ବିକାଶର ଗେମ୍ ଓଭର୍ ହେଲେ ରାଜନୈତିକ ଫିଲ୍ଡରେ ଆରମ୍ଭ ହୋଇଛି ବ୍ଲେମ୍ ଗେମ୍ : ପ୍ରଶ୍ନ ଉଠିଛି, ଯେଉଁମାନେ ବିକାଶର ଅପରାଧ ସାମ୍ରାଜ୍ୟକୁ ସୁରକ୍ଷା ଦେଇଥିଲେ ସେମାନଙ୍କର କ’ଣ ହେବ ?
10/07/2020 at 5:42 PM

କାନପୁର ୧୦/୦୭ : ଖାକି ଆଉ ଖଦି । ଏହାକୁ ପିନ୍ଧୁଥିବା ଲୋକଙ୍କ ପାଇଁ ହିଁ ବିକାଶ ଦୁବେ ପରି ଜଣେ ରିଭେଞ୍ଜ ଟେକର୍ ୨୦ ବର୍ଷ ମଧ୍ୟରେ ଅପରାଧ ସାମ୍ରାଜ୍ୟର ଅଜଗର ପାଲଟି ଯାଇଥିଲା । ସେଥିପାଇଁ ତା ମୃତ୍ୟୁ ପରେ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ଛକାପଞ୍ଝା । ସିଧାସିଧା ବିରୋଧୀ ଏନେଇ ଯୋଗୀ ସରକାରକୁ କାଠଗଡ଼ା ଟାଣିଥିବା ବେଳେ ଏହାର ଜବାବ ରଖଛି ବିଜେପି ।
ବିକାଶର ଗେମ୍ ସିନା ଓଭର୍ ହୋଇଛି । ହେଲେ ଏବେ ରାଜନୈତିକ ଫିଲଡ୍ରେ ଆରମ୍ଭ ହୋଇଛି ବ୍ଲେମ୍ ଗେମ୍ । କିଛି ନେତା ଏନେଇ ୟୁପି ପୋଲିସକୁ ପ୍ରଶଂସାରେ ପୋତିଥିବା ବେଳେ ଆଉ କିଛି ଏହା ପଛରେ ପଲିଟିକାଲ ନେକ୍ସସ୍ ଥିବା କହିଛନ୍ତି । ଯେଉଁଭଳି ଢଙ୍ଗରେ ବିକାଶର ଏନକାଉଣ୍ଟର କରାଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ୟୁପିର ଦୁଇ ପୂର୍ବତନ ସିଏମ୍ ଅଖିଳେଶ ଯାଦବ ଓ ମାୟାବତୀ । ଟ୍ବିଟରରେ ଉଭୟ ୟୁପି ସରକାର ଓ ପୋଲିସ ସିଷ୍ଟମକୁ କାଠଗଡ଼ାରେ ଛିଡ଼ା କରିଛନ୍ତି । ବିକାଶ ଦୁବେକୁ ଯେଉଁ ଗାଡ଼ିରେ ନିଆଗଲା ସେହି ଗାଡ଼ି ଓଲଟିନଥିଲା । ବରଂ ଯୋଗୀ ସରକାରରୁ ଭୁଶୁଡ଼ିବାରୁ ବଞ୍ଚାଇବା ପାଇଁ ଗାଡ଼ି ଓଲଟିବାର ନାଟକ କରାଯାଇଥିବା ଟ୍ବିଟ୍ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ । ସେହିପରି ମାୟାବତୀ ଜଣେ ସୁପ୍ରିମକୋର୍ଟ ଜଜ୍ଙ୍କ ନେତୃତ୍ବରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଏନକାଉଣ୍ଟରକୁ ନେଇ ଯୋଗୀ ସରକାରକୁ ପରୋକ୍ଷରେ କାଠଗଡ଼ାରେ ଛିଡ଼ା କରିଛନ୍ତି । ଅପରାଧୀକୁ ଏନକାଉଣ୍ଟର କରି ନିପାତ କରାଗଲା । ତେବେ ଯେଉଁମାନେ ବିକାଶକୁ ଓ ତାର ଅପରାଧ ସାମ୍ରାଜ୍ୟକୁ ସୁରକ୍ଷା ଦେଇଥିଲେ ସେମାନଙ୍କର କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମଧ୍ୟ ନ୍ୟାୟ ପ୍ରଦାନ କରିବା ନ୍ୟାୟପାଳିକାର କାମ ବୋଲି ଲେଖିଛନ୍ତି । ସେପଟେ ସିପିଆଇଏମ ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ କାନପୁର ଏନକାଉଣ୍ଟରକୁ ନେଇ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି
ସେପଟେ ଏହାର ଜବାବ ରଖିଛି ବିଜେପି । ପ୍ରଶ୍ନ ଉଠାଇବା ବିରୋଧୀ ଦଳଙ୍କ କାମ । ଗତକାଲି ବିକାଶ ଗିରଫ ହେବା ପରେ ଯେଉଁମାନ କାହିଁକି ଏନକାଉଣ୍ଟର କରାନଗଲା ବୋଲି ପ୍ରଶ୍ନ କରୁଥିଲେ, ସେମାନେ ଆଜି ଏନକାଉଣ୍ଟର ପରେ ପୁଣି କେମିତି ପ୍ରଶ୍ନ ଉଠାଉଛନ୍ତି ବୋଲି ପାଲଟା ପ୍ରଶ୍ନ ପଚାରିଛି ବିଜେପି ।
ତେବେ ବିକାଶର ବିନାଶ ପରେ ସେ କେଉଁ ମାନଙ୍କ ସହ ସମ୍ପୃକ୍ତ ଥିଲା ତାହା ମଧ୍ୟ ଅନ୍ଧାରରେ ରହିଗଲା । ଯେଉଁଥିପାଇଁ ସେମାନେ ଏବେ ଟିକେ ଶାନ୍ତିରେ ନିଶ୍ବାସ ମାରୁଥିବେ ।