ତଦନ୍ତ ପ୍ରକ୍ରିୟାରେ ପଶିଗଲା ରାଜନୀତି: ସୁଶାନ୍ତ ସିଂହଙ୍କ ତଦନ୍ତ ମାମଲାରେ ବିହାରୀ ଅଫିସରଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିଲା ବିଏମ୍‌ସି

Published By : Prameya-News7 Bureau | August 03, 2020 IST

ମୁମ୍ବାଇ୩/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ତଦନ୍ତ ଯେତିକି ରହସ୍ୟଜନକ ମୋଡ଼ ନେଉଛି ଏହାକୁ ନେଇ ରାଜନୀତି ମଧ୍ୟ ତେଜ୍‌ ହେବାରେ ଲାଗିଛି। କଥା ଆଜି ବିହାର ବିଧାନସଭାରେ ଉଠିଛି। ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମଧ୍ୟରେ ଟକ୍କରା ଟକ୍କରି ସ୍ଥିତିକୁ ଆସିଲାଣି। ତଦନ୍ତରେ ସାମିଲ ହେବା ଲାଗି ପହଞ୍ଚିଥିବା ବିହାର ଆଇପିଏସଙ୍କୁ ମୁମ୍ବାଇରେ କ୍ବାରେଣ୍ଟିନ୍‌ କରି ଦିଆଯିବାକୁ ନେଇ ଏବେ ବିବାଦ ତେଜିଛି।

ମୁମ୍ବାଇରେ ପହଁଞ୍ଚିଥିଲେ ତଦନ୍ତ କରିବାକୁ କିନ୍ତୁ କ୍ବାରେନଣ୍ଟାଇନ ହୋଇ ବନ୍ଦୀ।  ଏମିତି କିଛି ଘଟିଛି ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିୱାରୀଙ୍କ ସହିତ। ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଗେଷ୍ଟ ହାଉସରେ ବନ୍ଦ କରି ଦିଆଯାଇଛି। ହାତରେ କ୍ବାରେଣ୍ଟିନ ଷ୍ଟାମ୍ପ ଲଗାଇ ଦିଆଯାଇଛି। ଜଣେ ଆଇପିଏସ ଅଧିକାରୀଙ୍କୁ ବଳ ପୂର୍ବକ କ୍ବାରେଣ୍ଟିନ୍ କରାଯିବାକୁ ନେଇ ତେଜିଛି ବିବାଦ। ବିହାର ବିଧାନସଭାରେ କଥା ଉଠିଛି। ମୁମ୍ବାଇ ପୋଲିସ ଘଟଣାରେ କିଛି ରହସ୍ୟ ଲୁଚାଉଛି। ତେଣୁ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ବିଭିନ୍ନ ଦଳର ବିଧାୟକ।

ମାମଲାର ତଦନ୍ତ କରିବାକୁ ଯାଇଥିବା ବିହାର ପୋଲିସକୁ ସହଯୋଗ ମିଳୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଯେଉଁଥିରେ ଏବେ ମୁମ୍ବାଇ ପୋଲିସକୁ ସନ୍ଦେହ ଘେରରେ ଦେଖୁଛନ୍ତି ଅନେକ ରାଜନେତା। ସେପଟେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ କିଛି ବଡ଼ ରାଜନେତାଙ୍କର ହାତ ରହିଛି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ଘଣ୍ଟ ଘୋଡ଼ାଉଛି ବୋଲି ବି କଥା ଉଠିଲାଣି। ଯାହାକୁ ନେଇ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ଏବେ ଚାପରେ ଆସି ଯାଇଛନ୍ତି। ଘଟଣାର ଅନୁଧ୍ୟାନ କରିଛନ୍ତି ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଯେତେବେଳେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଛି ଭରସା ରଖିବାକୁ ମୁମ୍ବାଇ ପୋଲିସ କମିଶନର କହୁଥିବା ବେଳେ କୌଣସି ରାଜନେତାଙ୍କ ନାଁ ଆସିନାହିଁ ବୋଲି କହିଛି।

ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିବା ନେଇ କୁହାଯାଇଥିଲା। ତେବେ ପାଟନାରେ ତାଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ରୁଜୁ କରିବା ପରେ ଘଟଣାକୁ ନେଇ ଏବେ ତନାଘନା ଯେତିକି ବଢ଼ିଛି ସେତିକି ରାଜନୀତି ବଢିଛି। ସେପଟେ ମୁମ୍ବାଇ ପୋଲିସ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଛି। ତେବେ ବିହାର ପୋଲିସର ସମନ ତାଙ୍କୁ ମିଳିନାହିଁ ଏବଂ ବିହାର ପୋଲିସର ତଦନ୍ତ କରିବାର ଅଧିକାର ନାହିଁ ବୋଲି ରିୟାଙ୍କ ଓକିଲ କହିଛନ୍ତି।ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କ ବୟାନ ରେକର୍ଡ ହୋଇଛି। କିନ୍ତୁ ଏଥିରେ ରାଜନେତାଙ୍କ ସଂପୃକ୍ତି ଚର୍ଚ୍ଚା ପୂରା ଘଟଣାକୁ ଅଧିକ ଜଟିଳ କରିବାରେ ଲାଗିଲାଣି। ଏଭଳି ଅବସ୍ଥାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ମହାରାଷ୍ଟ୍ର ସରକାରଙ୍କ ଠାରୁ ମାମଲାର ତଦନ୍ତ ରିପୋର୍ଟ ମାଗିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.