Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାଜନୈତିକ ହିଂସା : ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କୁ ହତ୍ୟା, ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ମରଣାନ୍ତକ ଆକ୍ରମଣ

18/04/2019 at 6:20 PM

ଭୁବନେଶ୍ବର ୧୮|୩: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜନୈତିକ ହିଂସା । ଗଞ୍ଜାମ ଜିଲ୍ଲାରେ ୨ଜଣଙ୍କୁ ହତ୍ୟା କରାଯାଇଥିବା ଭଳି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେହିପରି ଝାରସୁଗୁଡା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ବଲାଙ୍ଗିର ବରକାନି ଗାଁ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି।

ଦ୍ବିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗଡିଲା ୨ଟି ମୁଣ୍ଡ । ସୋରଡା ଥାନା କଦଳୀଝୋଳ ଗାଁର ବିଜେପି କର୍ମୀ ସନ୍ତୋଷ ପତିଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ବୁଧବାର ରାତି ପ୍ରାୟ ୯ଟାରେ ସନ୍ତୋଷଙ୍କ ଘରେ ପଶି ରଡ଼୍ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଷ୍ଟର ଚିରାକୁ ନେଇ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।  ଏହି ରାଗରେ ସନ୍ତୋଷଙ୍କ ଉପରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ପ୍ରତିପକ୍ଷ ସମର୍ଥକ ।  

ପ୍ରତିବାଦରେ ଲାଠିପୋଡାଠାରେ ବିଜେପି କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାରେ ଏଯାବତ ତିନି ଜଣଙ୍କୁ  ଗିରଫ କରିଛି ପୋଲିସ । ସେପଟେ ଭଞ୍ଜନଗରରେ ଅଗଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଦାଶିବ ପ୍ରଧାନ ନାମକ ଯୁବକଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ବିଳମ୍ବିତ ରାତିରେ ଗାଁର କିଛି ଯୁବକ ନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ଘରୁ ଡାକି ନେଇଥିଲେ ।  ହେଲେ ଅଧ ଘଣ୍ଟା ପରେ ତାଙ୍କ ମୃତ୍ୟୁ ଖବର ଆସିଥିଲା । ସଦାଶିବଙ୍କୁ ବୋମା ପକାଇ ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି ।

ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ବୁଥରେ ମତଦାନ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଛି।   ବ୍ରଜରାଜନଗର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ସେଠାକୁ ଯାଇଥିଲେ ସେଠାରେ ତାଙ୍କ ପିଏସଓ ରାଧେ କିସାନଙ୍କୁ ହଠାତ୍ କିଛି ଲୋକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ମୁଣ୍ଡ ଫାଟିବା ସହ ଆହତ ହୋଇଛନ୍ତି । ସେପଟେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ଜରାସିଂହା ପଞ୍ଚାୟତ ବରକାନି ଗାଁ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବୁଥ ଭିତରେ ପଶି କିଛି ଯୁବକଙ୍କୁ ମାରପିଟ କରିଥିଲେ ଦୁର୍ବୃତ୍ତ ।

ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ରାଜନୈତିକ ହିଂସା ବଢିବାରେ ଲାଗିଛି । ଗତ ୧୪ ତାରିଖରେ ଖୋର୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

   Related Posts