ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଗଛ କଟାକୁ ନେଇ ସରଗରମ ରାଜନୀତି

Published By : Prameya-News7 Bureau | November 18, 2018 IST

ଢେଙ୍କାନାଳ ୧୮/୧୧ : ଢ଼େଙ୍କନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରିକୁ ପାଇଁ ଗଛ କାଟାଯିବା ଏବେ ଢେଙ୍କାନାଳ ଡେଇଁ ରାଜଧାନୀର ହଟ୍‌ ଟପିକ୍‌ ହୋଇଛି। ମୁଖ୍ୟମନ୍ତ୍ରୀଏହାର ତଦନ୍ତ ସହିତ ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ତେବେ ବିରୋଧୀ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି ।  ଏପଟେ ବଳରାମପୁର ଗାଁ ଲୋକେ ମଦ ଫ୍ୟାକ୍ଟ୍ରି କାମ ବନ୍ଦ କରିବାକୁ ଦାବି କରିଛନ୍ତି। ମୃତ ବୃକ୍ଷର ଅନ୍ତ୍ୟେଷ୍ଟି । ଚାଲିଛି ଭଜନ ସଂକୀର୍ତ୍ତନ। କଟାଗଣ୍ଡି ତଳେ ହେଉଛି ବୃକ୍ଷ ରୋପଣ।  ପାଣି ଦେଉଛନ୍ତି । ମହାପ୍ରସାଦ ସେବନ ବି ହେଉଛି । ଏ ହେଉଛି ଢେଙ୍କାନାଳ ବଳରାମ ପୁରର ଦୃଶ୍ୟ। ସେହି ବଳରାମପୁର ଯେଉଁଠାରେ ବିୟର ଫ୍ୟାକ୍ଟ୍ରି ପାଇଁ ଦିନଦିନ ଗଡ଼ିଛି ପ୍ରାୟ ୬ଶହ ଗଛ । ଗାଁ ଲୋକେ ଏହାକୁ ବରଦାସ୍ତ କରିବା ମୁଡରେ ନାହାନ୍ତି । ଗାଁ ଲୋକେ ସିଧା ସିଧା ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି।  ମରିବେ ପଛେ  ମଦ ଫ୍ୟାକ୍ଟ୍ରି ନିର୍ମାଣ କରାଇଦେବେ ନାହି । ବଳରାମପୁର ଆଞ୍ଚଳିକ ପରିବେଶ ସୁରକ୍ଷା ସମିତି ସେଠାରେ ରଣହୁଂକାର ଦେଇଛି। ସଂପୃକ୍ତ ସ୍ଥାନରୁ ହଜାରେରୁ ଅଧିକ ଗଛ କଟାଯାଇଥିବା ଅଭିଯୋଗ କରିଛି ।  ଘଟଣା ସ୍ଥଳରେ ବିଭିନ୍ନ ରାଜନୈତିକ ଦଳର ନେତା ବି ଡେରା ପକାଇବା ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ଗଛ କାଟିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଆରଡିସି ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ବେ ବି ଥମିନି ରାଜନୀତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି  ଆଇନ ଅନୁସାରେ କେନ୍ଦ୍ରର ବିନା ଅନୁମତିରେ ଗଛ କଟାଯାଇ ପାରିବନି । ଜୋର ଜବରଦସ୍ତ ଗଛ କଟା ହୋଇଛି, ଯାହା  ବେଆଇନ  ଓ ଅପରାଧ । ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହିଁକି ନିର୍ଦ୍ଦେଶ ଦିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ବି ସମାଲୋଚନା କରିଛି । ସେପଟେ ବିଜେଡି କହିଛି  ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । P&A ବଟଲ୍ସ ପ୍ରାଇଭେଟ ଲିମିଟେଡ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଇଡକୋରୁ ୧୨ ଏକର ଜମି ନେଇଛି । ଯେଉଁଥିପାଇଁ ଚାଲିଥିଲା ବ୍ୟାପକ ଗଛ କଟା।  ପ୍ରଶ୍ନ ଉଠୁଛି ଯଦି ବିୟର ଫ୍ୟାକ୍ଟି ରାଜ୍ୟ ପାଇଁ ନିହାତି ଆବଶ୍ୟକ ତେବେ କରାଯାଉ କିନ୍ତୁ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଶହ ଶହ ଗଛ ବଳିପକାଇବାରେ କେଉଁ ବିକାଶ ବାନା ଉଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.