ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା

Published By : Prameya-News7 Bureau | October 01, 2018 IST

ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ବ୍ୟାନ୍‌ ହେବ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ।ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ଏହା ଉପରେ କଟକଣା ଲାଗିବ । ପରେ ସାରା ରାଜ୍ୟରେ ଏହି ପ୍ରତିବନ୍ଧକ ଲାଗିବ । ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ଜାତ ସାମଗ୍ରୀ ତିଆରି କରୁଥିବା କଂପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ ହେବ । ସେହିଭଳି ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର ନକରିବାକରୁ ସଚେତନ ସୃଷ୍ଟିକରିବେ ସାରା ରାଜ୍ୟରେ ଥିବା ମ୍ୟୁନିସାପଲିଟି ଓ ଏନ୍‌ଏସ୍ କର୍ତ୍ତୃପକ୍ଷ । କାଲିଠାରୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟାନ୍‌ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସହରରେ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରତିବନ୍ଧକ ଲାଗିବ । ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସହରର ଗୁଡିକରେ ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ ହେବ । ତେବେ ୫୦ ମାଇକ୍ରନ୍ ତଳକୁ ଥିବା ପଲିଥିନ୍ ବ୍ୟବହାର ଉପରେ ଏହି ପ୍ରତିବନ୍ଧକ ଲାଗୁହେବ। ସେହିଭଳି ୨୦୦ ମିଲିଲିଟର ତଳକୁ ପ୍ଲାଷ୍ଟିକ ବଟଲ୍‌ ତିଆରି ଓ ବ୍ୟବହାର ଉପରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗିବ ।ଏହାଠାରୁ ଅଧିକ ମିଲିଲିଟର ପ୍ଲାଷ୍ଟିକ ବୋତଲ କୌଣସି ଦୋକାନୀ କିମ୍ବା କଂପାନୀ ତିଆରି ଓ ବ୍ୟବହାର କଲେ ଏହା ଗ୍ରାହକଙ୍କ ଠାରୁ ସଂଗ୍ରହ କରିବା ବ୍ୟବସ୍ଥା କରିବେ । ମାସେ ପର୍ଯ୍ୟନ୍ତ ଜରିମାନା ଆଦାୟ ଓ ଗିରଫଦାରି ଉପରେ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି । ସେ ପର୍ଯ୍ୟନ୍ତ ଏ ଦିଗରେ ବିଭିନ୍ନ ଦୋକାନୀ, କଂପାନୀ ଓ ଲୋକଙ୍କୁ ସଚେତନ କରାଯିବ । ବିଭିନ୍ନ ମ୍ୟୁନିସପାଲଟି ଓ ଏନ୍‌ଏସ୍ କର୍ତ୍ତୃପକ୍ଷ ଏନେଇ ସଚେତନତା ସୃଷ୍ଟି କରିବେ । ନଭେମ୍ବର ୨ ପରେ କିନ୍ତୁ ପ୍ଲାଷ୍ଟିକ୍ ଓ ପିଲିଥିନ୍‌ ତିଆରି କରୁଥିବା କଂପାନୀ ଓ ବିକ୍ରି କରୁଥିବା ଦୋକାନୀ ଉପରେ ଜରିମାନା ଆଦାୟ ସହ ୫ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ପଲ୍ୟୁସନ୍ କଣ୍ଟ୍ରୋଲ୍‌ ବୋର୍ଡର ସଦସ୍ୟଙ୍କୁ ଚଢାଉ ଓ ଜରିମାନା ଆଦାୟ ପାଇଁ କ୍ଷମତା ଦିଆଯାଇଛି । ସେହି ପିଲିଥିନ୍‌ର ବିକଳ୍ପ ଭାବେ ଠୁଙ୍ଗା, କାଗଜ ଖଲି, କାଗଜ ବ୍ୟାଗ, ପତ୍ର ଖଲି ଆଦି ବ୍ୟବହରା କରିବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥା ଏହି ସବୁ ଜିନିଷ ଉତ୍ପାଦନ ପାଇଁ ଆର୍ଥିକ ସହାୟତା ନେବାକୁ ଚାହିଁବେ ତେବେ ଓଡ଼ିଶା ଏନଭର୍ଣ୍ଣମେଣ୍ଟ ମ୍ୟାନେଜମେଣ୍ଟ ଫଣ୍ଡରୁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।    ପାର୍ବଣ ଆସୁଥିବାରୁ ପୂଜା ମଣ୍ଡପରେ ପଲିଥିନ୍ ଓ ପ୍ଲାଷ୍ଟିକ ସିଟ୍‌ ବ୍ୟବହାର ନେଇ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏବେ ଅପେକ୍ଷା ରାଜ୍ୟସରକାଙ୍କର ଏଭଳି ପଦକ୍ଷେପକୁ ରାଜ୍ୟବାସୀ କେତେ ମାତ୍ରାରେ ଏବଂ କେତେ ଆଗ୍ରହର ସହିତ ଗ୍ରହଣ କରିପାରୁଛନ୍ତି… ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.