୨୦୧୯ ନିର୍ବାଚନ: ଆକ୍ଷେପ ଓ ପ୍ରତି ଆକ୍ଷେପ କ୍ଷେତ୍ରରେ ସବୁ ଶାଳୀନତାର ସୀମା ସରହଦ କରିଛି ପାର, ଜାଣନ୍ତୁ କାହାକୁ କିଏ କଣ କହିଲା

Published By : Prameya-News7 Bureau | May 21, 2019 IST

ନୂଆଦିଲ୍ଲୀ୨୧|୫: କ’ଣ ପାଇଁ ମନେ ରହିବ ୨୦୧୯ ନିର୍ବାଚନ ?  ଆକାର, ପ୍ରଚାର ନା ବହୁତ ତଥ୍ୟ ପାଇଁ ?  ଏ ପ୍ରଶ୍ନ  ଏବଂ ସମ୍ଭାବ୍ୟ ଉତ୍ତର ଯାହା ବି ହେଉ , ୨୦୧୯ ସାଧାରଣ ନିର୍ବାଚନ ଅତୀତର ସବୁ ନିର୍ବାଚନ ଠାରୁ ନିଆରା ନିଶ୍ଚୟ । ରାଜନେତାଙ୍କ ରୋଡ ଶୋ,ମାରାଥନ ପ୍ରଚାର ଆଉ ହାଇଟେକ୍‌ ପଦ୍ଧତି  ଏବଂ ସୋସିଆଲ ମିଡିଆର ଭୂମିକା । ତେବେ ଏସବୁତ ପରିବର୍ତ୍ତିତ ସମୟ ଭିତ୍ତିକ  ପରିବର୍ତ୍ତିନ ବୋଲି ଗ୍ରହଣ କରାଯାଇପାରେ । କିନ୍ତୁ ଯାହାକୁ ଗ୍ରହଣ କରିବା କଠିନ, ତାହା ହେଲା ରାଜନେତାଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆକ୍ଷେପ ।

ରାଜନେତାଏ ପରସ୍ପର ବିରୋଧି ମନ୍ତବ୍ୟରେ ସବୁ ସୀମା ଲଂଘିଛନ୍ତି । ବ୍ୟକ୍ତିଗତ ସ୍ତରକୁ ଖସି ଆକ୍ଷେପ କରିବାସହ, ଅତି ନିର୍ଲଜ୍ଜ ଭାବେ ଲିଙ୍ଗ ଭିତ୍ତିକ ଟୀକ୍କା ଟିପ୍ପଣି ଦେଇଛନ୍ତି । ନିର୍ବାଚନ କମିଶନଙ୍କ ତାଗିଦ, ଦଣ୍ଡ ବିଧାନ ସତ୍ତ୍ୱେ ନେତାଙ୍କ ତୁଣ୍ଡରେ ଲଗାମ ଲାଗିନି । ଏହା ହିଁ ବୋଧହୁଏ ୨୦୧୯ ନିର୍ବାଚନରେ ସବୁଠୁ ଖରାପ ପରମ୍ପରା ସୃଷ୍ଟି କରିଛି ।

ଭୋଟ ପାଇଁ  କ’ଣ  ନେତାଏ  ଏମିତି  କହିବା ଜରୁରୀ ? ନିର୍ବାଚନ ବେଳେ ରାଜନେତାଏ କ’ଣ ଶିଷ୍ଟାଚାର, ଶାଳୀନତାର ସୀମା ଲଂଘିବା ଦୋଷାବହ ନୁହେଁ ? ୨୦୧୯ ନିର୍ବାଚନ ପ୍ରଚାରରେ ଏମିତି କିଛି ଘଟଣାକ୍ରମକୁ ନେଇ ଆନ୍ଦୋଳିତ କରୁଛି ଏହି ପ୍ରଶ୍ନ ।

{"id":114424}

ମୋଦି, ଶାହା, ମମତା, ମାୟାବତୀ, ରାହୁଲ ଅଥବା ଯୋଗୀ, ସ୍ୱାଧ୍ୱୀ, ଆଜମ ଖାନ୍‌  ଆଉ ମେନକା । ତୁଙ୍ଗ ରାଜନେତାଙ୍କ ତୁଣ୍ଡ ଏବେ ସବୁ ସୀମା ଟପିଛି । ମୃତ ଲୋକଙ୍କ ବିରୋଧରେ ବି  ନେତାଏ ଅପମାନ ଜନକ ଶବ୍ଦ ପ୍ରୟୋଗ କରୁଛନ୍ତି  । କିଏ ପ୍ରତିପକ୍ଷଙ୍କ ବୈବାହିକ ଜୀବନ ନେଇ ଟିପ୍ପଣୀ କଲେଣି ତ, କିଏ  ମହିଳାଙ୍କ ଅନ୍ତବସ୍ତ୍ର ନେଇ କଲେଣି ଆକ୍ଷେପ । ସଂଖ୍ୟାଲଘୁଙ୍କୁ ଦେଶଦ୍ରୋହୀ, ଉଇ  ବୋଲି ବି କହିଛନ୍ତି ରାଜନେତା । ସାଧାରଣ ଲୋକଙ୍କ ଭଳି ଗାଳି ଦେବା ବେଳେ ବଂଶ ବୁନିୟାଦିକୁ ବି  ଆକ୍ଷେପ କରିଛନ୍ତି ।

୨୦୧୯ ନିର୍ବାଚନ  ମନେରହିବ, ଏହାର ପ୍ରଚାରରେ ନେତାଙ୍କ ନିଷ୍ଠୁର ଶବ୍ଦ, ବ୍ୟକ୍ତିଗତ ଆକ୍ଷେପ ଏବଂ ନିର୍ଲ୍ଲଜ ଟିକ୍କା ଟିପ୍ପଣୀ ପାଇଁ । ନେତାଏ ଲଂଘିଛନ୍ତି ଶାଳୀନତାର ସବୁ ସୀମା । ଅଭିନେତ୍ରୀରୁ ରାଜନେତ୍ରୀ ଜୟପ୍ରଦାଙ୍କ ବିରୋଧରେ ସମାଜବାଦି ପାର୍ଟି ନେତା ଆଜମ ଖାନ୍‌ଙ୍କ ମନ୍ତବ୍ୟ ନିର୍ଲଜତାର ସବୁ ସୀମା ଟପିଛି । ଜୟପ୍ରଦା ବି କଡା କରି ଦୁଇ ପଦ ଶୁଣାଇଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥା ମଧ୍ୟ ଲୋକଙ୍କ  ଧାର୍ମିକ ଭାବନାକୁ ଆଘାତ ଦେଇଛି । ସେହିପରି ଏକ ମନ୍ତବ୍ୟ ଦେଇ ଯୋଗୀଙ୍କ ଭଳି ନିର୍ବାଚନ କମିଶନଙ୍କ ଦ୍ବାରା ଦଣ୍ଡିତ ହୋଇଛନ୍ତି ମେନକା ଗାନ୍ଧି । ସଂଖ୍ୟାଲଘୁଙ୍କୁ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଆକ୍ଷେପ କେବେ ବି ଗ୍ରହଣୀୟ ହୋଇ ନପାରେ । ସେହିପରି ବିବାଦୀୟ ମନ୍ତବ୍ୟ ଥିଲା କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁଙ୍କର ।

ଶସ୍ତା ମନ୍ତବ୍ୟରେ ସମସ୍ତଙ୍କୁ ଟପିଯାଇଛନ୍ତି ବିଜେପି ପ୍ରାର୍ଥୀ ସ୍ୱାଧ୍ୱୀ ପ୍ରଜ୍ଞା ସିଂ ଠାକୁର । ୨୦୦୮ ମାଲେଗାଓଁ  ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା କହିଥିଲେ ତାଙ୍କ ଅଭିଶାପ ଯୋଗୁଁ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ହେମନ୍ତ କାରକାରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ନିହତ ହେଲେ । ଭୋପାଳରେ ବିଜେପି ପ୍ରାର୍ଥୀ ପ୍ରଜ୍ଞାଙ୍କ ଏହି ମନ୍ତବ୍ୟକୁ ତାଙ୍କ ଦଳର ନେତାଏ ବି ସମାଲୋଚନା କଲେ । ସେହିପରି ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନାଥୁରାମ ଗଡସେଙ୍କୁ ପ୍ରଶଂସା  କରି ଭୁଲ ମାଗିଲେ ସ୍ବାଧ୍ୱୀ । ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ରହିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂହ ।

{"id":114426}

ବିଜେପି ସଭାପତି ଅମିତ ଶାହା ବି କମ୍ ନୁହନ୍ତି । ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି  ଏପ୍ରିଲ ଆରମ୍ଭରେ ନାଗପୁର ରାଲିରେ ତାଙ୍କ ମନ୍ତବ୍ୟ ସଂଖ୍ୟାଲଘୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଶାହା  ସଂଖ୍ୟାଲଘୁ ଏବଂ ଶରଣାର୍ଥୀଙ୍କୁ ସମାଲୋଚନା କଲାବେଳେ ମମତା ବାନାର୍ଜୀ ଓ ଅନ୍ୟ ତୁଙ୍ଗ ବିରୋଧିଙ୍କ ଉପରେ ବି କଡା ଶବ୍ଦରେ ବର୍ଷୀଛନ୍ତି । ସେପଟେ ଶାହାଙ୍କୁ ଜବାବ ଦେବାବେଳେ ତାଙ୍କୁ ହତ୍ୟା ଅଭିଯୁକ୍ତ କହିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି କଡା ଆକ୍ଷେପ କରିବାକୁ ଛାଡିନାହାନ୍ତି । ଚୌକିଦାର ଚୋର ହେ ମନ୍ତବ୍ୟ ଲାଗି ସର୍ବୋଚ୍ଚ ଅଦାଲତରେ କ୍ଷମା ମାଗିଥିବା ରାହୁଲ କିନ୍ତୁ ପ୍ରଚାରରେ ବିଜେପି କୁ ଘେରିବା ବେଳେ ମୋଦିଙ୍କୁ ହିଁ ଆକ୍ଷେପ କରିଛନ୍ତି ।

ପ୍ରତିପକ୍ଷକୁ ଆକ୍ଷେପ କରିବାରେ ବି ପଛରେ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାହୁଲଙ୍କୁ ନାମଦାର, ପପୁଙ୍କ ପାପୀ  କହି ଆକ୍ଷେପ କରିବା ବେଳେ ,ରାହୁଲଙ୍କ ପରିବାର ଓ ଖାନଦାନକୁ ବି ତୀବ୍ର ସମାଲୋଚନା  କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରିୟଙ୍କା, ସୋନିଆ, ଗାନ୍ଧି- ନେହେରୁ ପରିବାର ଏପରିକି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କୁ ଭ୍ରଷ୍ଟାଚାରୀ ନମ୍ବର ୱାନ କହିଛନ୍ତି ସେ । ମମତା, ମାୟାବତୀ ଏବଂ ନବୀନ ପଟ୍ଟନାୟକଙ୍କୁ ବି ସେ ପ୍ରଚାର ସଭାରେ କଡା ଭାଷାରେ ଶୁଣାଇଛନ୍ତି । ବିଭିନ୍ନ ମନ୍ତବ୍ୟ ନେଇ ବିବାଦ ବେଳେ  ସୁପ୍ରିମ୍‌ କୋର୍ଟକୁ ବି ମୋଦିଙ୍କ ବିରୋଧରେ ଅଭିଯୋଗ ଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରାୟ ସବୁ ଅଭିଯୋଗରେ କ୍ଲିନ୍‌ଚିଟ୍‌ ଦେଇଛନ୍ତି ନିର୍ବାଚନ କମିଶନ ।  

ଏହି ଆକ୍ଷେପ ଓ ପ୍ରତିଆକ୍ଷେପରେ ସବୁଠୁ ବେଶି ଚର୍ଚ୍ଚାରେ ମାୟା ଓ ମମତା । ବିଏସପି ନେତ୍ରୀ ମାୟାବତୀ ବ୍ୟକ୍ତିଗତ ସ୍ତରକୁ ଖସି ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈବାହିକ ଜୀବନ ନେଇ ଟିପ୍ପଣୀ ଦେବାକୁ ଅନେକ ନାପସନ୍ଦ କରିଛନ୍ତି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଦେଶରୁ ମୋଦି ଏବଂ ଶାହାଙ୍କୁ ନିକାଲିବା ଭଳି କଥା କହିଛନ୍ତି । ଗୁଣ୍ଡା, ଏକ୍ସପାରି ବାବୁ ,ଗଣତାନ୍ତ୍ରୀକ ଚାପୁଡା, କାନଧରି ଉଠବସ୍ ହେବା ଭଳି କଥା ସହ ବ୍ୟକ୍ତିଗତ ଆକ୍ଷେପ ବି କରିଛନ୍ତି । ବିଶେଷକରି  ପଶ୍ଚିମବଙ୍ଗରେ ପ୍ରଚାର ବେଳେ ମୋଦି – ଶାହା ଙ୍କୁ ତୀବ୍ର ଆକ୍ଷେପ କରିଛନ୍ତି  ମମତା ।

ଏତିକି ଘଟଣାକ୍ରମ ବା ଉଦାହରଣ ନୁହେଁ , ଚଳିତ ନିର୍ବାଚନ ପ୍ରଚାରରେ ଅନେକ ନେତାଙ୍କ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାରେ । କଂଗ୍ରେସ ନେତା ମଣିଶଙ୍କର ଆୟାର, , ଶ୍ୟାମ ପିଟ୍ରୋଡା, ରାଜ ବାବର , ବିଜେପିର ବରୁଣ ଗାନ୍ଧି, ସ୍ମୃତି ଇରାନୀ,. ଟିଏମସିର ଡେରେକ ଓବ୍ରାଏନ୍ ଏମିତି ଅନେକ ଦଳର ବହୁ ନେତା ବିବାଦୀୟ କଥା କହିଛନ୍ତି । ଚର୍ଚ୍ଚାରେ ରହିବାକୁ ହେଉ ବି ପ୍ରତିପକ୍ଷକୁ ବଦନାମ କରିବାକୁ ହେଉ । କିମ୍ବା ନିଜର ପତିଆରା ଜାହିର  କିମ୍ବା ବିରୋଧିଙ୍କ  ଭୟ ଯୋଗୁଁ ହେଉ । ରାଜନେତାଙ୍କ ଏପରି ଉଚ୍ଚାରଣ କେବେ ବି ଗ୍ରହଣୀୟ ନୁହେଁ । ଏହା ନିଶ୍ଚିତ  ୨୦୧୯ ନିର୍ବାଚନର ଅତି ଖରାପ ଅଧ୍ୟାୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.