ସହିତ ସକାଳ ଓ ସଂଧ୍ୟାରେ ଚାଲିବା ଉପରେ ଗୁରୁତ୍ବ ଦିଆଯାଇଛି। ସୁଷମ ଖାଦ୍ୟ ଖାଇବା ସହିତ ଉପଯୁକ୍ତ ନିଦ୍ରା ଜରୁରୀ ।  ଧୂମପାନ ଓ ମଦ୍ୟପାନକୁ ଯଥାସମ୍ଭବ ଦୂରେଇ ରହିବାକୁ କୁହାଯାଇଛି । ଯଦି ଜ୍ବର, ନିଶ୍ବାସ ପ୍ରଶ୍ବାସ ପ୍ରକ୍ରିୟାରେ କଷ୍ଟଅନୁଭବ ହେଉଛି, ଛାତିରେ ଭୀଷଣ ଯନ୍ତ୍ରଣା ଓ ଦୁର୍ବଳ ଲାଗୁଛି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.