ଆରମ୍ଭ ହେଲା ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା: ପ୍ରଥମ ଦିନରେ ସଚେତନତା ଏବଂ ଚଢଉ
2/10/2018 at 5:35 PM

ଭୁବନେଶ୍ବର୨|୧୦: ଆଜି ଗାନ୍ଧି ଜୟନ୍ତୀରୁ ରାଜ୍ୟର ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟାନ୍ କାର୍ଯ୍ୟକାରୀ ହୋଇଛି । ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ପୁରୀ ସହରରେ ବ୍ୟାନ୍ ହୋଇଛି ପ୍ଲାଷ୍ଟିକ୍ ଓ ପଲିଥିନ୍ । କିଛି ସ୍ଥାନରେ ସଚେତନତା ରାଲି ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଚଢ଼ାଉ ହୋଇଛି ।
ଖାଲି ବରା ନିଅ ଘୁଘୁନି ପାର୍ସଲ ନାହିଁ। … ପରିବା ବ୍ୟାଗ ନେଇକି ଆସ ଜରି ନାହିଁ । ଯାହା ଖାଇବ ଏଇଠି ଖାଅ, ପାର୍ସଲ ନାହିଁ। ଆଜି ଦୋକାନରେ ଏମିତି କିଛି ସିଧାବାଣୀ ଶୁଣିଛନ୍ତି ଗ୍ରାହକମାନେ । କାରଣ ସରକାର ୬ଟି ସହରରେ ପ୍ଲାଷ୍ଟିକ ବ୍ୟାନ କରିଛନ୍ତି । କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହରରେ ଆଜିଠାରୁ ପ୍ଲାଷ୍ଟିକ ଉପରେ ଲାଗିଛି କଟକଣା। କିଛି ସ୍ଥାନରେ ଲୋକେ ହଇରାଣ ତ ହୋଇଛନ୍ତି ତଥାପି ପ୍ଲାଷ୍ଟିକ ବ୍ୟବହାର ନ କରିବାରେ ସେମାନେ ସାମିଲ ହୋଇଛନ୍ତି।
ବର୍ତ୍ତମାନ ମାସକ ପାଇଁ ସଚେତନ କରାଯିବ। ଆଉ ଏହି ସଚେତନତା ପାଇଁ ବ୍ରହ୍ମପୁର କଟକ, ଭୁବନେଶ୍ବରରେ ଗଣଦୌଡ଼ ଆୟୋଜନ କରାଯାଇଥିଲା। ଭୁବନେଶ୍ବରରେ ସୋଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଗଣ ଦୌଡ଼ରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସେହିପରି ଭୁବନେଶ୍ବରରେ ଅନ୍ତର୍ଜାତୀୟ ଧାବିକା ଦୂତିଚାନ୍ଦ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ କେ. ରବି କୁମାର ଯୋଗ ଦେଇ ଲୋକଙ୍କୁ ସଚେତନ କରାଇଥିଲେ। ଚିଲିକାକୁ ପଲିଥିନମୁକ୍ତ କରିବା ଲାଗି ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ।
ସେପଟେ ପୁରୀରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବଡ଼ଦାଣ୍ଡରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୋକାନୀ ଓ ଜନ ସାଧାରଣଙ୍କୁ ପ୍ଲାଷ୍ଟିକ ଓ ପଲିଥିନ୍ ନିଷିଦ୍ଧ ହେବା ସଂପର୍କରେ ସଚେତନତା କରାଯିବା ସହ ପଲିଥିନ୍ ଜବତ କରାଯାଇଥିଲା ।
ପ୍ଲାଷ୍ଟିକ ବ୍ୟାନକୁ କିଛି ସ୍ଥାନରେ ଲୋକେ ଫୁ ମଧ୍ୟ କରିଦେଇଛନ୍ତି। ଗୁଟଖା ବ୍ୟାନ ଭଳି ଇଏ ଆଉ ଏକ ବ୍ୟାନ ବୋଲି କହିଛନ୍ତି । ତେବେ ଲୋକେ ପ୍ଲାଷ୍ଟିକ ବ୍ୟାନକୁ ସ୍ବାଗତ କରିଥିବାରୁ ମାସକ ଭିତରେ ଏହାର ପ୍ରଭାବ ଜଣା ପଡ଼ିବ ବୋଲେ ଆଶା କରାଯାଉଛି।