ବିହାରରୁ ଗିରଫ ହେଲେ ଜେଏନୟୁ ଛାତ୍ର ଶରଜୀଲ ଇମାମ

Published By : Prameya-News7 Bureau | January 28, 2020 IST

ନୂଆଦିଲ୍ଲୀ୨୮/୧: ଦେଶଦ୍ରୋହ ମାମଲାର ଅଭିଯୁକ୍ତ ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ବିହାରରୁ ଗିରଫ। ଦିଲ୍ଲୀ ପୋଲିସ ଇମାମଙ୍କୁ ଗିରଫ କରିବା ସହ ଜେରା କରିବା ପାଇଁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି । ଦେଶକୁ ଖଣ୍ଡ ଖଣ୍ଡ କରିବା ପରି ଭାଷଣ ଦେବା ପରେ ଲୁଚି ବୁଲୁଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ପୋଲିସ ଶେଷରେ ଗିରଫ କରିଛି । ଆସାମକୁ ଭାରତରୁ ଅଲଗା କରିବା ଉତ୍ତେଜନା ମୂଳକ ଭାଷଣ ପରେ ଶରଜୀଲ ଚର୍ଚ୍ଚାକୁ ଆସିଥିଲା । କୁହାଯାଉଛି ଯେ ଶରଜୀଲକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ବିହାର ଜହାନାବାଦରୁ ଗିରଫ କରିଛି ।

ଏହା ପୂର୍ବରୁ ଶରଜୀଲର ଭାଇକୁ ମଧ୍ୟ ପୋଲିସ ହେପାଜତକୁ ନେଇଥିଲା । ଚାରି ଦିନ ପୂର୍ବେ ଶରଜୀଲ ଇମାମର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଅଲିଗଡ଼ ମୁସଲିମ ୟୁନିଭର୍ସିଟିର ମଞ୍ଚରୁ ପୂର୍ବୋତ୍ତର ରାଜ୍ୟ ଆସାମକୁ ଭାରତରୁ ଅଲଗା କରିବା କଥା କହିଥିଲେ । 

ସେପଟେ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି । ସେ ଟ୍ୱିଟ୍  କରିଛନ୍ତି ଯେ ଅମିତ ଶାହ କରି ଦେଖାଇଲେ କିନ୍ତୁ କେଜରିୱାଲ ଟୁକଡେ-ଟୁକଡେ ଗ୍ୟାଙ୍ଗକୁ ବଞ୍ଚାଇବା ପାଇଁ ଫାଇଲକୁ ମାଡ଼ି ବସିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଇଙ୍ଗିତ ଜେଏନୟୁର ବହୁଚର୍ଚ୍ଚିତ ଦେଶ ବିରୋଧୀ ନାରାବାଜି ମାମଲାରେ ଜେଏନୟୁର ଛାତ୍ରନେତା କହ୍ନୈୟା କୁମାର, ଉମର ଖାଲିଦ ପରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦିଲ୍ଲୀ ସରକାର ମଞ୍ଜୁରୀ ନ ଦେବା ସପକ୍ଷରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.