Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଲେମ୍ବୁ ରାଜନୀତି କାହିଁକି ? ନେହେରୁଙ୍କଠୁ ଆରମ୍ଭ କରି କଲାମଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଙ୍ଗିଛନ୍ତି ନଡିଆ, ଜାଣନ୍ତୁ ପୂରା କାହାଣୀ

11/10/2019 at 12:59 PM

ନୂଆଦିଲ୍ଲୀ ୧୧|୧୦: ବାସ୍‌ ଗୋଟାଏ ଲେମ୍ବୁ । ଦୂର ହେବ ଅନେକ ରୋଗ । ଦୁର୍ଗନ୍ଧ କମିବ, ଚକାଚକ୍‌ ହେବ ଘର । ହଁ ଆଜ୍ଞା ଲେମ୍ବୁର ଅନେକ ଔଷଧୀୟ ଗୁଣ ଭରି ରହିଛି । ତେଣୁ ସବୁଠି ଏହାର ଆଦର । ଏଇ ଲେମ୍ବୁ କିନ୍ତୁ ଏବେ ଦେଶର ରାଜନୀତିକୁ ଉଠାପକା କରୁଛି । ରାଫେଲ୍ ଗତିକୁ ବି ପଛରେ ପକାଇ ଦେଇଛି। ଫ୍ରାନ୍ସ ରୁ ନୂଆ ଦିଲ୍ଲୀ, ସବୁଠି ଲେମ୍ବୁ  ଚର୍ଚ୍ଚା । ଏ ଲେମ୍ବୁ ଉପାଖ୍ୟାନ କଥା କାହିଁକି ଆମେ ଶୁଣାଉଛୁ ଏକଥା ଆପଣ ଜାଣି ଯିବେଣି ନିଶ୍ଚୟ । କଥା ହେଉଛି ବିଜୟା ଦଶମୀ ଦିନ ଫ୍ରାନ୍ସ ଭାରତକୁ ପ୍ରଥମ ରାଫେଲ୍ ବିମାନ ହସ୍ତାନ୍ତର କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଗ୍ରହଣ କରି ରାଫେଲରେ ଶସ୍ତ୍ର ପୂଜା କରିଥିଲେ । ସିନ୍ଦୁର, ଚନ୍ଦନ, ନଡିଆ, ଫୁଲ ଅର୍ପଣ କରିଥିଲେ । ରାଫେଲ ଚକାତଳେ ରଖିଥିଲେ ଲେମ୍ବୁ  । ଏହି ପୂଜାକୁ  ନେଇ ଚାଲିଛି ବାଦ-ବିବାଦ, ତର୍କ-ବୀତର୍କ ।

ରାଫେଲ ଭାରତରେ ପହଞ୍ଚିନି, କିନ୍ତୁ ଏହାକୁ ନେଇ ବହୁଥିବା ଝଡ ରାଫେଲର ଗତିକୁ ପଛରେ ପକାଇ ଦେଇଛି । ରାଫେଲକୁ ନେଇ ନୁହେଁ, ଏଥର ରାଫେଲ ପୂଜାକୁ ନେଇ ଚାଲିଛି  ଆଟାକ୍ ଏବଂ କାଉଣ୍ଟର ଆଟାକ୍ । କାରଣ ରାଜନାଥ ଙ୍କ ଶସ୍ତ୍ର ପୂଜା କିଛିଙ୍କୁ ହଜମ ହୋଇନି । ଏହାକୁ ଧର୍ମ ସହ ଯୋଡି ସେମାନେ ବିଜେପିକୁ କାଠ ଗଢାରେ ଠିଆ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏତିକି ବେଳେ  ଆସ୍ଥା, ପରମ୍ପରା ଓ ସଂସ୍କୃତିର ପାଠ ପଢାଇବାକୁ ଚେଷ୍ଟା କରିଛି ବିଜେପି ।

ରାଜନାଥଙ୍କ ଲେମ୍ବୁ, ନଡିଆ ପୂଜାକୁ କଂଗ୍ରେସ ତାମସା କହିଥିବା ବେଳେ ସଂସ୍କୃତି ଓ ପରମ୍ପରାର ପାଠ ପଢାଇଛି ବିଜେପି । ଏମିତିକି ସିଧା ସଳଖ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ କିନ୍ତୁ ଏକଥା ଭୁଲି ଯାଇଛନ୍ତି ଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହାକୁ କଟାକ୍ଷ୍ୟ କରିଥିଲେ । ଏହା ପୂର୍ବରୁ କିନ୍ତୁ ପଣ୍ଡିତ ନେହେରୁ, ସ୍ବର୍ଗତ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ବି ପୂଜା କରିଛନ୍ତି । ସର୍ବ ଧର୍ମର ବାର୍ତ୍ତା ଦେଇଛନ୍ତି । ତେବେ ଏବେ ଏହାକୁ ନେଇ ଏତେ ତର୍କ କାହିଁକି ?

ଫ୍ରାନ୍ସରେ ଆକ୍ସନ । ଭାରତରେ ରିଆକ୍ସନ । ଭାରତରେ ପହଞ୍ଚିବା ପୂର୍ବରୁ ଝଡ଼ ସୃଷ୍ଟି କରିଛି ଲଡାଖୁ ବିମାନ ରାଫେଲ୍ । ବିଜୟାଦଶମୀରେ ଫ୍ରାନ୍ସର ବୋର୍ଦ୍ଦୁ ସହରରେ ରାଫେଲ ପୂଜା ହେଲା । ପ୍ରତିରକ୍ଷରା ମନ୍ତ୍ରୀ ରାଜନାଥ ସିଂହ ରାଫେଲରେ ଶସ୍ତ୍ର ପୂଜା କଲେ । ନୂଆ ଯୁଦ୍ଧ ବିମାନରେ ଶକ୍ତି ଓ ଶାନ୍ତିର ସ୍ବର ଓଁ ଲେଖିଲେ । ବିଶ୍ବାସର ଡୋରି ବନ୍ଧିଲେ । ବିମାନ ଉପରେ ପରମ୍ପରାର ନଡ଼ିଆ ରଖିଲେ  । ଅଶୁଭ ଦୃଷ୍ଟି କାଟିବା ପାଇଁ ରାଫେଲ ଚକ ତଳେ ଥୁଆଗଲା ଲେମ୍ବୁ । ରାଫେଲ ବିମାନକୁ ଗ୍ରହଣ କରିବାକୁ ଯିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଙ୍ଗରେ ଲେମ୍ବୁ, ନଡ଼ିଆ ସହ ନାଲି ସାଲୁକନା ଧରି ଯାଇଥିଲେ । ସୁଦୂର ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ରାଫେଲ ବିମାନକୁ ଗ୍ରହଣ କଲେ, ସେତେବେଳେ ସେଠାରେ ଦେଖିବାକୁ ମିଳିଥିଲା ଏହି ମହାନ୍‌ ଭାରତୀୟ ପରମ୍ପରାର ଝଲକ୍‌।

ଏଯାଏ ରାଫେଲ ଭାରତକୁ ଆସିନି, କିନ୍ତୁ ତା ପୂର୍ବରୁ ରାଫେଲ ପୂଜାକୁ ନେଇ ରାଜନୈତିକ ଦରିଆରେ ଆସିଛି ସୁନାମି । ଫ୍ରାନ୍ସରେ ଲେମ୍ବୁ ଚପା ସରୁ ନସରୁ ଭାରତରେ ଦେଖିବାକୁ ମିଳିଥିଲା ରିଆକ୍ସନ । କଂଗ୍ରେସକୁ ଯେମିତି ଏହା ଲଙ୍କା ଲାଗିବା ଭଳି ହୋଇଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଶସ୍ତ୍ର ପୂଜାକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ । ଏହାକୁ ତାମସା ବୋଲି କହିଛନ୍ତି । କଂଗ୍ରେସ ସମୟରେ କୌଣସି ଅସ୍ତ୍ରଶସ୍ତ୍ର ହାସଲ କଲାବେଳେ ପୂଜା ହେଉନଥିଲା ବୋଲି କହିଛନ୍ତି । କଂଗ୍ରେସ ନେତା ଉଦିତ ରାଜ୍ ଆଉ ପାଦେ ଆଗକୁ ଯାଇ ବିଜେପିକୁ ନିଶାନା ସାଧିଛନ୍ତି ।  ଲେମ୍ବୁ, ଲଙ୍କା ଓ ନଡ଼ିଆରେ ଯଦି ଏତେ ଶକ୍ତି ଅଛି, ତେବେ ରାଫେଲର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି ଉଦିତ ।

ଅବଶ୍ୟ କଂଗ୍ରେସ ନେତାଙ୍କୁ ଏହାର ଜବାବ ପାଇଁ ବିଜେପିକୁ ଅପେକ୍ଷା କରିବାକୁ ପଡିନଥିଲା । କାରଣ ଖଡଗେ, ରାଜୀବ ତ୍ୟାଗୀ ଏବଂ ଉଦିତ ରାଜଙ୍କ ପ୍ରଶ୍ନର କଡା ଜବାବ ରଖିଥିଲେ ନିଜ ଦଳର ନେତା ସଂଜୟ ନିରୂପମ । କଂଗ୍ରେସ ପାର୍ଟି ଲାଇନ୍ ବାହାରେ ରହିଥିବା ସଂଜୟ ନିରୁପମ ତୁରନ୍ତ ରିଆକ୍ଟ କରିଥିଲେ । ମହାରାଷ୍ଟ୍ରରେ ଟିକେଟ୍ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ନିରୁପମ ଖଡ୍‌ଗେଙ୍କୁ ହିଁ କାଠଗଡ଼ାକୁ ଟାଣିଛନ୍ତି ।

ଆଗକୁ ବାୟୁ ସେନାର ମଉଡମଣି ପାଲଟିବାକୁ ଯାଉଛି ରାଫେଲ । ହେଲେ ସେନାରେ ସାମିଲ ପୂର୍ବରୁ ରାଫେଲଠାରୁ ବି ଅଧିକ ବେଗରେ ବ୍ୟାପୁଛି ରାଜନୈତିକ ଝଡ଼ । କେବଳ କଂଗ୍ରେସ ନୁହଁ, ଅନ୍ୟ ରାଜନୈତିକ ଦଳ ବି ଏ ପ୍ରସଙ୍ଗରେ ଟିକ୍କା ଟୀପଣୀ କରିବାକୁ ପଛାଇ ନାହାନ୍ତି । ଅଲକା ଲାମ୍ବାଙ୍କ ଭଳି କିଛି ନେତା ଟୁଇଟର ପୃଷ୍ଠାରେ ବି ପ୍ରତିକ୍ରିୟା ରଖିଛନ୍ତି । ରାଫେଲରେ ବସି ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ ବୈତରଣୀ ପାର୍ ହେବା ଚକ୍କରରେ ଥିବା ବିଜେପି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିବା ମୁଡ ରେ ନାହିଁ । ସେଥିପାଇଁ ତ ଗୃହମନ୍ତ୍ରୀ ଅମିତ ଶାହା ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ଉପରେ ଶାଣିତ ଆକ୍ରମଣ କରିଛନ୍ତି । କଂଗ୍ରେସ ନେତାଙ୍କ ବୟାନକୁ ଶାହା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସଂସ୍କାର ସହ ଯୋଡ଼ିଛନ୍ତି ।

ରାଫେଲ ପୂଜାକୁ ନେଇ ଏତେ କଳି କାହିଁକି ?  ଯଦି ଭାରତରୁ ହଜାରେ କିଲୋମିଟର ଦୂର ଫ୍ରାନ୍ସରେ ଆମ ସଂସ୍କୃତି ଏବଂ ଆସ୍ଥା ପରମ୍ପରାର ଝଲକ ଦେଖିବାକୁ ମିଳିଲା ଏଥିରେ ସମସ୍ୟା କେଉଁଠି ?  ଶସ୍ତ୍ର ପୂଜାକୁ ସମାଲୋଚନା କରି ବିରୋଧୀ କି ବାର୍ତ୍ତା ଦେବାକୁ ଚାହାଁନ୍ତି ?  ଏ ପ୍ରଶ୍ନର ଉତ୍ତର ଖୋଜିବା ବେଳକୁ ଆସୁଛି ଧର୍ମର କଥା । ଯାହାକୁ ନେଇ ରିଆକ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ସଲମାନ ଖୁର୍ସିଦ । ରାଫେଲରେ ଶସ୍ତ୍ର ପୂଜାକୁ ସେ ଧର୍ମ ସହ ଯୋଡିଛନ୍ତି, ଧର୍ମନୀରପେକ୍ଷତାର କଥା ଉଠାଇଛନ୍ତି । 

ଅବଶ୍ୟ ଖୁର୍ସିଦ ସିନା ଏବେ ଶସ୍ତ୍ର ପୂଜାକୁ ଧର୍ମ ସହ ଯୋଡି ବିରୋଧ କରିଛନ୍ତି, କିନ୍ତୁ  ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଲଙ୍କା, ଲେମ୍ବୁ ପୂଜାକୁ କଟାକ୍ଷ୍ୟ କରିଥିଲେ । ସେତେବେଳେ କିନ୍ତୁ ବିଜେପି ନେତା କିମ୍ବା ଅନ୍ୟ କେହି ଏହା ଉପରେ କିଛି ପ୍ରତିକ୍ରିୟା ଦେଇନଥିଲେ । ଏବେ କିନ୍ତୁ ଯୋଗ ଗୁରୁ ବାବା ରାମଦେବ ଶସ୍ତ୍ର ପୂଜା ସପକ୍ଷରେ ବାହାରିଛନ୍ତି । ହିନ୍ଦୁ ଧର୍ମର ରୀତିନୀତି କଥା ଉଠାଇଛନ୍ତି ।

ଏଇତ କଲା ଆଟାକ୍ ଆଉ କାଉଣ୍ଟର ଆଟାକ୍ ର କଥା । ଏବେ ଆମେ ଆପଣଙ୍କୁ କିଛି ଚିତ୍ର ଦେଖାଇବୁ । ଯାହା ଦେଖିଲେ ଆପଣ ବୁଝି ଯିବେ,  ପୂର୍ବରୁ କିପରି ଏମିତି ପୂଜା କରାଯାଇଛି । ଏ ଦୃଶ୍ୟ ୭୧ ବର୍ଷ ତଳର । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କାର୍ଯ୍ୟକାଳରେ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ୧୪ ମାର୍ଚ୍ଚ, ୧୯୪୮ ।  ସ୍ବାଧୀନ ଭାରତର ପ୍ରଥମ ଜଳଯାନ ଜଲ୍ ଉଷା ଜାହାଜ ପାଣିରେ ପ୍ରବେଶ କରିଥିଲା । ପଣ୍ଡିତ ନେହେରୁ ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନଡ଼ିଆ ବାଡ଼େଇଥିଲେ । ପରେ ପାଣି ଭିତରକୁ ଓହ୍ଲାଇଥିଲା ଜଲ୍ ଉଷା ।

ପୂର୍ବତନ ରାଷ୍ଟ୍ରପତି ତଥା ଚର୍ଚ୍ଚିତ ବୈଜ୍ଞାନିକ  ସ୍ବର୍ଗତଃ ଡକ୍ଟର ଏପିଜେ ଅବଦୁଲ କଲାମ । ନିଜେ ମୁସଲମାନ ହୋଇ ମଧ୍ୟ ଅନ୍ୟ ଧର୍ମ ପ୍ରତି ତାଙ୍କର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ରକେଟ ବିଜ୍ଞାନୀ ହୋଇମଧ୍ୟ ସେ ପୂଜା ପଦ୍ଧତିକୁ ବିଶ୍ବାସ କରୁଥିଲେ । ଏ ଫଟୋ ବୟାନ କରୁଛି ତାଙ୍କ ମହନୀୟତାକୁ । କେଉଁଠି ମନ୍ଦିରରେ ପୂଜା କରୁଛନ୍ତି ତ କେଉଁଠି ଧର୍ମ ଗୁରୁଙ୍କ ଆଶୀର୍ବାଦ ନେଉଛନ୍ତି । 

ଏ ଦୃଶ୍ୟ ଗତ ସେପ୍ଟେମ୍ବର ମାସର କଥା । ସେପ୍ଟେମ୍ବର ୪ । ଯେତେବେଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ଆମେରିକା ନିର୍ମିତ ହେଲିକପ୍ଟର ଆପାଚି । ଦେଖନ୍ତୁ ସେହି ସମୟର ଦୃଶ୍ୟକୁ । ହେଲିକପ୍ଟର ନିକଟରେ ଉପସ୍ଥିତ ଅଛନ୍ତି ତତ୍କାଳୀନ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଏସ୍. ଧନୋୱା । ହେଲିକପ୍ଟର ନିକଟକୁ ଆସୁଛନ୍ତି ଜଣେ ବ୍ରାହ୍ମଣ । ବୈଦିକ ରୀତିନତରେ ପୂଜାପାଠ କରାଯାଉଛି । ଏହା ପରେ ଆକାଶର ଛାତି ଚିରି ଉଡ଼ୁଛି ଆପାଚି ।

ଚନ୍ଦ୍ରାୟାନ-୨ ଲଞ୍ଚ୍ ସମୟର ଦୃଶ୍ୟ ଆପଣଙ୍କ ମନେ ଥିବ ନିଶ୍ଚୟ । ଚନ୍ଦ୍ରାୟନ ମିଶନ ଲଞ୍ଚ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ମଧ୍ୟ ମନ୍ଦିରରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଇସ୍ରୋର ଅନ୍ୟ ବୈଜ୍ଞାନିକ । ଆନ୍ଧ୍ର ପ୍ରଦେଶର ତିରୁମାଲା ମନ୍ଦିରରେ ପୂଜାପାଠ କରିଥିଲେ ଶିବନ୍ । ମିଶନ ଆରମ୍ଭ କରିବା ପୂର୍ବରୁ ସ୍ପେସ୍ ସେଣ୍ଟରରେ ମଧ୍ୟ ପୂଜା କରାଯାଇଥିଲା । ଏପରିକି ଚନ୍ଦ୍ରାୟନ-୨ ପ୍ରତିଟି ଷ୍ଟେଜ୍ ସଫଳ ହେଉଥିବା ବେଳେ ସେହି ଅନୁସାରେ ପୂଜାପାଠ ମଧ୍ୟ ହୋଇଥିଲା ।

ତେଣୁ ଏଠାରେ ପ୍ରଶ୍ନ ରାଜନୀତିର ନୁହେଁ । ବରଂ ଆସ୍ଥାର ଓ ଶ୍ରଦ୍ଧାର । ଶିବନ୍ ହୁଅନ୍ତୁ କିମ୍ବା ଧନୋୱା । ଏମାନଙ୍କ ମଧ୍ୟରୁ କେହି ବି ବିଜେପି ସଦସ୍ୟ ନୁହେଁ । ଏପରିକି ନେହେରୁ ମଧ୍ୟ ପଦ୍ମଦଳର ସଦସ୍ୟ ନଥିଲେ । ତେଣୁ ଏବେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାତ ଦରିଆ ପାରି ହୋଇ ଫ୍ରାନ୍ସରେ ଯାଇ ରାଫେଲ ପାଇଁ ପୂଜାପାଠ କରିଛନ୍ତି । ସେଥିରୁ ଅନ୍ୟ ଅର୍ଥ ବୋଧହୁଏ ବାହାର କରାନଯିବା ଆବଶ୍ୟକ ।

   Related Posts