ପାଲଲହଡାରୁ ଧର୍ମେନ୍ଦ୍ର ନିର୍ବାଚନ ଲଢିବା ନିଷ୍ପତ୍ତିକୁ ନେଇ ବିଜେଡି ଓ କଂଗ୍ରେସର ଅଂକକଷା ଆରମ୍ଭ
3/12/2018 at 6:10 PM

ଭୁବନେଶ୍ବର ୩|୧୨: ଆସନ୍ତା ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଇସାରା ଧର୍ମେନ୍ଦ୍ର ଦେବା ପରେ ରାଜ୍ୟ ରଜନୀତି ନୂଆ ମୋଡ ନେଇଛି । ଧର୍ମେନ୍ଦ୍ରକୁ ପଳାତକ କହୁଥିବା ବିଜେଡି ନେତାଙ୍କ ମନରେ ଏବେ ଛନକା ପିସିଛି ।ସେପଟେ କଂଗ୍ରେସ କହିଛି ନିର୍ବାଚନ ଲଢ଼ି ଜିତିଲେ ପ୍ରକୃତ ନେତୃତ୍ବ ଜଣାପଡିବ…
ପୁଣି ପାଲଲହଡ଼ା ଫେରିବେ ଧର୍ମେନ୍ଦ୍ର। ରାଜ୍ୟ ସଭା ନୁହେଁ ଏବେ ଭୋଟରଙ୍କ ସିଧା ପସନ୍ଦ ହେବେ। ପୁରୁଣା ନିର୍ବାଚନ ମଣ୍ଡଳୀ ପାଲଲହଡାରୁ ବିଧାନସଭା ପ୍ରାର୍ଥୀ ହେବେ ବୋଲି ଇସାରା ଦେଇଛନ୍ତି ଧର୍ମେନ୍ଦ୍ର । ଏକଥା କହିବା ପଛରେ ଧର୍ମେନ୍ଦ୍ର ଦୁଇଟି ଗୁଗଲି ଏକାଥରକେ ଖେଳିଛନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରଥମ ହେଲା ରାଜ୍ୟସଭା ମାଧ୍ୟମ ନହୋଇ ସିଧା ସଳଖ ଲୋକଙ୍କ ସହ ସମ୍ପର୍କରେ ରହିବା । ଦ୍ବିତୀୟରେ ବିଧାନ ସଭାରୁ ଲଢ଼ିବା ସଙ୍କେତ ଦେଇ ମିଶନ ୧୨୦ ପ୍ଲସକୁ ଆଗକୁ ନେବା ଯୋଜନାରେ ଅଛନ୍ତି ଧର୍ମେନ୍ଦ୍ର । ଏଭଳି ହେଲେ ୨୦୧୯ରେ ଫୋକସ ହେବ ନବୀନ ବନାମ ଧର୍ମେନ୍ଦ୍ର । ଆଉ ମୋଦିଙ୍କ ଘନଘନ ଓଡିଶା ଗସ୍ତରୁ ଫାଇଦା ନେଇ ବିଜେପି ଆଗକୁ ବଢ଼ିବ ବୋଲି ବ୍ଲୁପ୍ରିଣ୍ଟ ପ୍ରସ୍ତୂତ କରିଛି ବିଜେପି । ତେବେ ଧର୍ମେନ୍ଦ୍ର ଏକଥା କାଲି ନିଜ ଅଞ୍ଚଳରେ ସୂଚନା ଦେଇଥିଲେ ବି କେନ୍ଦ୍ରୀୟ ନେତୃତ୍ବ କୋର୍ଟକୁ ବଲ ଫିଙ୍ଗିଛନ୍ତି । କହିଛନ୍ତି ମୁଁ କେଉଁଠୁ ଠିଆ ହେବି ତାହା ଦଳ ସ୍ଥିର କରିବ।
ଧର୍ମେନ୍ଦ୍ରଙ୍କ ଏ ଭଳି ଇଙ୍ଗିତ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବ ସ୍ବାଭାବିକ। କାରଣ ଧର୍ମେନ୍ଦ୍ର ସିଧାସଳଖ ଯଦି ବିଧାନସଭା ନିର୍ବାଚନ ଲଢ଼ନ୍ତି ତାହେଲେ ବିଜେପି ଆହୁରି ଜୋସରେ ଲଢ଼ିବ । ଧର୍ମେନ୍ଦ୍ରଙ୍କୁ ଚେକ ଦେବାକୁ ବିଜେଡି ପୂରା ଜାଲ ବିଛାଇବ। ଆଗରୁ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ବିଜେଡି କହୁଥିଲା ପଳାତକ ନେତା । ଏବେ ପୂଣି ବିଜେଡି କହୁଛି ଧର୍ମେନ୍ଦ୍ରଙ୍କ ଗୋଡ ତଳେ ମାଟି ତ ଅଛି କି ନାହିଁ ତାର ପ୍ରମାଣ ଦିଅନ୍ତୁ କେନ୍ଦ୍ର ମନ୍ତ୍ରୀ । କଂଗ୍ରେସ କହିଛି ମୁହାଁମୁହିଁ ଲଢ଼େଇରେ ଅସଲ ନେତୃତ୍ବ ସମନାକୁ ଆସିବ। ତେଣୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ କଥା
ନିର୍ବାଚନ ସମୟରେ ନେତାଙ୍କ ଦଳ ଡିଆଁ ପର୍ବ ଜୋର ଧରିଥିବା ବେଳେ ଏବେ ଧର୍ମେନ୍ଦ୍ରଙ୍କ ସିଧାସଳଖ ନିର୍ବାଚନ ଲଢ଼ିବା ନିଷ୍ପତି ଏଥର ସମ୍ମୁଖ ଯୁଦ୍ଧକୁ ଆହୁରି ଜୋରଦାର କରିଛି।