୮ବର୍ଷ ତଳେ ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକ ମିଶି ହତ୍ୟା କରିଥିଲେ ରବିଙ୍କୁ, ବ୍ରେନ୍ ମ୍ୟାପିଂ ଜରିଆରେ ପୋଲିସ କଲା ପର୍ଦ୍ଦାଫାଶ : କ’ଣ ଏହି ବ୍ରେନ୍ ମ୍ୟାପିଂ ଜାଣନ୍ତୁ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ ୮।୧୦: ବ୍ରେନ୍ ମ୍ୟାପିଂ ଜରିଆରେ ୮ବର୍ଷ ତଳେ ଦିଲ୍ଲୀରେ ଘଟିଥିବା ରବି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଦୀର୍ଘ ୮ ବର୍ଷ ଧରି ଏହି ହତ୍ୟାକାଣ୍ଡ ରହସ୍ୟାବୃତ୍ତ ହୋଇ ରହିଥିଲା । ଏପରିକି ମୃତ ରବିଙ୍କର ଶବ ମଧ୍ୟ ପୋଲିସକୁ ଏଯାଏଁ ମିଳିନଥିଲା । ତେବେ ବ୍ରେନ୍ ମ୍ୟାପିଂ ପରେ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ଗିରଫ କରିବା ସହ ରାଜସ୍ଥାନର ଟାପୁକଡା ଗାଁରେ ପୋତାଯାଇଥିବା ରବିଙ୍କ ଶବ ଉଦ୍ଧାର କରିଛି ।

{"id":167563}

ସୂଚନାଯୋଗ୍ୟ ଯେ, ୮ବର୍ଷ ତଳେ ଦିଲ୍ଲୀର କାପସହେଡାର ସମ୍ଭାଲଖା ଅଞ୍ଚଳରେ ରବି ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ହୋଇଥିଲା । ରବିଙ୍କ ହତ୍ୟା ହୋଇଥିବା ନେଇ ସମସ୍ତ ପାରିପାର୍ଶ୍ବିକ ପ୍ରମାଣ ମିଳିଥିଲେ ମଧ୍ୟ ରବିଙ୍କ ଶବ କିନ୍ତୁ ପୋଲିସ ଠାବ କରିପାରୁନଥିଲା । ଏହି ହତ୍ୟାକାଣ୍ଡରେ ରବିଙ୍କ ସ୍ତ୍ରୀ ଶକୁନ୍ତଳା ଓ ତାର ପ୍ରେମିକ ସଂପୃକ୍ତ ଥିବା ପ୍ରଥମରୁ ହିଁ ପୋଲିସ ସନ୍ଦେହ କରୁଥିଲା । ତେବେ ଘଟଣାରେ ଏମାନଙ୍କ ସଂପୃକ୍ତି ନେଇ ପୋଲିସ ପାଖରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନଥିଲା ।

{"id":167564}

ଶେଷରେ ହତ୍ୟାକାଣ୍ଡର ୮ବର୍ଷ ପରେ ଗତ ମାସ ୨୭ତାରିଖରେ ଶକୁନ୍ତଳା ଓ ତା ପ୍ରେମିକର ବ୍ରେନ୍ ମ୍ୟାପିଂ କରାଇଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ବ୍ରେନ୍ ମ୍ୟାପିଂ ବେଳେ ଏ ଦୁଇ ଜଣ ଯାକ ଘଟଣାରେ ସଂପୃକ୍ତ ବୋଲି ଆପାତତଃ ପ୍ରମାଣ ମିଳିଥିଲା । ତେବେ ବ୍ରେନ୍ ମ୍ୟାପିଂ ପରେ ପରେ ଉଭୟ ଫେରାର ହୋଇଯାଇଥିଲେ । ଏମାନଙ୍କ ଫେରାର ହେବା ମଧ୍ୟ ଏମାନଙ୍କ ସଂପୃକ୍ତି ନେଇ ପୋଲିସର ସନ୍ଦେହକୁ ଅଧିକ ଦୃଢିଭୂତ କରିଥିଲା । ଫଳରେ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରଥମେ ଶକୁନ୍ତଳାଙ୍କ ପ୍ରେମିକ କମଲ ସିଂଘଲକୁ ଗିରଫ କରିଥିଲା । ଗିରଫ ପରେ କମଲ ହତ୍ୟାକାଣ୍ଡର ସଂପୂର୍ଣ୍ଣ ସୂଚନା ପୋଲିସକୁ ଦେଇଥିଲା ।

କମଲର ବୟାନ ଆଧାରରେ ରାଜସ୍ଥାନର ଟାପୁକଡା ଗାଁର ଏକ ସ୍ଥାନରେ ମାଟି ଖୋଳି ମୃତ ରବିଙ୍କ କଙ୍କାଳ ଉଦ୍ଧାର କରିଥିଲା । ଏବେ ବି ଶକୁନ୍ତଳା ଫେରାର ଅଛି । କମଲ ପୋଲିସକୁ ଦେଇଥିବା ସୂଚନା ଅନୁସାରେ ସେମାନେ ରବିଙ୍କୁ ଅପହରଣ କରିନେଇ ହତ୍ୟା କରିବା ପରେ ମାଟି ତଳେ ପୋତିଦେଇଥିଲେ । ଏହି ଘଟଣା ଶକୁନ୍ତଳା, କମଲ ଓ ସେମାନଙ୍କ ଡ୍ରାଇଭର ହିଁ ଜାଣିଥିଲା । ପୋଲିସ ଏବେ ସଂପୃକ୍ତ ଡ୍ରାଇଭରକୁ ମଧ୍ୟ ଖୋଜୁଛି ।

ବ୍ରେନ୍ ମ୍ୟାପିଂ କ'ଣ :

{"id":167562}

୮ବର୍ଷ ତଳର ଏକ ଜଟିଳ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ ସହାୟକ ହୋଇଥିବା ବ୍ରେନ୍ ମ୍ୟାପିଂ ପଦ୍ଧତି ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା । ଆମେରିକାର ଖ୍ୟାତନାମା ସ୍ନାୟୁରୋଗ ବିଶେଷଜ୍ଞ ଲରେନ୍ସ ଏ ଫାରଓ୍ବେଲ ଏହାର ଆବିଷ୍କାର କରିଥିଲେ । ଏହି ପରୀକ୍ଷା କରିବା ପାଇଁ ପ୍ରଥମେ ସନ୍ଦିଗ୍ଧ ଅପରାଧୀଙ୍କ ମୁଣ୍ଡରେ ଏକ ହେଲମେଟ୍ ଭଳି ଯନ୍ତ୍ର ପିନ୍ଧାଇ ଦିଆଯାଏ । ଏହି ହେଲମେଟ୍ ମଧ୍ୟରେ ବିଭିନ୍ନ ପ୍ରକାରର ସେନସର ଲାଗିଥାଏ । ହେଲମେଟ୍ ପିନ୍ଧିବା ମାତ୍ରେ ମସ୍ତିଷ୍କ ମଧ୍ୟରେ ସୃଷ୍ଟି ହେଉଥିବା ହଲଚଲକୁ କମ୍ପ୍ୟୁଟର ରେକର୍ଡ କରିବା ଆରମ୍ଭ କରିଥାଏ ।

{"id":167565}

ହେଲମେଟ୍ ପିନ୍ଧିବା ପରେ ସନ୍ଦିଗ୍ଧ ଅପରାଧୀଙ୍କୁ ସଂପୃକ୍ତ ଅପରାଧ ସଂପର୍କୀତ ଫଟୋ, ଭିଡିଓ ଓ ଅଡିଓ ଦେଖାଯାଇଥାଏ । ଏହା ଦେଖିବା ପରେ ସନ୍ଦିଗ୍ଧ ଅପରାଧୀଙ୍କ ମସ୍ତିସ୍କରେ ସୃଷ୍ଟି ହେଉଥିବା ଅସ୍ବାଭାବିକତାକୁ କମ୍ପ୍ୟୁଟର ମାଧ୍ୟମରେ ବିଶ୍ଳେଷଣ କରାଯାଏ । ଅପରାଧୀକୁ ଧରିବା ପାଇଁ ଏବଂ ଅପରାଧ ଉପରୁ ପରଦା ହଟାଇବା ପାଇଁ ପୋଲିସ ବିଭିନ୍ନ ପ୍ରକାରର ବୈଜ୍ଞାନିକ କୌଶଳ ଓ ଯନ୍ତ୍ର ବ୍ୟବହାର କରିଥାଏ । । ବ୍ରେନ୍ ମ୍ୟାପିଂ ସେଥିମଧ୍ୟରୁ ଅନ୍ୟତମ । ବ୍ରେନ୍ ମ୍ୟାପିଂକୁ ଇଲେକ୍ଟ୍ରୋଏସନେଫଲୋଗ୍ରାମ ବା ଇଇଜି ବୋଲି ମଧ୍ୟ କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.