ସାଂସଦ ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ଘଟଣାରେ ତେଜିଛି ରାଜନୀତି- ବିଜେଡିର ଦୁଇ ନେତା ମୁହାଁ- ମୁହିଁ , ପୂର୍ବତନ ବିଧାୟକ କହିଲେ ଘରୋଇ କଳି
1/10/2019 at 6:11 PM

କଟକ୦୧।୧୦- ସାଂସଦ ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ଘଟଣାରେ ପୁରୀଘାଟ ଥାନାରେ ମାମଲା ରୁଜୁ ହେବା ପରେ ଏହାକୁ ନେଇ ରାଜନୀତି ତେଜିଛି । ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନଜିତ୍ ଦାସଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କୁ ମନଜିତ୍ ଧମକଚମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପଟେ ମନଜିତ ଦାସ କହିଛନ୍ତି ମୁଁ ଦଳୀୟ ଫୋରମରେ ଅଭିଯୋଗ କରିବି ପୋଲିସ ପାଖରେ ନୁହଁ।

ଟ୍ବିଟ୍, ଥାନା ବାବୁଙ୍କ ବିରୋଧରେ ଦୁର୍ବ୍ୟବାହାର. ତାପରେ ଭାଇରାଲ ଭିଡିଓ। ଧିରେ ଧିରେ ବିଜେଡିର ଦୁଇ ନେତାଙ୍କ ପାୱାର ସୋ। ଏମିତି କିଛି ଟର୍ଣ୍ଣ ନେଇଛି ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ମାମଲା। ଗତକାଲି ରାତିରେ ସାଂସଦ ଅନୁଭବ ମହାନ୍ତି ପୁରୀଘାଟ ଥାନାରେ ଏତଲା ଦେବା ପରେ ମନଜିତ ଦାସ ଥାନାରେ ହାଜର ହୋଇଥିଲେ। ତେବେ ଏହି ସମୟରେ ସେ କହିଥିଲେ ଯେ ସେ ଅନୁଭବଙ୍କ ବିରୋଧରେ ଥାନାରେ ପାଲଟା ଏତଲା ଦେବେନି। କିନ୍ତୁ ଅନୁଭବଙ୍କ ନାଁରେ ଆଣିଥିଲେ କିଛି ସାଂଘାତିକ ଅଭିଯୋଗ। ଅନୁଭବଙ୍କୁ ରାଜନୀତି ଜଣାନାହିଁ। ଅଭିନେତାରୁ ରାଜନେତା ବନିଥିବା ଅନୁଭବଙ୍କର ଅହଙ୍କାର ବଢ଼ିଯାଇଛି ।ସେଥିପାଇଁ ତାଙ୍କର ଆଚରଣ ବି ବଦଳିଯାଇଛି । ସାଂସଦ ଗତ ରବିବାର ରାତିର ଭିଡିଓକୁ ଟ୍ବିଟରରେ ଅପଲୋଡ୍ କରି ପଛରେ ଏହାକୁ କାହିଁ କି ଡିଲିଟ କଲେ ବୋଲି ପ୍ରଶ୍ନ କରିଛନ୍ତି ମନଜିତ୍ ।

ଦୁଇ ବିଜେଡି ନେତାଙ୍କ ଭିତରେ ଫାଇଟ। ଜଣେ ସାଂସଦ ଅନ୍ୟଜଣେ ଛାତ୍ର ବିଜେଡିର ଉପସଭାପତି। ମନଜିତ କହୁଛନ୍ତି ଦଳୀୟ ଫୋରମରେ କଥା ଉଠାଇବେ। ଏବେ ବିଜେଡିରେ ଦୁଇ ନେତାଙ୍କ ପାୱାର ସୋ ଚାଲିଥିବା ବେଳେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଏହାକୁ ଘରୋଇ କଳି କହି ଏଡ଼େଇ ଦେଇଛନ୍ତି।

ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। କିଏ ବିଜେଡିର ଶୃଙ୍ଖଳିତ କର୍ମୀ ଆଉ କାହାର ବିଜେଡିର ୱେଟ କେତେ ତେବେ ଏହା ପରୀକ୍ଷାର ସମୟ। ତେଣୁ ଦଳ ଏହାକୁ କେମିତି ସମାଧାନ କରୁଛି ତା ଉପରେ ରହିଛି ନଜର।
