ପ୍ରତିଷ୍ଠା ଦିବସରେ ବିଜେଡ଼ିରେ ଯୋଗ ଦେଇଥାନ୍ତେ ବିଜୟ-ଦିଲ୍ଲୀପ ! କ’ଣ ହେଲା?

Published By : Prameya-News7 Bureau | December 26, 2018 IST

ଭୁବନେଶ୍ବର ୨୬/୧୨: ଆଜି ବିଜେଡ଼ିର ୨୧ତମ ପ୍ରତିଷ୍ଠା ଦିବସ ଥିଲା। ଏହି ପ୍ରତିଷ୍ଠା ଦିବସକୁ ନେଇ ପୂର୍ବରୁ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ପ୍ରତିଷ୍ଠା ଦିବସରେ ଦଳ ବାହାରେ ଥିବା ଦଳର ଦୁଇ ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ପୁଣି ଦଳକୁ ଫେରିବେ ବୋଳି ଚର୍ଚ୍ଚା ହେଉଥିଲା। ନିକଟରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସରିବା ପରେ ମଧ୍ୟ ବିଜୟ ମହାପାତ୍ର ଏବଂ ଦିଲ୍ଳୀପ ରାୟଙ୍କ ଯୋଗଦାନ ନେଇ କୈାଣସି ସୂଚନା ମିଳିନାହିଁ। ଫଳରେ ଏବେ ପୁଣି ନୂଆ ରାଜନୈତିକ ଚର୍ଚ୍ଚା ଦାନା ବାନ୍ଧିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ,୨୪ ତାରିଖରେ ମୋଦୀଙ୍କ ଓଡ଼ିଶା ଗସ୍ତ ବେଳେ ବିଜେଡ଼ି ଛାଡ଼ିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବେ। ସେହିଭଳି ବିଜେପି ଛାଡ଼ିଥିବା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଅର୍ଥାତ୍ ବିଜେଡ଼ିର ପ୍ରତିଷ୍ଠା ଦିବସରେ ବିଜେଡ଼ିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ବେଳେ ନା ବୈଜୟନ୍ତ ବିଜେପିରେ ଯୋଗ ଦେଲେ ନା ଦିଲ୍ଲୀପ-ବିଜୟ ଯୋଡ଼ି ଆଜି ବିଜେଡ଼ିରେ ଯୋଗ ଦେଲେ।

ତଥ୍ୟାଭିଜ୍ଞ ମହଲ ଅନୁସାରେ ବିଜୟ-ଦିଲ୍ଲୀପଙ୍କୁ ବିଜେଡ଼ିରେ ଯୋଗ ଦେବା ପାଇଁ ସୁଯୋଗ ଦେବାଲାଗି ବିଜେଡ଼ିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚାହୁଁଥିଲେ ମଧ୍ୟ ନିଜେ ନବୀନଙ୍କ ପାଖରେ କଥା ଅଟକିଛି। ବିଜୟଙ୍କ ବାବଦରେ ନବୀନ କୈାଣସି ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରିପାରୁନାହାନ୍ତି। ବିଜୟଙ୍କ ଆକ୍ରମଣାତ୍ମକ ରାଜନୈତିକ ଆଭିମୁଖ୍ୟ ଓ ଶୈଳୀକୁ ନବୀନ ଗ୍ରହଣ କରିପାରୁନାହାନ୍ତି। କୁହାଯାଇଛି ଯେ, ଦିଲ୍ଲୀପ ରାୟଙ୍କୁ ବିଜେଡ଼ିରେ ସାମିଲ କରିବା ନେଇ ନବୀନଙ୍କ କୈାଣସି ସକରାତ୍ମକ ବା ନକରାତ୍ମକ ମତ ମନ୍ତବ୍ୟ ନଥିବାବେଳେ ବିଜୟ ମହାପାତ୍ରଙ୍କ ପ୍ରସଙ୍ଗକୁ ନେଇ ଏବେ ବି ଦ୍ବନ୍ଦରେ ରହିଛନ୍ତି।

ଅନ୍ୟ ପକ୍ଷରେ ଆଉ ଏକ ରାଜନୈତିକ ଆଲୋଚନାଚକ୍ର ଯଦି ବିଚାରକୁ ନିଆଯାଏ ତାହେଲେ ମଧ୍ୟ ବିଜୟ-ଦିଲ୍ଲୀପ ବିଜେଡ଼ିକୁ ଫେରିବା ଏକ ସୁଦୂର ପରାହତ ସ୍ବପ୍ନ କେବଳ । ରାଜନୈତିକ ସମୀକ୍ଷକଙ୍କ ମତରେ ବୈଜୟନ୍ତ,ଦିଲ୍ଲୀପ ଏବଂ ବିଜୟଙ୍କ ପ୍ରସଙ୍ଗରେ ଉପର ସ୍ତରରେ ବିଜେପି-ବିଜେଡ଼ି ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଛି। ବୁଝାମଣା ଅନୁସାରେ ବୈଜୟନ୍ତଙ୍କୁ ବିଜେପି ଦଳରେ ସ୍ଥାନ ଦେବ ନାହିଁ। ସେହିଭଳି ବିଜୟ ଏବଂ ଦିଲ୍ଲୀପଙ୍କୁ ବିଜେଡ଼ିରେ ସ୍ଥାନ ଦିଆଯିବ ନାହିଁ।

‘ନମିଳିଲା ଅଙ୍ଗୁର ଖଟା’ଭଳି। ସେଥିପାଇଁ ବୈଜୟନ୍ତ ଏବେ ବିଜେପିକୁ କେଞ୍ଚିବା ଆରମ୍ଭ କରିଛନ୍ତି ବୋଲି ଆଲୋଚନା ହେଉଛି। ଗତକାଲି ବୈଜୟନ୍ତ ଏକ ଟ୍ବିଟ୍ ଜରିଆରେ ଓଡ଼ିଶାରେ ବିଜେପିର ସ୍ଥିତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ସେହିଭଳି ୨୪ତାରିଖରେ ମୋଦୀ ଓଡ଼ିଶା ଆସି ଫେରିବା ପରେ ବା ବିଜେଡ଼ି ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଜୟ ଅସମ୍ଭବ ନୀରବତା ଅବଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ଯେ,ଦିଲ୍ଲୀପ ରାୟ ବିଦେଶ ଗସ୍ତରେ ରହିଛନ୍ତି। ସେ ବିଦେଶରୁ ଫେରିବା ପରେ ଯାଇ ସେମାନଙ୍କ ଆଭିମୁଖ୍ୟ କ’ଣ ହେବ ତାହା ସ୍ପଷ୍ଟ କରିବେ ବୋଲି ବିଜୟ ବରାବର କହିଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.