ପାଇଲଟ୍ ଗୋଷ୍ଠୀଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ଵସ୍ତି, ଜୁଲାଇ ୨୧ ପର୍ଯ୍ୟନ୍ତ ବାଚସ୍ପତିଙ୍କ ନୋଟିସ୍ ଉପରେ ଲଗାଇଲେ ରୋକ୍

Published By : Prameya-News7 Bureau | July 17, 2020 IST

ଜୟପୁର ୧୭।୦୭: ରାଜସ୍ଥାନରେ କ୍ଷମତା ନେଇ ରାଜନୀତି ଜାରି ରହିଛି। ରାଜ୍ୟର ରାଜନୈତିକ ଡ୍ରାମା ଏବେ ଆଇନଜାଲରେ ଫସି ଯାଇଛି। ସଚିନ ପାଇଲଟଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଏହି ମାମଲାରେ ଏବେ ସଚିନ ପାଇଲଟଙ୍କୁ କିଛିଟା ଆଶ୍ଵସ୍ତି ମିଳିଛି। ରାଜସ୍ଥାନ ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଉପରେ ଜୁଲାଇ ୨୧ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଏହା ସହିତ ଜୁଲାଇ ୨୧ ପର୍ଯ୍ୟନ୍ତ ବାଚସ୍ପତି ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରି ପାରିବେ ନାହିଁ।

ରାଜସ୍ଥାନ ହାଇକୋର୍ଟଙ୍କ ସ୍ଥଗିତାଦେଶ ସହିତ ଏବେ ଜୁଲାଇ ୨୧ ପର୍ଯ୍ୟନ୍ତ ସଚିନ ପାଇଲଟ ଏବଂ ଅନ୍ୟ ୧୮ ବିଧାୟକଙ୍କ ବିରୋଧରେ ବାଚସ୍ପତି ଜୁଲାଇ ୨୧ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ। ରାଜସ୍ଥାନ ହାଇକୋର୍ଟରେ ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ସୋମବାର ସକାଳ ୧୦ଟାରୁ ପୁଣି ଥରେ ଶୁଣାଣି ହେବ। ସେହି ଦିନ କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିଙ୍ଘଭି ନିଜର ପକ୍ଷ ରଖିବେ।

ଶୁକ୍ରବାର ହାଇକୋର୍ଟଙ୍କ ଡିଭିଜନ ବେଞ୍ଚରେ ଶୁଣାଣି ସମୟରେ ପାଇଲଟ୍‌ଙ୍କ ପକ୍ଷରୁ ଉପସ୍ଥିତ ଓକିଲ ହରିଶ ସାଲଭେ ନିଜର ଦଲିଲ୍ ରଖି କହିଛନ୍ତି, ପାଇଲଟ୍‌ଙ୍କ ଗୋଷ୍ଠୀ କୌଣସି ଦଳ-ବଦଳ ଆଇନର ଉଲ୍ଲଂଘନ କରି ନାହାନ୍ତି। ଏମିତିରେ ବାଚସ୍ପତିଙ୍କୁ ନୋଟିସ୍‌ ଦେବାର ଅଧିକାର ନାହିଁ। ସାଲଭେଙ୍କ ପରେ ମୁକୁଲ ରୋହତଗୀ ନିଜର ଦଲିଲ୍‌ ରଖିଛନ୍ତି। ହାଇକୋର୍ଟରେ ସଚିନଙ୍କ ଓଲିଲଙ୍କ ଯୁକ୍ତି ପରେ ବାଚସ୍ପତିଙ୍କ ପକ୍ଷରୁ ହାଜର ଓକିଲ ଅଭିଷେକ ମନୁ ସିଙ୍ଘଭି ପାଇଲଟ୍‌ଙ୍କ ପକ୍ଷରୁ ଦାଖଲ ଯାଚିକାକୁ ତୁରନ୍ତ ଖାରଜ କରିବାକୁ ଅପିଲ୍ କରିଛନ୍ତି। ସିଙ୍ଘଭି ପାଇଲଟ୍‌ ଗୋଷ୍ଠୀଙ୍କ ଏହି ଆବେଦନର କୌଣସି ଆଧାର ନଥିବା ଦର୍ଶାଇ ଖାରଜ କରିବାକୁ ଦାବି କରିଛନ୍ତି। ଏହା ପରେ ହାଇକୋର୍ଟ ଜୁଲାଇ ୨୦ ସକାଳ ୧୦ଟା ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଛନ୍ତି।

{"id":301805,"sizeSlug":"large"}

ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀର ସଂଶୋଧିତ ଯାଚିକା ଉପରେ ଶୁଣାଣି ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ବିଚାରପତି ପ୍ରକାଶ ଗୁପ୍ତାଙ୍କ ଖଣ୍ଡପୀଠରେ ଚାଲିଛି। ଯାଚିକାରେ ସମ୍ବିଧାନର ୧୦ମ ଅନୁସୂଚୀ ଆଧାରରେ ଦିଆଯାଇଥିବା ନୋଟିସ୍‌କୁ ଚ୍ୟାଲେଞ୍ଜ କରାଯାଇଛି। ଓକିଲ ହରିଶ ସାଲଭେ କୋର୍ଟରେ ନିଜର ଦଲିଲରେ ବାଚସ୍ପତିଙ୍କ ଆଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବାଚସ୍ପତିଙ୍କୁ କୋର୍ଟ ଡକାଇବାକୁ ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ବିଧାୟକ କୌଣସି ଆଇନ୍‌ର ଉଲ୍ଲଂଘନ କରି ନାହାନ୍ତି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ପ୍ରଦେଶ କଂଗ୍ରେସ ପକ୍ଷରୁ ଦୁଇଟି ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ରହିବା କାରଣରୁ ବାଚସ୍ପତି ସଚିନ ପାଇଲଟ୍ ଓ ତାଙ୍କର ସମର୍ଥକ ୧୮ ବିଧାୟକଙ୍କୁ ନୋଟିସ୍ ଜାରି କରି ଜବାବ ଦେବାକୁ କହିଥିଲେ। ବାଚସ୍ପତି କହିଥିଲେ ଯେ, ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀ ଦଳ ବଦଳ ଆଇନ ଉଲ୍ଲଂଘନ କରିଛନ୍ତି। କିନ୍ତୁ ପାଇଲଟ୍‌ଙ୍କ କହିବା କଥା ବୈଠକରେ ଅନୁପସ୍ଥିତ ରହିବାର ଅର୍ଥ ଦଳ ବଦଳ ଆଇନ ଉଲ୍ଲଂଘନ କରିବା ନୁହେଁ। ମୁଁ କୌଣସି ଦଳରେ ଯୋଗ ଦେଉ ନାହିଁ। ପାର୍ଟିରେ ସ୍ଵର ଉଠାଇବା କଣ ଦଳ ବିରୋଧୀ କାମ ବୋଲି ସଚିନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.