ରାଜନୀତି ଚକ୍ରବ୍ୟୁହରେ କୋଷ୍ଟାଲ ହାଇ-ୱେ : ସମ୍ପୂର୍ଣ୍ଣ ଭାବେ ସମୁଦ୍ର କୂଳ ଦେଇ ନେବାକୁ ରାଜ୍ୟ ସରକାର ଦାବି, ମାନୁନି ଏନ.ଏଚ୍
13/02/2019 at 7:18 PM

ଭୁବନେଶ୍ବର ୧୩|୨; ଛିଣ୍ଡୁନି କୋଷ୍ଟାଲ ହାଇୱେ ଅଙ୍କ । ରାଜ୍ୟ ସରକାର ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା । ଆଜି ସଚିବାଳୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ କିଛି ଠୋସ୍ ନିଷ୍ପତି ହୋଇପାରିନି । କୋଷ୍ଟାଲ ହାଇୱେ ସମ୍ପୂର୍ଣ୍ଣ ଭାବେ ସମୁଦ୍ର କୂଳ ଦେଇ ଯିବାକୁ ରାଜ୍ୟ ସରକାର ଦାବି କରୁଥିବା ବେଳେ ଏନ.ଏଚ୍ କର୍ତ୍ତୃପକ୍ଷଙ୍କ ଯୁକ୍ତି ସବୁ ସ୍ଥାନରେ ଏହା ସମ୍ଭବ ନୁହେଁ।…

ରାଜନୀତି ଚକ୍ରବ୍ୟୁହରେ କୋଷ୍ଟାଲ ହାଇ-ୱେ । ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଭିତରେ ଛିଣ୍ଡୁନି ଅଙ୍କ । ୪ ଥର ଉଚ୍ଚ ସ୍ତରୀୟ ବୈଠକ ବସିଲାଣି ହେଲେ କାମ ଆଗେଇବା ଦୂରକଥା ଟେଣ୍ଡର ଫୈସଲା ହୋଇପାରୁନି । କଥା ରହିଛି ସମୁଦ୍ର କୂଳରୁ କେତେ ଦୂରରେ ଯିବ କୋଷ୍ଟାଲ ହାଇ-ୱେ । କେତେକ ସ୍ଥାନରେ ସମୁଦ୍ର ଉପକୂଳରୁ ଏନ୍.ଏଚ ଦୂରତା ୮ରୁ ୧୦ କିମି ରହୁଥିବାରୁ ଏହାକୁ ବିରୋଧ କରୁଛି ରାଜ୍ୟ ।

ରାଜ୍ୟ ସରକାରଙ୍କ ଯୁକ୍ତି ଯେ ଏହା କୋଷ୍ଟାଲ ହାଇ-ୱେ ହୋଇଥିବାରୁ ସମୁଦ୍ର କୂଳ ଦେଇ ରାସ୍ତା ଯାଉ । କିନ୍ତୁ ଏନ.ଏଚ୍ କର୍ତ୍ତୃପକ୍ଷଙ୍କ ଯୁକ୍ତି ଯେ, କେତେକ ସ୍ଥାନରେ ଏହା ସମ୍ଭବ ନୁହେଁ । ବିଶେଷ କରି ପୁରୀ- ସାତପଡ଼ା, କୋଣାର୍କ- ଅସ୍ତରଙ୍ଗ, ଦୀଘା-ତାଳସାରୀ ନିକଟରେ କୋଷ୍ଟାଲ ହାଇ-ୱେ ସମୂଦ୍ର କୁଳରୁ ଦୂରରେ ନନେବାକୁ ରାଜ୍ୟ ସରକାର ଦାବି କରୁଛନ୍ତି।

ଏଭଳି ଛକାପଞ୍ଝା ପଛରେ ରହିଛି ରାଜନୀତି । ଭାରତମାଳା ପରିଯୋଜନାରେ ଓଡିଶାରେ ହେବାକୁ ଥିବା ଦୀଘା- ଗୋପାଳପୁର କୋଷ୍ଟାଲ ହାଇ-ୱେ ୨୦୧୭ ସୁଦ୍ଧା ସରିଥାନ୍ତା । ଏଥିପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତେ । କିନ୍ତୁ ଏହି ଯୋଜନା ଆରମ୍ଭ ହେଲେ କାଳେ ବିଜେପି ନାଁ ନେଇଯିବ ସେଥିପାଇଁ ବିଜେଡି ଜାଣିଶୁଣି ବିଳମ୍ବ କରୁଛି ବୋଲି ବିଜେପି ଅଭିଯୋଗ କରୁଛି । ଏମିତିକି ବିଜେଡିର କିଛି ନେତାଙ୍କ ଜମି ଦେଇ ଏହି ପ୍ରକଳ୍ପ ଯାଉନଥିବାରୁ ଏହାକୁ ବିରୋଧ ହେଉଛି ବୋଲି ମଧ୍ୟ ବିଜେପି କହୁଛି । ସେପଟେ ବିଜେଡିର ଅଭିଯୋଗ ଯେ କୋଷ୍ଟାଲ ହାଇ-ୱେ କହି କେନ୍ଦ୍ର ସରକାର କିଛି ପୁରୁଣା ରୋଡ ଉପରେ ଏହି ପ୍ରକଳ୍ପ ନେବାକୁ ଚାହୁଁଛନ୍ତି । ଯାହାକି ସମୁଦ୍ରଠାରୁ ବହୁ ଦୂରରେ ଅଛି ।

ଦୀଘା-ଗୋପାଳପୁର କୋଷ୍ଟାଲ ହାଇ-ୱେ ହେଲେ ଓଡ଼ିଶାର ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିବ । କିନ୍ତୁ ବିଜେଡି-ବିଜେପିର ଦୋଷଠେଲା ରାଜନୀତି ଭିତରେ ଅଟକିଗଲା ଜାତୀୟ ରାଜପଥ.