Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟବସାୟୀଙ୍କୁ ସାବଧାନ କଲା ପୋଲିସ: ମାସ୍କ, ଗ୍ଲୋବସ୍ ପିନ୍ଧ, ଗ୍ରାହକ ପିନ୍ଧି ନଥିଲେ ତାଙ୍କୁ ଦିଅନାହିଁ ସଉଦା

କରୋନା ସଂକ୍ରମଣ ଯୋଗୁ ଦେଶ ଲକ୍‌ ଡାଉନ୍‌କୁ ଚାଲିଯାଇଛି। ତେବେ ଲୋକଙ୍କ ଜରୁରି ଆବଶ୍ୟକତା ଯେପରି ପ୍ରଭାବିତ ନ ହୁଏ ସେଥିଲାଗି  ଗ୍ରୋସରୀ, ପରିବାର, ମାଛ,ମାଂସ, ଅଣ୍ଡା, ଖୀର, ଔଷଧ ଓ ଅନ୍ୟ ଜରୁରି ସାମଗ୍ରୀ ଦୋକାନ ସବୁ ଖୋଲା ରହିଛି। ଲୋକେ ବିଭିନ୍ନ ସାମଗ୍ରୀ କ୍ରୟ ଲାଗି ଲଗାତାର ଏପରି ଦୋକାନକୁ ଯିବା ଆସିବା ବି କରୁଛନ୍ତି। ଗୋଟିଏ ଗୋଟିଏ ସ୍ଥାନରେ ଗ୍ରାହକ କିଛି କାରଣ ନ ଥାଇ ଭିଡ କରୁଛନ୍ତି। ଏଣୁ ପୋଲିସ ପହଞ୍ଚି ଭିଡ ତଡିବାକୁ ବାଧ୍ୟ ହେଉଛି। ତେବେ ପାଟ୍ରୋଲିଂ ବେଳେ ପୋଲିସ ଦୋକାନୀଙ୍କୁ ମଧ୍ୟ ଭୂତାଣୁ ସଂକ୍ରମଣ ନେଇ ସତର୍କ କରାଉଥିବା ଦେଖାଯାଇଛି।

ବ୍ୟବସାୟ କରିବା ଲାଗି ବ୍ୟବସାୟୀଙ୍କୁ ମାସ୍କ ଓ ଗ୍ଲୋବସ୍‌  ପିନ୍ଧିବା ପୋଲିସ୍ ଅନିବାର୍ଯ୍ୟ  କରିଛି। ସେହିପରି ଯେଉଁମାନେ ମାସ୍କ ପିନ୍ଧି ନ ଆସୁଛନ୍ତି ସେମାନଙ୍କୁ ସଉଦା ନଦେବା ଲାଗି ମଧ୍ୟ ବ୍ୟବସାୟୀଙ୍କୁ  ପୋଲିସ ତାଗିଦ୍ କରିଥିବା ଜଣାପଡିଛି। ଦିଲ୍ଲୀଜାମିଆ ନଗରରେ ପୋଲିସ ବ୍ୟବସାୟୀଙ୍କୁ ଏପରି ପରାମର୍ଶ ଦେଉଥିବା ଦେଖାଯାଇଛି। ଏବେ ଯେତେ ସମ୍ଭବ ଲୋକଙ୍କୁ ଘରେ ରଖିବା ପୋଲିସର ପ୍ରାଥମିକତା। ଏଣୁ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଅଟକାଇ ପୋଲିସ ସେମାନଙ୍କୁ ପଚରା ଉଚରା ବି କରୁଛି।

ପ୍ରଧାନମନ୍ତ୍ରୀ କରୋନା ଶୃଙ୍ଖଳା ଛିନ୍ନ କରିବା ଲାଗି ୨୧ ଦିନିଆ ଲକଡାଉନ ଲାଗି ନିବେଦନ କରିଛନ୍ତି। ଏଣୁ ପ୍ରଥମ ଦିନରୁ କରୋନା ପ୍ରତି ସଜାଗ ଥିବା ସରକାର ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ନିବେଦନ କରୁଛନ୍ତି। ଦେଶରେ ବୁଧବାର ଅପରାହ୍ଣ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦୬ରେ ପହଞ୍ଚିଥିବା ବେଳେ ସାରା ବିଶ୍ୱରେ ୪ଲକ୍ଷ ୭ ହଜାର ୬୭୦ରେ ପହଞ୍ଚିଛି।

   Related Posts