ବହିଷ୍କାର ପରେ ଆହୁରି ବର୍ଷିଲେ ଶ୍ରୀକାନ୍ତ, ତାଳ ପକେଇଲେ କୃଷ୍ଣ ସଗରିଆ : ନିରଞ୍ଜନ ଦେଲେ କଡା ଜବାବ, ଗୋଳିଆ ପାଣିରୁ ଫାଇଦା ନେବାକୁ ବାହାରିଲା ବିଜେପି
20/01/2019 at 5:58 PM
ଭୁବନେଶ୍ବର୨୦|୧: ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସଗରିଆ କଂଗ୍ରେସରୁ ବହିଷ୍କୃତ ହେବା ପରେ ଉଭୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପିସିସି ସଭାପତି ନିରଞ୍ଜନ, ବିରୋଧୀ ଦଳ ନେତାଙ୍କୁ ବି ଟାର୍ଗେଟ କରିଛନ୍ତି । କଂଗ୍ରେସ ଓ ରାହୁଲ ଗାନ୍ଧୀ ଚରିତ୍ର ସଂହାର କରିଥିବା ବେଳେ ନିରଞ୍ଜନ ଏବଂ ନରସିଂହଙ୍କ ପୁରୁଣା କଥା ଉଖାରିଛନ୍ତି। ତାହା ସହିତ ବିଜେଡି ଓ କଂଗ୍ରେସ ଭିତରେ ଭିତିରି ସମ୍ପର୍କ କଥା ଉଠାଇଛନ୍ତି ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସଗରିଆ । ଏପଟେ ଏହି ନିଆଁରେ ଘିଅ ଢାଳିଛି ବିଜେପି । ଏ ସବୁ ଜବାବ ପଟ୍ଟନାୟକ ବ୍ରଦର୍ସ ଦେଇ ଥିବା ବେଳେ ବିଜେଡି ବି ତାର ଜବାବ ରଖିଛି।

ବହିଷ୍କାର ପରେ ଆହୁରି ବର୍ଷିଲେ ଶ୍ରୀକାନ୍ତ। ତାଳ ପକେଇଲେ କୃଷ୍ଣ ସଗରିଆ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ରାହୁଲ ଗାନ୍ଧି ଖଣି ମାଫିଆଙ୍କ ସହିତ ହାତ ମିଳାଇଛନ୍ତି। ବଦଳିଗଲାଣି କଂଗ୍ରେସର ସଂସ୍କୃତି। ଗରିବଙ୍କୁ ଛାଡି ଖଣି ମାଲିକଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ରାହୁଲ ଗାନ୍ଧି। ଆସନ୍ତା ୨୫ ତାରିଖରେ ମହାଖୁଲାସା କରିବେ ଶ୍ରୀକାନ୍ତ ।

ଯେଉଁଥିରେ ରାହୁଲଙ୍କୁ ମୁହଁ ଲୁଚାଇବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀକାନ୍ତ । ଏହା ସହିତ ନିରଞ୍ଜନ ଓ ତାଙ୍କ ଭାଇ ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକଙ୍କୁ ବି ଛାଡି ନାହାନ୍ତି । ନିରଞ୍ଜନ ଓ ସୌମ୍ୟଙ୍କ ଓ୍ବାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟତା ନାହିଁ। ନିରଞ୍ଜନ ଅଭ୍ୟାସଗତ ଲାଞ୍ଚଦାତା ବୋଲି ପୁଣି ଉଖୁରାଇଛନ୍ତି। ଶ୍ରୀକାନ୍ତଙ୍କ କଥାରେ ତାଳ ପକାଇ କୃଷ୍ଣଚନ୍ଦ୍ର ସଗରିଆ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ତାରା ବାହିନୀ ପତିଙ୍କୁ ଆକ୍ଷେପ କରିଛନ୍ତି। ନିଜ ପୁଅକୁ ଥଇଥାନ କରିବା ପାଇଁ ସରକାର ସହିତ ମିଶିକରି ଅଛନ୍ତି ବିରୋଧୀଳ ନେତା ବୋଲି ଅଭିଯୋଗ କରିଛନ୍ତି କୃଷ୍ଣ।

ସମ୍ବଲପୁରରେ ଶ୍ରୀକାନ୍ତଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ନିରଞ୍ଜନ। ଦଳରୁ ବାହାରିବା ପରେ ଶ୍ରୀକାନ୍ତ ପୁରୁଣା କଥା ଉଠାଉଛନ୍ତି। ରାହୁଲଙ୍କ ବିରୋଧରେ ଯଦି ଉଦ୍ଭଟ ଚିନ୍ତା ଥିଲା ଆଜି ପର୍ଯ୍ୟନ୍ତ ଦଳରେ ରହିଥିଲେ କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ନିରଞ୍ଜନ।

କଂଗ୍ରେସରୁ ଶ୍ରୀକାନ୍ତ ତଡା ଖଇବା ପରେ ତାଙ୍କ ପଛରେ ଛିଡା ହୋଇଛି ବିଜେପି। ଖଣି ମାଫିଆଙ୍କୁ ବିରୋଧ କରିବାକୁ ଶ୍ରୀକାନ୍ତଙ୍କୁ ବହିଷ୍କାର କରିଛି କଂଗ୍ରେସ । ରାଜ୍ୟ ସରାକର, ପଟ୍ଟନାୟକ ପରିବାର ଏବଂ ଖଣି ମାପିଆଙ୍କ ଭିତରେ ସମ୍ପର୍କ ରହିଛି। ଏହି କଥା ବାରମ୍ବାର ଉଠାଇଥିବାରୁ ଶ୍ରୀକାନ୍ତ କଂଗ୍ରେସରୁ ବହିଷ୍କାର କରାଯାଇଛି ବୋଲି ବିଜେପି କହିଛି।

ଏପଟେ ପଟ୍ଟନାୟକ ପରିବାର ଉପରକୁ ଶ୍ରୀକାନ୍ତ ଏବଂ ବିଜେପି ଆଟାକ କରିଥିବାରୁ ବିଜେଡି ସାଂସଦ ତଥା ନିରଞ୍ଜନଙ୍କ ଭାଇ ସୌମ୍ୟ ପଟ୍ଟନାୟକ ବି ଅଟକି ପାରି ନପାହାନ୍ତି। ସଙ୍ଗେ ସଙ୍ଗେ ଜବାବ ଦେଇଛନ୍ତି।

ନିର୍ବାଚନ ଅଢ଼େଇ ମାସ ପୂର୍ବରୁ କଂଗ୍ରେସର ହଲଚଲ ଉପରେ ଦୁଇ ଦଳ ଆଖି ପକାଇଥିବା ବବେଳେ ଶ୍ରୀକାନ୍ତଙ୍କ ଗୋଟି ଚାଳନା ଉପରେ ବି ନଜର ପକାଇଛନ୍ତି ବିଜେଡି ବିଜେପି।
