ଟ୍ରିପଲ ତଲାକ ବିଲ୍ ପାସ୍ ପରେ ତେଜିଲା ରାଜନୀତି: ରଞ୍ଜୀବ ବିଶ୍ବାଳଙ୍କ ସହିତ ୫ କଂଗ୍ରେସ ସାଂସଦ ଭୋଟ ଦେଇନାହାନ୍ତି, ଏପଟେ ବିଜେଡିର ସମର୍ଥନକୁ କଂଗ୍ରେସର ତୀବ୍ର ସମାଲୋଚନା

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର୩୧|୭:  ଟ୍ରିପଲ ତଲାକ ବିଲ୍  ରାଜ୍ୟସଭାରେ ପାସ୍ ତ ହୋଇଗଲା ଦେଶ ସାରା ସେଲିବ୍ରେସନ କରୁଛନ୍ତି ମହିଳା ଓ ବିଜେପି ନେତା।  କିନ୍ତୁ ଦିଲ୍ଲୀରୁ ଭୁବନେଶ୍ବର ରାଜନୀତି ହୁଲସ୍ତୁଲ ।  ବିରୋଧିଙ୍କୁ ଧୋକା ଦେଇ ପଛଦ୍ବାର ବାଟେ ଏହି ବିଲ୍ କେନ୍ଦ୍ର ସରକାର ପାସ୍ କରାଇ ନେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କାଲି ରାଜ୍ୟସଭାରେ ରଞ୍ଜୀବ ବିଶ୍ବାଳଙ୍କ ସହିତ ୫ କଂଗ୍ରେସ ସାଂସଦ ଭୋଟ ଦେଇନାହାନ୍ତି। ଯାହାକୁ ନେଇ କଂଗ୍ରେସ ଚିନ୍ତାରେ । ଦଳ ପକ୍ଷରୁ ଏମାନଙ୍କୁ ଉତ୍ତର ମଗାଯାଇଛି । ଏଥିସହିତ କଂଗ୍ରେସ କହିଛି ସରକାର ବିରୋଧୀ ଦଳଙ୍କୁ  ଅନ୍ଧାରରେ ରଖି ଶେଷ ମୂହୁର୍ତ୍ତରେ ଏହି ବିଲ୍ ରାଜ୍ୟସଭାରେ ଆଗତ କରିଥିଲେ ଏବଂ ସେହିଦିନ ହିଁ ପାରିତ କରାଇ ନେଇଥିଲେ । ଯେଉଁଥିପାଇଁ ବିରୋଧି ଦଳ ଏକଜୁଟ ହୋଇପାରିଲେ ନାହିଁ କି ହ୍ବିପ୍ ବି ଜାରି ପାଇଁ ପର୍ଯ୍ୟାପ୍ତ ସମୟ ରହିଲା ନାହିଁ । ଟିଏମସି ଏମପି ଡେରେକ୍ ଓ ବ୍ରାଏନ୍ କହିଛନ୍ତି ସଂଖ୍ୟା ବଳରେ ସରକାର ପିଜା ଡେଲିଭରି ଭଳି ବିଲ୍‌ ପାସ କରାଉଛନ୍ତି।

ଏଣେ ଓଡିଶା ବିଧାନସଭାରେ କିଛି କମ୍ ତାତି ଦେଖିବାକୁ ମିଳିନି । ଏଠି କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଘେରିଛି ।କେନ୍ଦ୍ରରେ ବିଜେପିର ସହଯୋଗୀ ଥିବା ଜେଡିୟୁ ଓ ଏଆଇଏଡିଏମକେ ବିଲକୁ ବିରୋଧ କରି କକ୍ଷତ୍ୟାଗ କରିଥିବା ବେଳେ ବିଜେଡି କାହିଁକି ଉପରେ ପଡ଼ି ସମର୍ଥନ କଲା ବୋଲି କୈଫତ ମାଗିଛି କଂଗ୍ରେସ । ଏହା ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ବୋଲି କହିଛି କଂଗ୍ରେସ ।

 ନିର୍ବାଚନ ବେଳେ ବିଜେପି - ବିଜେଡି ପରସ୍ପର ବିରୋଧରେ ବର୍ଷୁଥିଲେ ଆଜି ଲାଗୁଛି ଯେ ଉଭୟ ରାଜ୍ୟ ଆଉ କେନ୍ଦ୍ରରେ ଯେମିତି ମିଳିତ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିବାକୁ ଦାବି କରିଛନ୍ତି ତାରା ବାହିନୀପତି । ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ମୁସଲିମ ମହିଳାଙ୍କ ସୁରକ୍ଷା ପାଇଁ ଏଭଳି ଏକ ଜନ ହିତକର ବିଲ୍ କୁ ବିଜେଡି ସମର୍ଥନ କରିଛି । ବିଜେପି କହିଛି ଏଠି ରାଜନୀତି ନାହିଁ ଜାତୀୟ ସ୍ବାର୍ଥ ଅଛି ।

ପ୍ରଥମେ ଅଶ୍ବୀନି ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାରେ ସମର୍ଥନ, କିଛିଦିନ ତଳେ ଆରଟିଆଇ ସଂଶୋଧନ ବିଲ୍ କୁ ସମର୍ଥନ ଏବଂ ପରେ ଆଣ୍ଟି ଟ୍ରିପିଲ ତଲାକ ବିଲ ଓ ଏକକ ଟ୍ରିବ୍ୟୁନାଲ ବିଲ୍‌କୁ ବିଜେଡି ସମର୍ଥନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.