Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଦ ପ୍ରକାଶଙ୍କ ଦେହାନ୍ତ ପରେ ବାତିଲ ହେବ ପାଟକୁରା ବିଧାନସଭା ନିର୍ବାଚନ

20/04/2019 at 11:17 AM

ଭୁବନେଶ୍ବର ୨୦|୪: ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ବାତିଲ ହେବ ପାଟକୁରା ବିଧାନସଭା ନିର୍ବାଚନ । ନିର୍ବାଚନ ନିୟମ ଅନୁଯାୟୀ ପାଟକୁରା ବିଧାନସଭା ଆସନରେ ବାତିଲ ହେବା ସହ କେନ୍ଦ୍ରାପଡା ଲୋକସଭା ଆସନର ଫଳାଫଳ ମଧ୍ୟ ବିଳମ୍ବିତ ହେବା ଆଶଙ୍କା ରହିଛି । ପୁଣି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯାଇ ନିର୍ବାଚନ ପ୍ରକ୍ରିୟା ହେବ । ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡା ଲୋକସଭା ଏବଂ ପାଟକୁରା ବିଧାନସଭାରେ ମତଦାନ ହେବାର ଥିଲା ।

ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ନେତା ବେଦ ପ୍ରକାଶ ଅଗ୍ରଓ୍ବାଲ ଏବଂ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ମଧ୍ୟ ଟକ୍କର ହେବ ବୋଲି ଶୁଣାଯାଉଥିଲା । ମାତ୍ର ଏବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ବିଜୟ ପାଟକୁରା ଆସନରେ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ଦୀର୍ଘ ଦିନ ପରେ ବିଧାନସଭାକୁ ଫେରିବାର ଆଶା ରଖିଥିଲେ । ଏବେ ସେଥିରେ ସମସ୍ୟା ଭାବେ ଛିଡା ହୋଇଛି ବେଦପ୍ରକାଶଙ୍କ ପରଲୋକ ।ଏପରିକି ବିଜୟଙ୍କ ଭାଗ୍ୟ ତାଙ୍କ ସାଥ୍ ଦେଉନଥିବା ଚର୍ଚ୍ଚା ବି ବଢିଛି । କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ବିଜୟ ମହାପାତ୍ର ୨୦୦୦ ମସିହାରୁ ବିଭିନ୍ନ ଭାବରେ ବିଧାନସଭାକୁ ଆସିବାରେ ବିଫଳ ହୋଇ ଆସୁଛନ୍ତି । ବିଜେଡିରୁ ବହିଷ୍କାର ଯୋଗୁଁ ୨୦୦୦ ମସିହା ନିର୍ବାଚନ ଲଢିପାରିନଥିଲେ ବିଜୟ । ୨୦୦୪  ନିର୍ବାଚନରେ ତାଙ୍କ ଦଳ ଓଡ଼ିଶା ଗଣପରିଷଦ କଂଗ୍ରେସ ସହ ମେଣ୍ଟ କରିଥିଲେ ବି ନିର୍ବାଚନ ଜିତି ପାରିନଥିଲେ ବିଜୟ ମହାପାତ୍ର ।୨୦୦୯ରେ ବିଜେପିରେ ଯୋଗଦେଇ ନିର୍ବାଚନ ଲଢିଥିଲେ ବିଜୟ । କିନ୍ତୁ ୨୦୦୯ ଏବଂ ୨୦୧୪ ନିର୍ବାଚନ ଜିତିପାରିନଥିଲେ ସେ । ଏବେ ପୁଣି ସେ ବିଜେପିକୁ ଫେରି ଦଳର ପ୍ରାର୍ଥୀ ଭାବେ ପାଟକୁରାରେ ନିର୍ବାଚନ ଲଢୁଛନ୍ତି । ଶେଷ ନିର୍ବାଚନ ଲଢୁଥିବା କହି ପ୍ରଚାର କରୁଥିବା ବିଜୟଙ୍କ ପଲା ଭାରି ଥିବା ଦଳୀୟ ମହଲ ଦାବି କରୁଥିବା ବେଳେ ବେଦପ୍ରକାଶଙ୍କ ପରଲୋକ ବିଜୟଙ୍କ ଭାଗ୍ୟରେ ଗ୍ରହଣ ଭଳି ହୋଇଛି । 

   Related Posts