ଦୀପାବଳି ରାତିରେ ରାଜଧାନୀ ସୁନ୍ଦରପଦାରେ ଘଟିଥିବା ହତ୍ୟାକାଣ୍ଡର ବହୁ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି, ହେଲେ ପୋଲିସ ଧରିପାରୁନି ଅଭିଯୁକ୍ତଙ୍କୁ…

Published By : Prameya-News7 Bureau | October 29, 2019 IST

ଭୁବନେଶ୍ବର ୨୯|୧୦: ଏକାମ୍ର କଲେଜ ସାମ୍ନା  ଅମରେଶ ହତ୍ୟା କାଣ୍ଡ ଘଟଣାକୁ ୪୦ ଘଣ୍ଟା ବିତିବାକୁ ବସିଲାଣି । ଏବେବି କମିସନରେଟ ପୋଲିସର ହାତ ଖାଲି । ହତ୍ୟାକାଣ୍ଡ ଘଟଣାରେ ଅପରାଧି ମାନେ ଖୋଲା ଆକାଶ ତଳେ ନିର୍ବିଘ୍ନରେ ଘୁରି ବୁଲୁଛନ୍ତି ।

କୁଆଡେ ଗଲେ ଅମରେଶ ନାଏକର ହତ୍ୟାକାରୀ । ହତ୍ୟାକାଣ୍ଡ ପରେ ଏହି ହତ୍ୟାକାରୀମାନେ କଣ ରାଜ୍ୟ ଛାଡି ବାହାରକୁ ଚାଲିଯାଇନାହାନ୍ତି ତ। ଯାହାକୁ ଧରିବା ପାଇଁ କମିସନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସୋମବାର ସଂଧ୍ୟାରେ ଏକ ବିଶେଷ ଶୁତ୍ରରୁ ଖବର ପାଇ ପିପିଲି ଗେଟରେ ରାତି ସାରା ଜଗି ରହିଥିଲା ପୋଲିସ । ହେଲେ ହତ୍ୟକାରୀମାନେ ଏହାର ସୁରାକ ପାଇ ଆଉ ଭୁବନେଶ୍ବର ନଫେରି ପୁଣି ପୁରୀ ଫେରି ଯାଇଥିବା ପୋଲିସକୁ ସୂଚନା ମିଳିଛି ।

ଏହି ହତ୍ୟାକାଣ୍ଡ ଘଟଣାରେ ପ୍ରାୟ ୧୫ ରୁ ୨୦ ଜଣ ଅପରାଧି ସମ୍ପୃକ୍ତ ଥିବା ପୋଲିସ ପାଖରେ ଖବର ରହିଛି । ଏମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ପୁରୀ , କୋଣାର୍କ  ଓ ଏହାର ଆଖପାଖ ଅଞ୍ଚଳରେ ଲୁଚିଥିବା ପୋଲିସ ପାଖରେ ଖବର ପହଁଚିଛି । ଖୁବଶିଘ୍ର ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠିବ ଏବଂ ଅପରାଧିମାନଙ୍କୁ ଧରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ସେପଟେ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି  ଅମରେଶଙ୍କ ସହଯୋଗୀମାନେ । ଆସନ୍ତା ଦିନରେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇପାରେ ବୋଲି ଭୟରେ ଘରୁ ବାହାରୁ ନାହାନ୍ତି  । ସେପଟେ ପୋଲିସ ସଂନ୍ଦେହରେ ସୋମବାର ୪ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା ଜାରି ରଖିଛି । ତେବେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଏହି ଘଟଣାର ସମସ୍ତ ଅଭିଯୁକ୍ତ କେବେ ଆସିବେ ପୋଲିସ ହେପାଜତକୁ । ତାହାହିଁ ସମସ୍ତଙ୍କର ଅପେକ୍ଷା ।

ସୂଚନାଯୋଗ୍ୟ ଯେ, ଦୀପାବଳି ସଂଧ୍ୟରେ ସୁନ୍ଦରପଦା ଏକାମ୍ର କଲେଜ ସାମ୍ନାରେ ଅମରେଶ ନାୟକ ଓ ତାଙ୍କ ସହଯୋଗୀମାନେ ବାଣ ଫୁଟାଉଥିଲେ । ଏହି ସମୟରେ ସେଠାରେ ବସିଥିବା ଜଣେ ଯୁବକ ଏହାକୁ ବିରୋଧ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ତେବେ ଗଣ୍ଡଗୋଳ ଆପୋଷ ବୁଝାମଣା ମଧ୍ୟରେ ସମାଦାନ ହୋଇଥିଲା । ଅମରେଶ ଓ ତାଙ୍କ ସହଯୋଗୀମାନେ ସେହି ସ୍ଥାନରେ ଭୋଜିର ଆୟୋଜନ କରିଥିଲେ । ଭୋଜି ଚାଲିଥିବାବେଳେ ଅଚାନକ ସଂଘବଦ୍ଧଭାବେ କିଛି ଯୁବକ ଆସି ଅମରେଶଙ୍କୁ ପିଟି ପିଟି ମାରିଦେଇଥିଲେ । ଅମରେଶଙ୍କ ସହଯୋଗୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଘଟଣାର ବହୁ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି । ପୋଲିସ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଛି ।

ଏହି ଘଟଣାରେ ସ୍ଥାନୀୟ ପୂର୍ବତନ କର୍ପୋରେଟରଙ୍କ ସଂପୃକ୍ତି ନେଇ ପୋଲିସ ସନ୍ଦେହ କରି ଗତକାଲି ତାଙ୍କୁ ଥାନାକୁ ଆଣି ଦିନ ସାରା ବସାଇଥିଲା । ଏହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ ଥାନା ଘେରାଉ କରିବା ପରେ ତାଙ୍କୁ ଛାଡିଦିଆଯାଇଥିଲା । ମୃତ ଅମରେଶଙ୍କ ମଧ୍ୟ ପୂର୍ବ ଅପରାଧିକ ରେକର୍ଡ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.