Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଓବାଦୀଙ୍କ ଗୁଳିରେ ସେକ୍ଟର ଅଫିସରଙ୍କ ମୃତ୍ୟୁ ଘଟଣା : ବିନା ସୁରକ୍ଷାକର୍ମୀରେ ଯାଉଥିଲା ସେକ୍ଟର ପାର୍ଟି

କନ୍ଧମାଳ ୧୭|୪: ନିର୍ବାଚନ ପୂର୍ବରୁ କନ୍ଧମାଳରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି । ପୋଲିଂ ଗାଡି ଉପରକୁ ମାଓବାଦୀମାନେ ଟାର୍ଗେଟ୍ କରିଛନ୍ତି । ଫୁଲବାଣୀରୁ ବାନ୍ଦାପଡ଼ା ଯାଉଥିବା ବେଳେ ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ପୋଲିଂ ସେକ୍ଟର ଅଫିସର କ୍ରାନ୍ଦିବାଲି ଗାଁର ସଂଯୁକ୍ତା ଦିଗାଲ ପ୍ରାଣ ହରାଇଛନ୍ତି । ସେପଟେ ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ଠାରେ ପୋଲିଂ ପାର୍ଟି ଯାଉଥିବା ତିନୋଟି ଗାଡ଼ିକୁ ଜାଳିଦେଇଥିଲେ ମାଓବାଦୀ । ତେବେ ଗାଡ଼ି ଜାଳିବା ପୂର୍ବରୁ ସମସ୍ତ ପୋଲିଂ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇଯିବା ପାଇଁ କହିଥିଲେ ।

ସୂଚନା ଅନୁସାରେ ବୁଥ୍ କୁ ନିଜ ଟିମ୍ ସହ ଯାଉଥିଲେ ସେକ୍ଟର ଅଫିସର ସଂଯୁକ୍ତା ଦିଗାଲ । ତାଙ୍କ ସହ ଆସିଷ୍ଟାଣ୍ଟ ସେକ୍ଟର ଅଫିସର ପ୍ରକାଶ ଚନ୍ଦ୍ର ଦାସଙ୍କ ସମେତ ୪ଜଣ ଥିଲେ । ସେମାନେ ଏକ ବୋଲେରୋ ଗାଡି ଯୋଗେ ଯାଉଥିବାବେଳେ ରାସ୍ତାରେ ଏକ ବ୍ରିଜ୍ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ବ୍ରିଜ୍ ତଳେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ବିସ୍ଫୋରଣ ହେବାର କିଛି ଦୂରରୁ ତାଙ୍କ ଗାଡି ଅଟକି ଯାଇଥିଲା । ବିସ୍ଫୋରଣ ହେବାର ଦେଖି ତାଙ୍କ ଗାଡି ଫେରିଆସୁଥିଲା । ସେହି ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା । ଗୁଳିବିନିମୟ ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଫଳରେ ତାଙ୍କୁ ସହଯୋଗୀମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ବୁଥ୍ ରେ ପୋଲିଂ ପାର୍ଟି ଠିକ୍ ଭାବେ ପହଞ୍ଚିଛନ୍ତି କି ନାହିଁ, ବୁଥ୍ ରେ ସମସ୍ତ ବ୍ୟବସ୍ଥା ଠିକ୍ ହୋଇଛି କି ନାହିଁ ତଦାରଖ ପାଇଁ ସେକ୍ଟର ଅଫିସର ସଂଯୁକ୍ତ ତାଙ୍କ ଷ୍ଟାଫ୍ ମାନଙ୍କ ସହ ଯାଉଥିଲେ ।

ସଂଯୁକ୍ତାଙ୍କ ମୃତ୍ୟୁକୁ ନେଇ ପରିବାରଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଫୁଲବାଣୀ ହସ୍ପିଟାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ପରିବାରଲୋକ, ଆତ୍ମୀୟସ୍ବଜନ ସମସ୍ତେ ହସ୍ପିଟାଲ ପରିସରରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ପୋଲିଂ ଗାଡି ଯାଉଥିବାବେଳେ କିଭଳି ଭାବେ ସୁରକ୍ଷାକର୍ମୀ ତାଙ୍କ ସହ ଯାଉନଥିଲେ ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଗ୍ରାମ ପଞ୍ଚାୟତର ମୁଙ୍ଗୁନିପଦର ଠାରେ ମାଓବାଦୀମାନେ ପୋଲିଂ ପାର୍ଟି ଯାଉଥିବା ତିନିଟି ଗାଡ଼ିକୁ ବିସ୍ଫୋରଣ କରି ଉଡ଼ାଇଦେଇଛନ୍ତି । ତେବେ ବିସ୍ଫୋରଣ ପୂର୍ବରୁ ସମସ୍ତ ପୋଲିଂ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇ ଯିବାକୁ କହିଥିଲେ ମାଓବାଦୀ । ସେମାନଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ମାଓ ପ୍ରବଣ ଅଂଚଳରେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ପ୍ଲାଟୁନ୍‌ ପ୍ଲାଟୁନ୍‌ ଫୋର୍ସ ମୁତୟନ ଭେଳିକି ଦେଖାଉଥିବା ପ୍ରଶାସନ ଏଭଳି ଘଟଣାରେ କାହିଁକି ପୋଲିଂ ପାର୍ଟି କାହିଁକି କୌଣସି ସୁରକ୍ଷାକର୍ମୀଙ୍କୁ ରଖାଯାଇନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ମାଲକାନଗିରିରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟରରେ ଯୋଗେ ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ବୁଥରେ ଛଡ଼ାଯାଇଥିଲା । ତେବେ ଭୋଟିଂ ପରେ ସେମାନେ ସାରା ରାତି ପାହାଡ଼ ରାସ୍ତା ଦେଇ ୧୪କିଲୋମିଟର ଚାଲି ଚାଲି ଫେରିଥିଲେ । ଯାହାକୁ ଖୁବ୍‌ ପ୍ରଶଂସା କରିଥିଲେ ସିଇଓ । ହେଲେ ସେମାନଙ୍କ ଜୀବନକୁ ବିପଦରେ ପକାଇଥିବା ପ୍ରଶାସନ ବିରୋଧରେ କୌଣସି ଆକ୍ସନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

527 Views

   ସମ୍ବନ୍ଧିତ ଖବର