ରାଜନୈତିକ କର୍ମୀ ତଥା ତେଲଗୁ କବି ବରବରା ରାଓ କୋରନା ପଜେଟିଭ ଚିହ୍ନଟ, ଡାକ୍ତର କହିଲେ asymptomatic
16/07/2020 at 8:37 PM

ମୁମ୍ବାଇ ୧୬।୭: ଭୀମା କୋରେଗାଁଓ ହିଂସା ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ବନ୍ଦୀ ଥିବା ରଜନୈତିକ କର୍ମୀ ତଥା ବିପ୍ଲବୀ କବି ବରବରା ରାଓ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଜେ.ଜେ. ହସ୍ପିଟାଲ ଡିନ୍ ଡା.ରଞ୍ଜିତ ମନକେଶ୍ୱର ଗୁରୁବାର ଏହି ସୂଚନା ଦେଇଛନ୍ତି। ଏଲଗାର ପରିଷଦ ବାର୍ଷିକ ସମ୍ମିଳନୀରେ ଉତ୍ତେଜକ ଭାଷଣ ପ୍ରସଙ୍ଗରେ ପୁଣେ ପୋଲିସ ତାଙ୍କୁ ଜୁନ୍ ୨୦୧୮ରେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ବନ୍ଦୀ ଅଛନ୍ତି।

ଗିରଫଦାରୀ ପରେ ରାଓଙ୍କୁ ପୋଲିସ ତାଙ୍କ ସହଯୋଗୀଙ୍କ ସହ ପୁଣେ ଏରୱାଡା ଜେଲରେ ରଖିଥିଲା। ତେବେ ଚଳିତବର୍ଷ ପ୍ରାରମ୍ଭରେ ମୁମ୍ବାଇ ଉପକଣ୍ଠରେ ଥିବା ତାଲୋଜା କେନ୍ଦ୍ରୀୟ କାରଗାରକୁ ତାଙ୍କର ସ୍ଥାନାନ୍ତରଣ ହୋଇଥିଲା। ଗତ ମେ ମାସରୁ ସେ ଜେଲରେ ଅସୁସ୍ଥ ଥିଲେ। ଜେଲ ବିଭାଗ ପକ୍ଷରୁ ତାଙ୍କୁ ଜେ.ଜେ. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ତାଙ୍କୁ ପୁଣି ଜେଲକୁ ନିଆଯାଇଥିବା ବେଳେ ସେ ସେଠାରେ ନିୟମିତ ଅସୁସ୍ଥ ରହୁଥିଲେ।

ନିକଟରେ ବରବରା ରାଓଙ୍କ ମୁକ୍ତି ଲାଗି କଂଗ୍ରେସର ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବା ଲାଗି ପତ୍ର ଲେଖିଥିଲେ। ଏଥିରେ ଜଣେ ୮୧ ବର୍ଷ ବୟସ୍କ ବୃଦ୍ଧ ଭାରତ ଭଳି ଏକ ଦେଶରେ ସେଭଳି କୌଣସି ସୁରକ୍ଷା ସମ୍ପର୍କିତ ପରିସ୍ଥିତି ସୃଷ୍ଟି କରି ନ ପାରନ୍ତି ବୋଲି ଉଲ୍ଲେଖ କରିଥିବା ବେଳେ ଜେଲରେ ସେ ମାନସିକ ସନ୍ତୁଳ ହରାଇ ବସିଥିବାର ସୂଚିତ କରିଥିଲେ। ତେବେ ଚୌଧୁରୀଙ୍କ ଚିଠି ପରେ ଜେଲ ବିଭାଗ ବାରବରା ରାଓଙ୍କୁ ପୁଣି ଜେ.ଜେ. ହସ୍ପିଟାଲକୁ ନେଇଥିବା ବେଳେ ସେ କରୋନା ପଜେଟିଭ ଥିବା ଜଣାପଡିଛି।

ତେବେ ରାଓଙ୍କ ଠାରେ କୋଭିଡ-୧୯ର କୌଣସି ଲକ୍ଷଣ ଏ ଯାଏ ଦେଖାଯାଇନି ବୋଲି ଡିନ୍ ଡା. ମନକେଶ୍ୱର କହିଛନ୍ତି। ତାଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷଣ ଲାଗି ପଠାଯାଇଥିବା ବେଳେ ଗୁରୁବାର ମିଳିଥିବା ରିପୋର୍ଟରେ ସେ ପଜିଟିଭ ଥିବା ଜଣାପଡିଛି। ତାଙ୍କ ଠାରେ ଶର୍ଦ୍ଦି, କାଶ, ଜ୍ୱରର କୌଣସି ଲକ୍ଷଣ ନଥିବା ବେଳେ ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ତାଙ୍କୁ କୌଣସି ଅସୁବିଧା ହେଉ ନଥିବା ଡା.ମନକେଶ୍ୱର କହିଛନ୍ତି। ଏବେ ରାଓ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣୁ ତାଙ୍କୁ ଜେ.ଜେ. ହସ୍ପିଟାଲରୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦିଆଯିବ ବୋଲି ଡା.ମନକେଶ୍ୱର କହିଛନ୍ତି।