କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସ୍କାଣ୍ଡାଲ : ଆଜି ପୀଡିତାଙ୍କୁ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟକୁ ଆଣିବ ପୋଲିସ, ବ୍ୟାଙ୍କ୍ କର୍ମଚାରୀଙ୍କୁ କରିପାରେ ପଚରାଉଚରା

Published By : Prameya-News7 Bureau | October 31, 2019 IST

କେନ୍ଦ୍ରାପଡା ୩୧।୧୦: କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ପୋଲିସ ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୋଗ ପରେ ବି ୬ମାସ ଧରି ଚୁପ୍ ବସିଥିଲା କେନ୍ଦ୍ରାପଡା ପୋଲିସ । ଯୌନ କେଳେଙ୍କାରୀ ନେଇ ନ୍ୟୁଜ୍ ସେଭେନରେ ଖୁଲାସା ପରେ ଏବେ ପୋଲିସ ସକ୍ରିୟ ହୋଇଛି ।

ଆଜି ପୀଡିତା ମହିଳାଙ୍କୁ କେନ୍ଦ୍ରାପଡ଼ା ଟାଉନ୍ ପୋଲିସ ନୂଆ ବସ ଷ୍ଟାଣ୍ଡ ସ୍ଥିତ କ୍ରେଡିଟ୍ କୋଅପରେଟିଭ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଆଣିବ ।  ବ୍ୟାଙ୍କ ପରିସରରେ ପୀଡ଼ିତାଙ୍କ ବସିବା ସ୍ଥାନ, ତାଙ୍କ କାର୍ଯ୍ୟକ୍ଷେତ୍ର, ଅଭିଯୁକ୍ତ ସଭାପତି ପ୍ରମୋଦ ସାହୁଙ୍କ ଚାମ୍ବର ଓ ସିସିଟିଭି କ୍ୟାମେରାର  ଯାଞ୍ଚ କରିବ ପୋଲିସ । ଘଟଣା ସମ୍ପର୍କରେ ପୋଲିସ କ୍ରେଡିଟ୍ କୋଅପରେଟିଭ ବ୍ୟାଙ୍କର ଅନ୍ୟ କର୍ମଚାରୀ ଙ୍କୁ ମଧ୍ୟ ପଚରା ଉଚରା କରିପାରେ | 

କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ଲିମିଟେଡ୍ ସଭାପତିଙ୍କ ନାଁରେ ଯୌନ କେଳେଙ୍କାରୀ ମାମଲା ଏବେ ବାଟରେ ପଡ଼ି ହାଟରେ ଗଡୁଛି । କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ଲିମିଟେଡର  ସଭାପତି ପ୍ରମୋଦ ସାହୁ କେମିତି ଫୋନରେ  ତାଙ୍କରି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଫାଶରେ ପକାଉଥିଲେ ।  ଧମକଚମକ ଦେଉଥିଲେ ।  ମୋବାଇଲ ଫୋନ୍ ଶିଖେଇଦେବାକୁ କହି ଚାମ୍ବରକୁ ଡାକିବା ସହ ରାତିରେ ଫୋନ୍ କରି ହଇରାଣ କରୁଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ପୀଡିତା । 

ଅଭିଯୋଗ ଅନୁଯାୟୀ, ଫୋନ୍ କରି ଖରାପ ବ୍ୟବହାର କରିବା ସହିତ ହ୍ବାଟ୍ ସ ଆପ୍ ରେ ବ୍ୟକ୍ତିଗତ ଚାଟ୍ କରୁଥିଲେ । କେବଳ ସେତିକି ନୁହେଁ ତାଙ୍କୁ ବିଭିନ୍ନ ଦାମୀ ଉପହାରର ପ୍ରଲୋଭନ ଦେଖାଉଥିଲେ । ତେବେ  ବିଫଳ ହେବା ପରେ ଶେଷରେ ମହିଳାଙ୍କୁ ଏପ୍ରିଲ ୨୬ ତାରିଖରେ ମାର୍ଶାଘାଇ ଶାଖାକୁ ବଦଳି କରି ଦିଆଗଲା ।  ଏହାର ପ୍ରତିବାଦ କରିବାରୁ ତାଙ୍କୁ  ଧମକ ଚମକ ଦିଆଯାଉଥିଲା  । ବାଧ୍ୟ ହୋଇ ଜୁନ୍ ମାସ ୧୬ ତାରିଖରେ ଚାକିରୀରୁ ଇସ୍ତଫା ଦେଇଥିବା ପୀଡ଼ିତା କହିଛନ୍ତି ।

ପୀଡିତା ଜଣକ ମହିଳା କମିଶନ ଓ ମାନବିକ ଅଧିକାର କମିଶନଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି । କେନ୍ଦ୍ରାପଡା ଏସପି ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ନିଜ ପାଖରେ ଥିବା ଅଡିଓ ଓ ସମସ୍ତ ପ୍ରମାଣ ଦେଖାଇଛନ୍ତି । ଶେଷରେ ସେପ୍ଟେମ୍ବର ୨୦ରେ କେନ୍ଦ୍ରାପଡା ଡିଏସପି ଅମିତା ପଟ୍ଟନାୟକ କେନ୍ଦ୍ରାପଡା ଟାଉନ୍ ଥାନାରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। କିନ୍ତୁ ଦୁର୍ଭ।ଗ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତ  ପ୍ରମୋଦ ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏବେ ନ୍ୟୁଜ ସେଭେନ ଖବର ପରେ ପୋଲିସ ଆକ୍ଟିଭ ହୋଇ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.