ବଦଳିଲା ଚର୍ଚ୍ଚ ନିୟମ ! ମହିଳାଙ୍କୁ ଅଧିକାର ପ୍ରଦାନ କଲେ ପୋପ୍ ଫ୍ରାନସିସ୍, ହେଲେ ହୋଇ ପାରିବେନି ପ୍ରିଷ୍ଟ
11/01/2021 at 7:29 PM

ଭଟିକାନସିଟି : ବିଶ୍ୱର ବିଭିନ୍ନ ଚର୍ଚ୍ଚରେ ଅନୁସରଣ ହେଉଥିବା ସ୍ଥାନୀୟ ପ୍ରଥାକୁ ପୋପ୍ ଫ୍ରାନସିସ୍ ଔପଚାରିକ କରିବାକୁ ଓ ଆନୁଷ୍ଠାନିକ ରୂପ ଦେବାକୁ ନିୟମରେ ସଂଶୋଧନ କରିଛନ୍ତି। ଏଥିରେ ସେ ଚର୍ଚ୍ଚରେ ମହିଳାଙ୍କ ଅଧିକାର କ୍ଷେତ୍ର ସମ୍ପ୍ରସାରିତ କରିଛନ୍ତି। ହେଲେ ସେମାନେ ପ୍ରିଷ୍ଟ ହୋଇପାରିବେନି ବୋଲି ସ୍ପଷ୍ଟ କରିଛନ୍ତି ପୋପ୍।

ପୋପ କହିଛନ୍ତି ଯେ ଚର୍ଚ୍ଚରେ ମହିଳାଙ୍କ ଉଲ୍ଲେଖନୀୟ ଯୋଗଦାନକୁ ମାନ୍ୟତା ଲାଗି ଏହି ପରିବର୍ତ୍ତନ କରାଯାଇଛି। ମହିଳାମାନେ ସୁସମାଚାର ପଢିପାରିବେ ଓ ଚର୍ଚ୍ଚରେ ପୁରୁଷଙ୍କ ଲାଗି ପୂର୍ବରୁ ସଂରକ୍ଷିତ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ହେଲେ ଭଟିକାନ ପୌରହିତ୍ୟ ଲାଗି ପୁରୁଷଙ୍କ ସ୍ଥାନ ସଂରକ୍ଷିତ ଥିବାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ ।

ଚର୍ଚ୍ଚରେ ମହିଳାମାନେ ଆଜିକାଲି ପ୍ରିଷ୍ଟଙ୍କ ପରି ବିବାହ, ବାପ୍ତିସ୍ମ ଓ ଅନ୍ତ୍ୟେଷ୍ଟିରେ ଅଧ୍ୟକ୍ଷତା କରୁଛନ୍ତି। ଏଥିପାଇଁ ମହିଳାମାନଙ୍କୁ ଡାକନ ଅନୁମତି ପ୍ରଦାନ ନିମନ୍ତେ ପୋପ ଚାପରେ ଥିଲେ। ହେଲେ ଚର୍ଚ୍ଚର ଏହି ସବୁ କ୍ଷେତ୍ର ଏବେବି ପୁରୁଷଙ୍କ ଲାଗି ସଂରକ୍ଷିତ। ଯଦିଓ ଇତିହାସ କୁହେ ପ୍ରାରମ୍ଭିକ ଦିନମାନଙ୍କରେ ଚର୍ଚ୍ଚର ଏହି କାର୍ଯ୍ୟ ମହିଳାଙ୍କ ଦଖଲରେ ଥିଲା ତେବେ ନିଷ୍ପତ୍ତି ନେବା ଲାଗି ପୋପ୍ କମିଶନ ଗଠନ କରିଥିଲେ।

ପୋପଙ୍କ ଏପରି ନିଷ୍ପତ୍ତିରେ କ୍ରମଶଃ ଚର୍ଚ୍ଚ ପ୍ରିଷ୍ଟହୁଡ ଲାଗି ମହିଳାଙ୍କ ପଥ ପ୍ରଶସ୍ତ କରିଥିବା ବିରୋଧିମାନେ ଅଭିଯୋଗ କରିଛନ୍ତି। ତେବେ ଏହା ଦ୍ୱାରା ବିଶ୍ୱର ଅନେକ ଚର୍ଚ୍ଚରେ ଥିବା ପ୍ରିଷ୍ଟଙ୍କ ଅଭାବ ପୁରଣ ହୋଇପାରିବ ବୋଲି ଅନେକ ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି।