ପୋଲିଓ ଟିକାକରଣ ସମୟରେ ଗୁଳିକାଣ୍ଡ: ୨ ପୋଲିସ କର୍ମୀ ମୃତ, ଲାଡେନର ମୃତ୍ୟୁ ପରଠୁ ବଢ଼ିଛି ଭୟ

Published By : Prameya-News7 Bureau | June 09, 2021 IST

ଇସ୍ଲାମାବାଦ ୯/୬: ପାକିସ୍ତାନର ଖୈବର-ପଖତୁନଖ୍ବା ଅଞ୍ଚଳରେ ପୋଲିଓ ଟିକାରକଣ ଟିମ୍‌କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ଉପରେ ଗୁଳିମାଡ। ଏହି ଆକ୍ରମଣରେ ୨ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାଟି ବୁଧବାର ଦିନ ଘଟିଛି। ମିଳିଥିବା ସୂଚନା ଅନୁସାରେ ପୋଲିଓ ଟିକାକରଣ କରିବାକୁ ସ୍ବାସ୍ଥ୍ୟକର୍ମୀଙ୍କ ଟିମ୍‌ ମର୍ଦାନ ସହର ନିକଟ ଏକ ଗାଁରେ ପହଞ୍ଚିଥିଲା। ତେବେ ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବାକୁ ତାଙ୍କ ସହ ଏକ ପୋଲିସ ଟିମ୍‌ ମୁତୟନ ହୋଇଥିଲା।

ଜଣେ ପୋଲିସ ଅଧକାରୀଙ୍କ ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପୋଲିସ କର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ଟଳିପଡ଼ିଲେ ୨ ପୋଲିସ କର୍ମୀ। ଏବେ ଯାଏ କୌଣସି ସଂଗଠନ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଟିକାକରଣକୁ ନେଇ ପାକିସ୍ତାନୀ ଆତଙ୍କୀ ସଂଗଠନକୁ ଏତେ ଭୟ କାହିଁକି ? ଏହାର ମୁଖ୍ୟ କାରଣ ୨୦୧୧ରେ ଆମେରିକା କମାଣ୍ଡୋ ପାକିସ୍ତାନରେ ଥିବା ଅଲକାଏଦା ମୁଖ୍ୟ  ଓସାମା ବିନ୍‌ ଲାଡେନକୁ ମାରିଥିଲେ। ପରେ ଖୁଲାସା ହୋଇଥିଲା ଆମେରିକା ଗୁଇନ୍ଦା ବିଭାଗ ଲାଡେନକୁ ଧରିବା ପାଇଁ ପାକିସ୍ତାନରେ ନକଲି ହେପାଟାଇଟସ୍‌ ଟିକାକରଣ ଅଭିଯାନ ଚଳାଇଥିଲା।

ଏଭଳି ଏକ ଖୁଲାସା ପରେ ପାକିସ୍ତାନରେ ଟିକାକରଣ ଅଭିଯାନ ଉପେରେ ଆକ୍ରମଣ ବଢ଼ିଛି। ତେଣୁ ଟିକାକରଣ ସମୟରେ ପୋଲିସ ମୁତୟନ ରହୁଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ଏମିତି ଦୁଇ ଦେଶ  ଯେଉଁଠି ଏବେ ପୋଲିଓ ଭୟ ସୃଷ୍ଟି କରୁଛି। ସେଠା​‌ରେ ପୋଲିଓ ବିରୋଧରେ ଏବେ ବି ଲଢ଼େଇ ଜାରି ରହିଛି। ଏହା ପୂର୍ବରୁ ଜାନୁଆରୀରେ ଟିକାକରଣ ଅଭିଯାନ ସମୟରେ ଜଣେ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.