ପୁଣି ଭାରତୀୟଙ୍କ ସମ୍ପତ୍ତି ତାଲିକା ଦେବ ସ୍ବିଜରଲାଣ୍ଡ, ଏଇ ମାସରେ ଖୋଲିବ ଅସାଧୁଙ୍କ ପୋଲ୍‌

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ ୧୨/୦୯: ସ୍ବିଜରଲାଣ୍ଡରେ ଧନ ଓ ସମ୍ପତ୍ତି ରଖିଥିବା କିଛି ଅନ୍ୟ ଭାରତୀୟଙ୍କ ପୋଲ ଖୋଲିବାକୁ ଯାଉଛି । ଅଟୋମେଟିକ୍‌ ସୂଚନା ଆଦାନ ପ୍ରଦାନ ରାଜିନାମା ଅନୁସାରେ ସ୍ବିଜରଲାଣ୍ଡ ଭାରତୀୟ ନାଗରିକଙ୍କ ସହ ସମ୍ପର୍କିତ ଡକ୍ୟୁମେଣ୍ଟର ତୃତୀୟ କିସ୍ତି ଦେବ । ଅଧିକାରୀ ଏନେଇ ରବିବାର ସୂଚନା ଦେଇଛନ୍ତି।

ଅଧିକାରୀଙ୍କ ଅନୁସାରେ, ସ୍ବିଜରଲାଣ୍ଡ ଯେଉଁ ଦସ୍ତାବିଜ୍‌ ଦେବାକୁ ଯାଉଛି ସେଥିରେ ଭାରତୀୟଙ୍କ ରିୟଲ୍‌ ଇଷ୍ଟେଟ ସମ୍ପତ୍ତି ଏବଂ ଏହା ଦ୍ବାରା ରୋଜଗାର ହୋଇଥିବା ଅର୍ଥର ଡାଟା ମିଳିବ। କଳାଧନ ବିରୋଧରେ ଚାଲିଥିବା ଲଢ଼େଇର ଏହା ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରେ। ତୃତୀୟ କିସ୍ତିରେ ମିଳିବାକୁ ଥିବା ତଥ୍ୟରେ ସେଠାରେ ଭାରତୀୟଙ୍କ ଫ୍ଲାଟ ଏବଂ ଆପାର୍ଟମେଣ୍ଟ ସମ୍ପର୍କରେ ଜଣାପଡ଼ିବ । ଏପରିକି ସେଥିରୁ ସେମାନେ କମାଉଥିବା ଟଙ୍କାର ଟ୍ୟାକ୍ସ ଦିଆଯାଉଛି କି ନାହିଁ ସରକାର ଜାଣିପାରିବେ ।

ତୃତୀୟ ଥର ପାଇଁ ସ୍ବିଜରଲାଣ୍ଡରୁ ଭାରତୀୟ ନାଗରିକଙ୍କ ବ୍ୟାଙ୍କ ଖାତା ଏବଂ ସମ୍ପତ୍ତିର ସୂଚନା ମିଳିବ। କିନ୍ତୁ ପ୍ରଥମ ଥର ରିୟଲ ଇଷ୍ଟେଟ୍‌ ସହ ଜଡ଼ିତ ସମ୍ପତ୍ତିର ସୂଚନା ମିଳିବ । ତେବେ ସେଠାକର ଏନଜିଓରେ ନିବେଶ ଅର୍ଥ ଏବଂ ଡିଜିଟାଲ କରେନ୍ସି​‌​‌ରେ ଲାଗିଥିବା ଟଙ୍କା ସମ୍ପର୍କରେ ସୂଚନା ଦେବା ଅଟୋମେଟିକ୍‌ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ସାମିଲ ନାହିଁ।

ଭାରତକୁ ପ୍ରଥମ ଥର ସ୍ବିଜରଲାଣ୍ଡରୁ ସେପ୍ଟେମ୍ବର ୨୦୧୯ରେ ଭାରତୀୟଙ୍କ ବ୍ୟାଙ୍କ ଖାତାର ତଥ୍ୟ ମିଳିଥିଲା। ଭାରତ ସମେତ ୭୫ ଦେଶ ଏହି ଡାଟା ପାଇଥିଲେ। ସେପ୍ଟେମ୍ବର ୨୦୨୦ରେ ୮୫ ଦେଶଙ୍କ ସମେତ ଭାରତକୁ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଦେଇଥିଲା ସ୍ବିଜରଲାଣ୍ଡ।  ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.