ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀରରେ ବିଜୁ ଜନତା ଦଳର ପତାକା ପକାଯିବା ନେଇ ତେଜିଲା ରାଜନୀତି, ବିଜେଡିର କ୍ଷମା ପ୍ରାର୍ଥନା ଦାବି କଲା ବିଜେପି
21/06/2019 at 1:57 PM

ଭୁବନେଶ୍ବର ୨୧|୬: ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡି ବ୍ଲାଷ୍ଟରେ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀରରେ ବିଜୁ ଜନତା ଦଳର ପତାକା ପକାଯିବା ନେଇ ତେଜିଛି ରାଜନୀତି । ବିଜେପି ଏକ୍ସ ସର୍ଭିସମ୍ୟାନ୍ ସେଲ୍ ଆବାହକ ବି.କେ ବସ୍ତିଆ ପ୍ରେସମିଟ୍ କରି କହିଛନ୍ତି ଏହା ସହିଦଙ୍କ ପ୍ରତି ଅପମାନ, ସମସ୍ତଙ୍କ ମନରେ କ୍ଷୋଭ ସୃଷ୍ଟି କରାଇଛି । ବିଜେଡି ଏଥି ଲାଗି କ୍ଷମା ପ୍ରାର୍ଥନା କରୁ। ଏଭଳି ଘଟଣା ଯିଏ କରିଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ପୁଲୱାମା ସହିଦଙ୍କ ଦାଦାଙ୍କୁ ବି ବିଜେଡି ନେତା ଅପମାନିତ କରିଥିଲା ବୋଲି ଅଭିଯୋଗ କରିଛି ବିଜେପି।
ସେପଟେ ବିଜେଡି ପ୍ରତିକ୍ରିୟା ରଖି କହିଛି ଏହା ଏକ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ଯେଉଁମାନେ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେଡି ସବୁବେଳେ ସହିଦମାନଙ୍କୁ ସମ୍ମାନ କରି ଆସିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ଗତକାଲି ସହିଦ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଜନ୍ମମାଟି ଢେଙ୍କାନାଳର କାମାକ୍ଷାନଗରରେ ପହଁଚିଥିଲା । ତାଙ୍କ ମରଶରୀର ଆସିଥିବା କଫିନରେ ତ୍ରିରଙ୍ଗା ପତାକାରେ ଆଚ୍ଛାଦିତ ହୋଇଥିଲା । କିନ୍ତୁ ତ୍ରିରଙ୍ଗା ପତାକା ଉପରେ ପୁଣି ବିଜୁ ଜନତା ଦଳର ଦଳୀୟ ପତାକା ମଧ୍ୟ ସେଠାକାର କିଛି ନେତା କଫିନ ଉପରେ ଢାଙ୍କି ଦେଇଥିଲେ । ଯାହାକୁ ନେଇ ତେଜୁଛି ରାଜନୀତି ।