ଜାକାର୍ତ୍ତା ୨୧।୦୪: ଇଣ୍ଡୋନେସିଆରେ ଏକ ବୁଡାଜାହାଜ ୫୩ ଯାତ୍ରୀ ସହ ନିଖୋଜ। ସେନା ବୁଧବାର ଦେଇଥିବା ସୂଚନା ଅନୁଯାୟୀ, ବାଲି ଦ୍ଵୀପ ନିକଟରେ ବୁଡାଜାହାଜ ନିଖୋଜ ହୋଇ ଯାଇଛି। ଇଣ୍ଡୋନେସିଆ ନୌସେନା ତଲାସି ଅଭିଯାନ ଜୋରଦାର କରିଛନ୍ତି। ସେନା ପ୍ରମୁଖ ହାଦି ଜାହାଜନ୍ତୋ କହିଛନ୍ତି, ଜାହାଜ କେଆରଆଇ ନାନଗଲା ୪୦୨ ବୁଧବାର ଏକ ପ୍ରଶିକ୍ଷଣ ଅଭିଯାନରେ ସାମିଲ ହେବାକୁ ଯାଉଥିବା ବେଳେ ନିଖୋଜ ହୋଇ ଯାଇଛି। ବୁଡାଜାହାଜ ବାଲିରୁ ଉତ୍ତରରେ ପ୍ରାୟ ୯୫ କିଲୋମିଟର ଦୂରରେ ନିଖୋଜ ହୋଇଥିବା କୁହାଯାଉଛି।
ସେନା ପ୍ରମୁଖ ହାଦି ଜାହାଜନ୍ତୋ କହିଛନ୍ତି, ନିଖୋଜ ଜାହାଜର ସନ୍ଧାନ ପାଇଁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆର ସହଯୋଗ ଲୋଡା ଯାଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ବୁଡାଜାହାଜ ସମୁଦ୍ରରୁ ୭୦୦ ମିଟର ଗଭୀର ଜଳରେ ବୁଡି ଯାଇଛି। କିନ୍ତୁ ଜାହାଜ ନିଖୋଜ ହେବାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ମିଳିନାହିଁ। ସମୁଦ୍ର ବୁଡାଳିଙ୍କୁ ଜାହାଜର ସନ୍ଧାନ ପାଇଁ ଅନୁମତି ଦିଆଯାଇଛି।
ନିଖୋଜ ଜାହାଜରେ ଚାଳକ ଦଳର ୪୯ ସଦସ୍ୟ ସମେତ କମାଣ୍ଡର ଓ ତିନି ବନ୍ଧୁକଧାରୀ ଥିଲେ। ଜର୍ମାନୀ ନିର୍ମିତ ଏହି ବୁଡାଜାହାଜ ୧୯୮୧ ମସିହାରୁ ଇଣ୍ଡୋନେସିଆର ନୌସେନାରେ ନିୟୋଜିତ । ଇଣ୍ଡୋନେସିଆ ନୌସେନାରେ ବର୍ତ୍ତମାନ ୫ ବୁଡାଜାହାଜ ରହିଥିବା ବେଳେ ୨୦୨୪ ସୁଦ୍ଧା ଏହାକୁ ଆଠ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ରହିଛି।