Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଠେଲା ଗାଡି ଓଲଟାଇଲେ, ଦିବ୍ୟାଙ୍ଗ ଦୋକାନୀଙ୍କ ଉପରେ ଗରମ ଚା’ ଢାଳିଦେଲେ : ରାଜଧାନୀ ପୋଲିସ ବାବୁଙ୍କ ଦବଙ୍ଗ ଷ୍ଟାଇଲ୍

30/08/2020 at 12:34 PM

ଭୁବନେଶ୍ୱର,୩୦|୦୮: ସଟ୍‌ଡାଉନ୍‌ରେ ଚା’ଦୋକାନ ଖୋଲିବା ଦିବ୍ୟାଙ୍ଗ ବାପା ଓ ପୁଅଙ୍କ ପାଇଁ ମହଙ୍ଗା ପଡିଛି । ଚା’ ଦୋକାନ ବନ୍ଦ କରିବାକୁ ଯାଇଥିବା ପୋଲିସ ଅଧିକାରୀ ଦବଙ୍ଗଗିରି ଦେଖାଇଛନ୍ତି । ଠେଲାଗାଡ଼ିକୁ ଓଲଟାଇ ଦେବା ସହ ପୁଅଙ୍କ ଉପରେ ଚା’ ଢାଳି ଦେଇଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ବାବୁଙ୍କ ଏମିତି ଦବଙ୍ଗଗିରିକୁ ସମସ୍ତେ ନାପସନ୍ଦ କରିଛନ୍ତି ।  

ରେଳ ଷ୍ଟେସନର ମୁଖ୍ୟ ଫାଟକ ସାମ୍ନାରେ ଠେଲା ଗାଡି଼ରେ ଚା’ ବିକନ୍ତି ଦିବ୍ୟାଙ୍ଗ ବ୍ରହ୍ମଚାରି ସାହୁ । ତାଙ୍କୁ ସାହାଯ୍ୟ କରନ୍ତି ପୁଅ ମଣ୍ଟୁ । ସଟ୍‌ଡାଉନ୍‌ ଯୋଗୁଁ ରାଜଧାନୀ ବନ୍ଦ ଥିଲା । କିନ୍ତୁ ବାପା-ପୁଅ ଦୋକାନ ଅଧା ଖୋଲି ଚା’ ବିକୁଥିଲେ । କ୍ୟାପିଟାଲ ଥାନା ଅଧୀନ ରେଳଷ୍ଟେସନ ଫାଣ୍ଡି ଦାୟିତ୍ୱରେ ଥିବା ଏଏସ୍‌ଆଇ ଲାଲ୍‌ ମୋହନ ସିଂହ ସନ୍ଧ୍ୟା ବେଳେ ଚେକିଂ କରୁଥିଲେ । ଚା’ ବିକା ଚାଲିଥିବା ଦେଖି ଶ୍ରୀ ସିଂହ ସେଠାକୁ ମାଡ଼ି ଯାଇଥିଲେ । ଠେଲା ଗାଡିରେ ଥିବା ବିସ୍କୁଟ ଓ ଅନ୍ୟ ସାମଗ୍ରୀକୁ ଫିଙ୍ଗା ଫୋପଡ଼ା କରିଥିଲେ । ଗରମ ଚା’ ଥିବା ପାତ୍ରକୁ ଫିଙ୍ଗିଥିଲେ । ସାମ୍ନାରେ ଛିଡା ହୋଇଥିବା ମଣ୍ଟୁଙ୍କ ଉପରେ ଗରମ ଚା’ ପଡିଥିଲା । ଫଳରେ ତାଙ୍କ ଶରୀରର କିଛି ଅଂଶରେ ଫୋଟକା ହୋଇ ଯାଇଥିଲା ।

ପୋଲିସର ଏମିତି ରୂପ ଦେଖି ବ୍ରହ୍ମଚାରି ଡରି ଯାଇ ଶ୍ରୀ ସିଂହଙ୍କୁ କାକୁତି ମୀନତି ହୋଇଥିଲେ । ଶ୍ରୀ ସିଂହ ଯିବା ପରେ ସ୍ଥାନୀୟ ଲୋକ ମଣ୍ଟୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ଚିକିତ୍ସା ସାରି ଫେରିବା ପରେ ସ୍ଥାନୀୟ ଲୋକଙ୍କ ସହ ବ୍ରହ୍ମଚାରି ଓ ମଣ୍ଟୁ ପୁଲିସ ଅଫିସରଙ୍କ ବିରୋଧରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଲେ । ଘଟଣାଟି ଜିଆର୍‌ପି ଥାନା ଅଧୀନରେ ଘଟିଥିବାରୁ ରେଳଷ୍ଟେସନ ଭିତରେ ଥିବା ଥାନାରେ ଉଭୟେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

   Related Posts