ପ୍ରେମିକାର ଭାଇକୁ ହତ୍ୟା କରି ଗିରଫ ହେଲେ ଲୋକପ୍ରିୟ ୟୁଟ୍ୟୁବର, ଭଉଣୀର ସମ୍ପୃକ୍ତି ନେଇ ପୋଲିସର ଛାନଭିନ୍‌

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩/୧୧: ହତ୍ୟା ଅଭିଯୋଗରେ ଗିରଫ ହେଲେ ୟୁଟ୍ୟୁବର। ୟୁଟ୍ୟୁବ୍‌ରେ ଥିଲେ ୯ ଲକ୍ଷରୁ ଅଧିକ ସବ୍‌ସ୍କ୍ରାଇବର। ଭିଡିଓ ଦେଖୁଥିଲେ ପାଖାପାଖି ୨୫ ଲକ୍ଷ ଆଉ ମାସକୁ ରୋଜଗାର ଥିଲା ୭୦-୮୦ ହଜାର। କିନ୍ତୁ ଏହି ଲୋକପ୍ରିୟ ୟୁଟ୍ୟୁବର ଏବେ ଜେଲ୍‌ର ୪ କାନ୍ଥ ଭିତରେ ରହିବେ। ୟୁଟ୍ୟୁବର ନିଜାମୁଲ ଖାନ୍। ନିଜ ପ୍ରେମିକାଙ୍କ ଭାଇକୁ ହତ୍ୟା କରିଥିବା ଜଣାପଡ଼ିବା ପରେ ଗିରଫ କରିଛି ପୋଲିସ।

ମୃତକ କମଲ ଶର୍ମା ନିଥାରିରେ ରୁହନ୍ତି। ନିଜାମୁଲ ଓ ତାଙ୍କ ଭଉଣୀ ପାଖାପଖି ୬ ବର୍ଷ ହେବ ସମ୍ପର୍କରେ ଥିବା ବେଳେ ଏକଥା ଜାଣି ପ୍ରତିବାଦ କରିଥିଲେ କମଲ୍‌। ଏପରିକି ନିଜ ସାନ ଭଉଣୀର ଫୋନ୍‌ ଛଡ଼ାଇ ନେବା ସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏକଥା ଜାଣିପାରି ନିଜାମୁଲ କମଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ନିଜ ଯୋଜନାକୁ ସଫଳ କରିବା ପାଇଁ ନିଜାମୁଲ ତାର ଦୁଇ ସାଙ୍ଗ ଅମିତ ଗୁପ୍ତା ଓ ସୁମିତ ଶର୍ମାକୁ ସାମିଲ କରିଥିଲା।

କମଲ ଅଫିସ୍ରୁ ଫେରିବା ବାଟରେ ଏମାନେ ଅନ୍ୟ ଏକ ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ସେକ୍ଟର ୬୫ରୁ ଫେରୁଥିବା ବେ​‌ଳେ ଇସକନ୍‌ ମନ୍ଦିର ପାଖ ରାସ୍ତାରେ ନିଜାମୁଲ କମଲଙ୍କ ଅଣ୍ଟାକୁ ଗୁଳି କରିଥିଲା। କିନ୍ତୁ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ହତ୍ୟାକାରୀଙ୍କୁ ଧରିପାରିନଥିଲା। ଏପରିକି ୮୦ ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ ପରେ ବି ପୋଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନି ପାରିନଥିଲା। ପରେ କମଲଙ୍କ ଭଉଣୀର କଲ୍‌ ଡିଟେଲ୍ସ ଚେକ୍‌ କରିଥିଲା ପୋଲିସ। ସେଥିରୁ ଜଣାପଡ଼ିଲା ନିଜାମୁଲ ଓ କମଲଙ୍କ ଭଉଣୀ ୨୦୧୪ରୁ ପ୍ରେମ କରୁଛନ୍ତି। ଏପରିକି କମଲଙ୍କ ମୃତ୍ୟୁ ପଛରେ ତାଙ୍କ ଭଉଣୀର ହାତ ଅଛି କି ନାହିଁ ପୋଲିସ ଯାଞ୍ଚ କରୁଥିବା ଅତିରିକ୍ତ ପୋଲିସ କମିଶନର ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.