ବାତ୍ୟାର ସଫଳ ମୁକାବିଲା ପ୍ରଶଂସାକୁ ନେଇ ରାଜନୈତିକ ବୟାନବାଜି : ଶ୍ରେୟ ନେବାକୁ ବିଜେଡି ବିଜେପି ଭିତରେ ଛକାପଞ୍ଝା, ନିଜ ଢୋଲ ନିଜେ ପିଟିବାକୁ ସମସ୍ତେ ତୟାର

Published By : Prameya-News7 Bureau | May 08, 2019 IST

ଭୁବନେଶ୍ବର ୮|୫: ବାତ୍ୟା କ୍ଷତିଗ୍ରସ୍ତ ଅଣ୍ଟା ସଳଖିବାକୁ ଜୀବନ ଯୁଦ୍ଧ ଲଢୁଥିବାବେଳେ ଏପଟେ କିନ୍ତୁ ବାତ୍ୟା ସଫଳ ମୁକାବିଲା ପ୍ରଶଂସାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବାକୁ ନେଇ ବିଜେଡି ସଫଳତାର ଶ୍ରେୟ ନେବାକୁ ଅଣ୍ଟା ଭିଡିଛି ।  ଆଉ ଏପଟେ ବିଜେପି କହିଛି ସରକାର ନୁହେଁ ଗଣମାଧ୍ୟମର ସଚେତନତା ଓ ଲୋକଙ୍କ ନିଜ ସୁରକ୍ଷା ନିଜେ କରିବାରୁ ସେମାନେ ହିଁ ପ୍ରଶଂସାର ପାତ୍ର । ବରଂ ସରକାର ବାତ୍ୟା ପରେ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଆଉ ସରକାର ନିଜଢୋଲ ନିଜେ ବଜାଉଛନ୍ତି ବୋଲି ବିଜେପି କହିଛି ।

କିଏ ବଜାଉଛି ନିଜ ଢୋଲ । ବିଜେପି ନା ବିଜେଡି । ବାତ୍ୟା ମୁକାବିଲା କରିବାରେ ବିଜେଡି ସରକାର କେତେ ସଫଳ ? ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି । ବାତ୍ୟା ଫୋନି ମୁକାବିଲା ଓ ୧୨ ଲକ୍ଷ ଲୋକଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନେଇ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ପ୍ରଶଂସା କରିବାକୁ ନେଇ ବାହା ବାହା ନେବାକୁ ଆରମ୍ଭ କରିଛି ବିଜେଡି । ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ସଠିକ୍ ଆକଳନ ଓ ଲୋକଙ୍କୁ ସହାୟତା ଠିକଣା ଭାବେରେ ପହଁଚାଥିବାରୁ ମୁଖ୍ୟମନ୍ତ୍ରୀ ଓ ସରକାର ବାସ୍ତବରେ ପ୍ରଶଂସାର ପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏଭଳି ବାତ୍ୟା ମୁକାବିଲା ପାଇଁ ସାରା ଦେଶ କାହିଁକି ବିଶ୍ବରେ ବି ଓଡିଶା ପ୍ରଶଂସାର ପାତ୍ର ବୋଲି ବିଜେଡି କହିଛି ।

ସେପଟେ ବିଜେଡି ସରକାରଙ୍କ ପ୍ରଶଂସାକୁ ନେଇ ବିଜେପି କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖିଛି । ବିଜେପିର ଯୁକ୍ତି ରାଜ୍ୟ ସରକାର ନୁହେଁ ବରଂ ଓଡିଶାର ଗଣ ମାଧ୍ୟମର ସଚେତନତା ଓ ଲୋକେ ନିଜେ ସଚେତନ ହୋଇ ନିରାପଦ ସ୍ଥାନକୁ ଆସିବାରୁ ଜୀନବ ବଞ୍ଚେଇ ପାରିଲେ । ସେଥିପାଇଁ ଓଡିଶାର ଗଣମାଧ୍ୟମ ଓ ଓଡିଆ ଲୋକ ପ୍ରଶଂସାର ପାତ୍ର, ଏକଥା ପ୍ରଧାନମନ୍ତ୍ରୀ କହିବା ସହ ଓଡିଶାକୁ ପ୍ରଶଂସା କରିଛନ୍ତି । ବରଂ ବାତ୍ୟା ପରେ ସରକାର ଲୋକଙ୍କ ପାଖରେ ସୁବିଧା ପହଁଚାଇ ପାରିନାହାନ୍ତି । ପ୍ରଶାସନ ଲୋକଙ୍କ ପାଖରେ ପହଁଚିନି । ଏସବୁ ନକରି କେବଳ ସରକାର ମିଛ ପ୍ରଶଂସାରେ ନିଜ ଢୋଲ ନିଜେ ବଜାଉଛନ୍ତି ବୋଲି ବିଜେପି କହିଛି ।

ବାତ୍ୟା ପରେ ପିଇବା ପାଣି ମୁନ୍ଦାଏ ପାଇଁ ଲୋକେ ନାହିଁ ନଥିବା ସମସ୍ୟାରେ ଅଛନ୍ତି । ପୀଡିତଙ୍କ ପାଖରେ ରିଲିଫ ଓ ଥଇଥାନ ପହଂଚି ପାରୁନି । ଏତିକିବେଳେ ଲୋକଙ୍କ ଦୁଃଖ ବୁଝିବା ବଦଳରେ  ରାଜନୈତିକ ଦଳ ମାନେ ନିଜ ନିଜ ଢୋଲ ବଜାଇ ପ୍ରଶଂସା ସାଉଁଟିବା କଟା ଘାରେ ଚୁନ ପରି ହେଉନି କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.