ଆୟୁଷ୍ମାନ ଯୋଜନାକୁ ନେଇ ଯୋର ଧରିଲା ରାଜନୀତି : ବିଜେପି ଆରମ୍ଭ କରିବ ଦସ୍ତଖତ ଅଭିଯାନ, କଂଗ୍ରେସ କହିଲା ସାମିଲ ହେବା ଲୋକଙ୍କ ଅଧିକାର

Published By : Prameya-News7 Bureau | September 26, 2018 IST

ଭୁବନେଶ୍ବର ୨୬|୯: ଆୟୁଷ୍ମାନ ଯୋଜନାକୁ ନେଇ କେନ୍ଦ୍ର ସରକାର ବେଶ୍ ଆଶାବାଦୀ ଥିବା ବେଳେ ଓଡିଶା ସମେତ ୪ଟି ରାଜ୍ୟ ଏଥିରୁ ବାଦ୍ ପଡିଛନ୍ତି। ତେବେ ଏହି ୪ଟି ରାଜ୍ୟ କାହିଁକି ବାଦ୍ ପଡ଼ିଛନ୍ତି। ଏହାଦ୍ବାରା କଣ କାହାକୁ କେତେ ଲାଭ ହେଉଛି ଆଉ କେତେ କ୍ଷତି ହେଉଛି। ରାଜନୀତିର ବିଶ୍ଳେଷଣ ଭିତରେ ଚାଲିଛି ଏହି ଅଙ୍କକଷା। ଜୋରଧରିଲା ଆୟୁଷ୍ମାନ ଯୋଜନା ରାଜନୀତି । ମୋଦି ଓ ଶାହାଙ୍କ ପରେ ପୁଣି ରାଜ୍ୟ ବିଜେପି ଉଠାଇଲା ଏହି ପ୍ରସଙ୍ଗ। ସେପ୍ଟେମ୍ବର ୩୦ରୁ ୭ ଦିନିଆ ଜନ ସଚେତନ କରିବା ସହ ୧କୋଟି ଦସ୍ତଖତ ସଂଗ୍ରହ କରିବ ବିଜେପି । ବିଜେପିର ଯୁକ୍ତି ଏହି ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଥିବାରୁ ରାଜ୍ୟ ସରକାର ଏଥିରୁ ଓହରିଗଲେ । ସାରାଦେଶର ବଡବଡ ଡାକ୍ତରଖାନାରେ ଚିକିତ୍ସା ସୁବିଧାର ଗ୍ୟାରେଣ୍ଟି ଥିବା ଆୟୁଷ୍ମାନ ଯୋଜନାରୁ କାହିଁକି ଓଡ଼ିଶାବାସୀ ବଞ୍ଚିତ ହେବେ ବୋଲି ବିଜେପି ପ୍ରଶ୍ନ କରିଛି । ଏନେଇ ଦଳ ଆଜି ପୋଷ୍ଟର ରିଲିଜ୍ କରିଛି । ରାଜ୍ୟ ସରକାର ପୁରୁଣା ଯୁକ୍ତିରେ କାଏମ । ଆୟୁଷ୍ମାନ ଯୋଜନାରେ ଓଡିଶାର ପ୍ରାୟ ୧୦ ଲକ୍ଷ ପରିବାର ବାଦ୍ ପଡୁଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ କେନ୍ଦ୍ରର ଏହି ଅଭିଯୋଗକୁ କେନ୍ଦ୍ର ଧ୍ୟାନ ଦେଉନଥିବାରୁ ଓଡ଼ିଶା ଏଥିରୁ ଓହରିବ। ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ନାଁରେ ନିଜସ୍ବ ଯୋଜନା କରିଛନ୍ତି ରାଜ୍ୟ ସରକାର । ବିଜେପିର ଯୁକ୍ତି, ଖାଦ୍ୟ ସୁରକ୍ଷା ଯୋଜନା ଭଳି ବି ରାଜ୍ୟ ସରକାର ଏହି ଯୋଜନାକୁ ଲାଗୁ କରିପାରିଥାନ୍ତେ। ବିଜେଡିର ଯୁକ୍ତି, ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ବିଜେପି ଚାପସୃଷ୍ଟି କରୁଛି । ସେପଟେ କଂଗ୍ରେସ କହିଛି ଓଡିଶାବାସୀ ଉଭୟ ଆୟୁଷ୍ମାନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବା ସେମାନଙ୍କ ଅଧିକାର । ଓଡିଶା ସମେତ କେରଳ, ତେଲେଙ୍ଗନା, ପଞ୍ଜାବ ଓ ଦିଲ୍ଲୀ ସରକାର ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.