ତାଳଚେର ସାର କାରଖାନାର ଶିଳାନ୍ୟାସ ପରେ ଶ୍ରେୟକୁ ନେଇ ଜୋର ଧରିଛି ରାଜନୀତି

Published By : Prameya-News7 Bureau | September 23, 2018 IST

ତାଳଚେର ୨୩/୯ : ଶିଳାନ୍ୟାସ ହୋଇଛି । କାମ ସରୁ ସରୁ ୩ ବର୍ଷ ଲାଗି ଯିବ । ହେଲେ ଶ୍ରେୟ ରାଜନୀତିର ସେଣ୍ଟର ଷ୍ଟେଜରେ ଏବେ ତାଳଚେର ସାର କାରଖାନା । ନିର୍ବାଚନ ପୂର୍ବରୁ ମାଇଲେଜ ଚକ୍କରରେ ସବୁ ଦଳ ସାର କାରଖାନା ଲାଗି କଣ କଣ କରିଛନ୍ତି ତାହାର ଗୋଟି ଗୋଟି କରି ହିସାବ ଥୋଉଛନ୍ତି । ଆଉ ପରସ୍ପରକୁ ଆଟାକ୍ ବି କରୁଛନ୍ତି । ତାଳଚେର ସାରକାରଖାନା ପୁନୋରୁଦ୍ଧାର ଲାଗି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ତାହା ସହ ଏହାର ଶ୍ରେୟ କିଏ ନେବ ତାହାର ବି ଶିଳାନ୍ୟାସ ହେବା ପରି ଲାଗୁଛି । କେନ୍ଦ୍ରର ବିଜେପି ସରକାର ଏହାର ଶ୍ରେୟ ନେବାକୁ ପୂରା ଦମରେ ଲାଗିଥିବା ବେଳେ ଏଥିରେ ନାକ ପୂରାଇ ବାଟ ଓଗାଳୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏହି କାରଖାନାର ପୁନୋରୁଦ୍ଧାର ଲାଗି ଉପା ସରକାର ସମୟରେ ୨୦୧୩ ମସିହାରୁ ଏମଓୟୁ ସରିଥିବା ବେଳେ କାହିଁକି ସାଢେ ୪ ବର୍ଷ ହେଲା ଏହି କାର୍ଯ୍ୟକୁ ଅଟକା ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ଏଥିଲାଗି କାମ ତ ବିଳମ୍ବ ହେଲା, ତାହା ସହ ବ୍ୟୟ ଅଟକଳ ୯ ହଜାର କୋଟିରୁ ଯାଇ ୧୩ ହଜାର କୋଟିରେ ପହଞ୍ଚିଲା ବୋଲି ଶ୍ରୀକାନ୍ତ ହିସାବ ଥୋଇଛନ୍ତି । ସେପଟେ ଶ୍ରୀକାନ୍ତଙ୍କ ଅଭିଯୋଗର ପାଲଟା ଜବାବ୍ ଦେଇଛି ବିଜେପି । ଯଦି କଂଗ୍ରେସର ତାଳଚେର ସାର କାରଖାନାକୁ ନେଇ ସତରେ ଆନ୍ତରିକତା ଥିଲା ତାହେଲେ ଉପା ସରକାର ୧୦ ବର୍ଷ ଭିତରେ କାହିଁକି ଏହି କାମ ସାରିଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ସେପଟେ ସାରକାରଖାନାରୁ ରାଜ୍ୟକୁ କଣ ଲାଭ ମିଳିବ ତାକୁ ନେଇ ବି ଆରମ୍ଭ ହେଲାଣି ପଲିଟିକାଲ ବୟାନବାଜି । ଆଇଓସିଏଲରେ ରାଜ୍ୟର ଯୁବକଙ୍କୁ ଆଶା ଅନୁଯାୟୀ ନିଯୁକ୍ତି ମିଳି ନ ଥିଲା ବେଳେ ସାର କାରଖାନାକୁ ନେଇ ବି ସମାନ ଆଶଙ୍କା ଥିବା କହିଛି ବିଜେଡି । ସେପଟେ କଂଗ୍ରେସ କହିଛି, ସାର କାରଖାନାରେ ସମୁଦାୟ ୭୬୦ ନିଯୁ୍କ୍ତି ସୁଯୋଗ ଥିବା ବେଳେ କେଉଁ ଆଧାରରେ ମୋଦି ସାଢେ ୪ ହଜାରର ନିଯୁ୍କ୍ତି କଥା କହିଲେ । ଆଉ ଏ ସବୁ ପ୍ରଶ୍ନର କାଉଣ୍ଟର ଆଟାକ୍ କରିଛି ବିଜେପି । ଛତିଶ ମାସରେ କାମ ସରିବ । କାରଖାନାରୁ ବାର୍ଷିକ ୧.୨୭ ମିଲିୟନ୍ ମେଟ୍ରିକ ଟନ୍ ଯୁରିଆ ଉତ୍ପାଦନ ହେବ । ଗତକାଲି ଏହି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଠିକ୍ ସେହି ମଞ୍ଚରେ ଓଡ଼ିଶାର ଚାଷୀଙ୍କ ଲାଗି ଉତ୍ପାଦିତ ୟୁରିଆର ୫୦ ପ୍ରତିଶତର ଦାବି ଉଠାଇଥିଲେ ନବୀନ । ଯାହା ସୂଚାଇ ଦେଇଥିଲା ଶ୍ରେୟ ରାଜନୀତିରେ ଆଗକୁ ସେଣ୍ଟର ଷ୍ଟେଜରେ ରହିବ ସାର କାରଖାନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.