ଭାରତର ଜନସଂଖ୍ୟା ୧୩୦ କୋଟି କିନ୍ତୁ ଟ୍ୟାକ୍ସ ଦେଉଛନ୍ତି ମାତ୍ର ୧.୪୬ କୋଟି ଲୋକ ; ବଢୁଛି କୋଟିପତିଙ୍କ ସଂଖ୍ୟା ହେଲେ ଦେଉନାହାନ୍ତି କର

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୦୭ : କେନ୍ଦ୍ରୀୟ ପ୍ରତ୍ୟକ୍ଷ କର (CBDT) ବୋର୍ଡର ସୂଚନା ଅନୁସାରେ ବର୍ଷ ୨୦୧୮-୧୯ ମସିହାରେ ଦେଶରେ ମାତ୍ର ୧.୪୬ ଲୋକ ଆୟ କର ଦେଇଛନ୍ତି । ଅର୍ଥାତ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ମାତ୍ର ୨ ପ୍ରତିଶତ ଲୋକ ବି ଆୟ କର ଦେଉନାହାନ୍ତି । ଗୋଟିଏ ପଟେ ଭାରତରେ ଧନୀକଙ୍କ ସଂଖ୍ୟା ବୃଦ୍ଧି ପାଉଛି, ବିଦେଶ ଯାତ୍ରା କରୁଥିବା ଏବଂ ବହୁ ମୂଲ୍ୟ ସମ୍ପତ୍ତି କିଣୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ଦିନକୁ ଦିନ ଧନୀକ ଶ୍ରେଣୀର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି କିନ୍ତୁ ଆୟ କର ଦେଉଥିବା ଲୋକଙ୍କ ସଂଖ୍ୟା ବେଶ ନୈରାଶ୍ୟଜନକ ।

CBDTର ତଥ୍ୟ ଅନୁଯାୟୀ, ବର୍ଷ ୨୦୧୮-୧୯ରେ କେବଳ ୪୬ ଲକ୍ଷ ବ୍ୟକ୍ତିଗତ କରଦାତା ନିଜ ରୋଜଗାର ୧୦ ଲକ୍ଷ ଉପରେ ଥିବା ତଥ୍ୟ ଦେଇଛନ୍ତି । ସେହିଭଳି ୧ କୋଟି ଲୋକ ନିଜ ରୋଜଗାର ୫ରୁ୧୦ ଲକ୍ଷ ମଧ୍ୟରେ ଦେଖାଇଛନ୍ତି । ସେହି ବର୍ଷ ମୋଟ ୫.୭୮ କୋଟି ଲୋକ ଆୟ କର ଫେରସ୍ତ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୧.୦୩ କୋଟି ଲୋକ ନିଜ ରୋଜଗାର ୨.୫ ଲକ୍ଷରୁ କମ ଦେଖାଇଥିଲେ ।

ପ୍ରାୟ ୩.୨୯ କୋଟି ଲୋକ ନିଜର ବାର୍ଷିକ ଆୟ ୨.୫ ରୁ ୫ ଲକ୍ଷ ଦର୍ଶାଇଥିଲେ । ସୂଚନାଯୋଗ୍ୟ, ୫ ଲକ୍ଷରୁ କମ ଆୟ ବର୍ଗର ଲୋକମାନଙ୍କୁ ରିବେଟ୍ ଦ୍ବାରା କର ମୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଗ୍ଲୋବାଲ ଟ୍ୟାକ୍ସପେୟର ଟ୍ରଷ୍ଟର ଚେୟାରମ୍ୟାନ୍ ମନୀଷ ଖେମକା କହିଛନ୍ତି, ସ୍ବାଧିନତାର ୭୪ ବର୍ଷ ପରେ ମଧ୍ୟ ଭାରତରେ ପ୍ରତ୍ୟକ୍ଷ ରାଜସ୍ବରେ ପ୍ରାୟ ୯୮ ପ୍ରତିଶତ ଲୋକମାନଙ୍କର କୌଣସି ଯୋଗଦାନ ନାହିଁ ।

ବିକଶିତ ଦେଶମାନଙ୍କ ଉଦାହରଣ ଦେବାକୁ ଗଲେ, ସେ ଦେଶ ଗୁଡିକରେ ପ୍ରାୟ ୫୦ ପ୍ରତିଶତ ଲୋକ ଆୟକର ଦିଅନ୍ତି । କିନ୍ତୁ ଭାରତରେ ଏହା ଆଦୌ ଦେଖିବାକୁ ମିଳୁନାହିଁ । ଦେଶ ବିକାଶରେ ସମସ୍ତଙ୍କ ସହଯୋଗ ଆବଶ୍ୟକ । କିନ୍ତୁ ଭାରତରେ ଏହାର ବିପରୀତ ଦେଖିବାକୁ ମିଳୁଛି । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଆୟ କର ଦେଉଛନ୍ତି ମାତ୍ର ୧.୫ କୋଟି ଲୋକ । ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ । ରିପୋର୍ଟ ଅନୁଯାୟୀ ଦେଶରେ କୋଟିପତି ତଥା ଧନୀକ ଶ୍ରେଣୀର ଲୋକମାନଙ୍କ ସଂଖ୍ୟା ବେଶ ବୃଦ୍ଧି ପାଇଛି କିନ୍ତୁ ସେହି ପରିମାଣର କର ଦେଉନାହାନ୍ତି ଲୋକେ । ଦେଶର ବିକାଶ ପାଇଁ ଏଭଳି ମାନସିକତାକୁ ବଦଳାଇବାକୁ ହେବ ।

ଆଉ ଏକ ରିପୋର୍ଟ ଅନୁଯାୟୀ କେବଳ ୨୦୧୯ରେ ୨.୬୯ କୋଟି ଲୋକ ବିଦେଶ ଯାତ୍ରା କରିଛନ୍ତି । ଅର୍ଥାତ ପ୍ରତିଦିନ ଭାରତର ପ୍ରାୟ ୭୩ ହଜାର ଲୋକ ବିଦେଶ ଯାତ୍ରା କରନ୍ତି । ସେହିଭଳି ଦେଶରେ ଦାମୀ କାରଗୁଡିକର ବିକ୍ରି ମଧ୍ୟ ବୃଦ୍ଧି ପାଇଛି । FADA ମୁତାବକ ୨୦୨୧ରେ ବିଳାଶମୟ କାର ବିକ୍ରି ୧୬୭ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଜୁନ ମାସରେ ୨.୫୫ କାର ବିକ୍ରି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.