ଇତିହାସ ରଚିଲେ ପୋନୁଙ୍ଗ ଡୋମିଙ୍ଗ : ଅରୁଣାଚଳ ପ୍ରଦେଶର ପ୍ରଥମ ମହିଳା ଲେଫ୍ଟନାଣ୍ଟ କର୍ଣ୍ଣଲଭାବେ ପାଇଲେ ନିଯୁକ୍ତି
24/09/2019 at 8:58 PM

ଇଟାନଗର ୨୪/୯: ଅରୁଣାଚଳ ପ୍ରଦେଶର ପ୍ରଥମ ମହିଳା ଲେଫ୍ଟନାଣ୍ଟ କର୍ଣ୍ଣଲ ହୋଇଛନ୍ତି ପୋନୁଙ୍ଗ ଡୋମିଙ୍ଗ । ଡୋମିଙ୍ଗଙ୍କ ଏହି ଐତିହାସିକ ସଫଳତା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଡୋମିଙ୍ଗଙ୍କ ଫଟୋ ସେୟାର କରି ଟ୍ବିଟର ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣଲ ହୋଇଥିବା ଡୋମିଙ୍ଗ ହେଉଛନ୍ତି ଅରୁଣାଚଳ ପ୍ରଦେଶର ପ୍ରଥମ ମହିଳା।
ମହିଳାଙ୍କୁ ସୈନ୍ୟ ସାମରିକ ବଳରେ କେବଳ ଅଧିକାରୀ ପଦରେ ନିଯୁକ୍ତି କରାଯାଏ। ସରକାରଙ୍କ ତରଫରୁ ଗତ ବର୍ଷ ସଂସଦରେ ଦିଆଯାଇଥିବା ସୂଚନା ଅନୁସାରେ, ଭାରତୀୟ ସେନାରେ ୩.୮୦ପ୍ରତିଶତ ମହିଳା ଅଧିକାରୀ ଅଛନ୍ତି।

ଭାରତୀୟ ନୌସେନାରେ ୬ପ୍ରତିଶତ ମହିଳା ଅଧିକାରୀ କାର୍ଯ୍ୟରତ ଥିବାବେଳେ ବାୟୁ ସେନାରେ ୧୩.୦୯ ପ୍ରତିଶତ ମହିଳା ଅଧିକାରୀ କାର୍ଯ୍ୟରତ ଅଛନ୍ତି ବୋଲି କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଛନ୍ତି।

ଗତ ମାସରେ ଓ୍ବିଙ୍ଗ କମାଣ୍ଡର ଶୈଳଜା ଧାମୀ ଭାରତୀୟ ବାୟୁ ସେନାରେ ଫ୍ଲାଇଙ୍ଗ ୟୁନିଟରେ ଫ୍ଲାଇଙ୍ଗ କମାଣ୍ଡର ହୋଇଥିଲେ। ସେ ଅଗଷ୍ଟ ୨୬ତାରିଖରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଚେତକ ହେଲିକପ୍ଟର ୟୁନିଟର ଦାୟିତ୍ବ ସମ୍ଭାଳିଥିଲେ।
ଅରୁଣାଚଳ ପ୍ରଦେଶର ପୋନୁଙ୍ଗ ଡୋମିଙ୍ଗ ପୂର୍ବ ସିୟାଙ୍ଗ ଜିଲ୍ଲାର ପାସିଘାଟର ଜିଟିସିରେ ରୁହନ୍ତି। ସେ ୪ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼। ସରକାରୀ ସ୍କୁଲରେ ପଢ଼ିଥିବା ଡୋମିଙ୍ଗ ପିଲାଦିନୁ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଚାହୁଁଥିଲେ ବୋଲି କହିଛନ୍ତି।