ତିତଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟା ମୁକାବିଲା ବିଫଳତାକୁ ନେଇ ବଢୁଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି

Published By : Prameya-News7 Bureau | October 14, 2018 IST

ଭୁବନେଶ୍ୱର ୧୪/୧୦ : ତିତିଲି ପରିବର୍ତ୍ତୀ ସ୍ଥିତି ଓ ବନ୍ୟାକୁ ନେଇ ଲୋକଙ୍କ ଦୁର୍ଦଶା କମିନି । ସ୍ଥିତିକୁ ନେଇ ସଚିବାଳୟରେ ଚାଲିଥିଲା ପ୍ରଶାସନିକ ସମୀକ୍ଷା । ପରିସ୍ଥିତିରେ ସୁଧାର ଆସିଛି ଓ ୨୪ ଘଣ୍ଟାରେ ସ୍ଥିତି ସ୍ବାଭାବିକ ହେବ ବୋଲି ସରକାର କହିଛନ୍ତି । ହେଲେ ଏପଟେ ରିଲିଫ, ଉଦ୍ଧାର ଓ ମୃତ୍ୟୁ ସଂଖ୍ୟାକୁ ନେଇ ବଢି ଚାଲିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ତିନୋଟି ଜିଲ୍ଲା ସ୍ଥିତି ଅନୁଧ୍ୟାନରୁ ଫେରି ବିଜେପି ଟିମ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଟ୍ୟୁଟି କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହାର ଜବାବ ରଖିଛି ବିଜେଡି । ତିତଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟା ମୁକାବିଲା ବିଫଳତାକୁ ନେଇ ବଢୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଖାମଖିଆଳି ବିପର୍ଯ୍ୟୟ ପରିଚାଳନା ଓ ସରକାରଙ୍କ ସମ୍ବେଦନଶୀଳତାରୁ ରାଜ୍ୟବାସୀ ଦୁର୍ଦଶାରେ ପଡିଛନ୍ତି ବୋଲି କହି ସରକାରଙ୍କ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଟ୍ବିଟ କରି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ବାତ୍ୟା ଓ ବନ୍ୟା ମୃତ୍ୟୁକୁ ଦେଇ ରଖିଥିବା ବୟାନ ଓ ସରକାରଙ୍କ ଜିରୋ କାଜୁଆଲଟି ଉପରେ ସରକାରୀ ଅଧିକାରୀଙ୍କ ବୟାନକୁ ବି ସମାଲୋଚନା କରିଛନ୍ତି । ସେପଟେ ଗଞ୍ଜାମ, ଗଜପତି ଓ ରାୟଗଡାରେ ବାତ୍ୟା ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବିଜେପି ଟିମ ସାମ୍ବାଦିକ ସମ୍ମଳନୀ କରି ଲୋକଙ୍କ ଦୁର୍ଦଶା କଥା ବଖାଣି ସରକାରଙ୍କୁ ଘେରିଛନ୍ତି । ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତାରୁ 45 ଜଣଙ୍କର ମୃତ୍ୟୁ ହୋଇଥିବା ବିଜେପି ହିସାବ ଦେଇଛି । 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ତଥ୍ୟକୁ ନେଇ ବି ପ୍ରଶ୍ନ ଉଠାଇଛି ଦଳ । ଏସଆସିଙ୍କୁ ପଦବୀରୁ ହଟାଇବାକୁ ଦାବି କରିଛି । ସେପଟେ ଜବାବରେ ବିଜେଡି କହିଛି ବିଜେପି କେବଳ ଏହାକୁ ନେଇ ରାଜନୀତି କରୁଛି । କେନ୍ଦ୍ରମନ୍ତ୍ରୀଙ୍କୁ ପାଲଟା ଟାର୍ଗେଟ କରି ବିଜେଡି କହିଛି ମନ୍ତ୍ରୀ କେବଳ ଫଟୋ ନଉଠାଇ କେନ୍ଦ୍ରର ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇ ପୁନରୁଦ୍ଧାର କାମକୁ ତ୍ବରାନ୍ବିତ କରନ୍ତୁ । ସେପଟେ ବାତ୍ୟା ଓ ବନ୍ୟା ପରିବର୍ତ୍ତୀ ରିଲିଫ ଓ ଉଦ୍ଦାର କାର୍ଯ୍ୟର ସମୀକ୍ଷା କରିଛନ୍ତି ସରକାର । ସଚିବାଳୟରେ ଗଞ୍ଜାମ, ଗଜପତି ଓ ରାୟଗଡାରେ ସ୍ଥିତି ଉପରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ଗଞ୍ଜାମ ଓ ରାୟଗଡା ଜିଲାରେ ସ୍ଥିତିରେ ସୁଧାର ଆସିଥିବାବେଳେ ଗଜପତି ଜିଲାର ସ୍ଥିତି ସଙ୍ଗୀନ ରହିଛି । ଏବେବି କିଛି ଲୋକ ପାଣି ଘେରରେ ଅଛନ୍ତି । ଉଦ୍ଧାର କାମକୁ ତ୍ବରାନ୍ବିତ କରିବାକୁ ଆହୁରି ତିନୋଟି ଓଡ୍ରାଫ ଟିମ ଓ ଦୁଇ ଏନଡିଆରଏଫ ଟିମ ମତୟନ କରାଯାଉଛି । ସେହିପରି ପାହାଡ ଧସି ମୃତ୍ୟୁ ବରଣ କରିଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ଫା ମୂଳକ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହା ସହ ଗଜପତି ଜିଲ୍ଲାର ସ୍ଥିତି ସ୍ବଭାବିକ ନହେବାଯାଏ ବିଭିନ୍ନ ବିଭାଗର ମୁଖ୍ୟ ଜିଲାରେ ସ୍ବତନ୍ତ୍ରଭାବେ କ୍ୟାମ୍ପ କରି ରହିବେ । ସ୍ବାସ୍ଥ୍ୟ, ଜଳଯୋଗାଣ, ରାସ୍ତାଘାଟ ଭଳି ସମସ୍ୟାଗୁଡିକର ତୁରନ୍ତ ସମାଧାନ କରାଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଏସଆରସି । ତିତିଲି ଓ ବନ୍ୟା ଅନେକ କିଛି ଉଜାଡି ଦେଇଛି । ଆଉ ଲୋକଙ୍କୁ ସମବେଦନା ଓ ନାଁରେ ଆରମ୍ଭ ହୋଇଛି ରାଜନୈତିକ କାଦୁଅ ଫିଙ୍ଗା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.