ଥାନାରେ ଥାର୍ଡ ଡିଗ୍ରୀ : ଯୁବକଙ୍କୁ ୩ ଦିନ ଧରି ପିଟିଲେ, ମାଡ ମାରି ପିଠି ଓ ଅଣ୍ଟା ଫଟାଇଦେଲେ ଏସ୍‌ପି !

Published By : Prameya-News7 Bureau | May 06, 2021 IST

ସମ୍ବଲପୁର,୦୬/୦୫: ଟପିଲା ନୃଶଂସତାର ସୀମା । ପୁଣି ବିବାଦରେ ସମ୍ବଲପୁର ପୁଲିସ୍‌ । ଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପୋଲିସର ପାଇପ୍‌ ମାଡ଼ରେ ଅଭିଯୁକ୍ତଙ୍କ ପିଠି ଫାଟିଗଲା, ଗୋଡ଼ ଓ ଅଣ୍ଟାରୁ ନୋଳା ଉଠିଗଲା । କିନ୍ତୁ ଦୋଷ ଲୁଚାଇବାକୁ ପୋଲିସ୍‌ ଜିନ୍ସ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧାଇ କୋର୍ଟ ଚାଲାଣ କରିଦେଲା । ମାତ୍ର କୋର୍ଟ ପରିସରରେ ଅଭିଯୁକ୍ତ ଘଟଣା ନେଇ ବିଚାରପତିଙ୍କ ସମ୍ମୁଖରେ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା । ପୋଲିସ୍‌ର ଥାର୍ଡ ଡିଗ୍ରିର ଶିକାର ହୋଇଥିବା ଯୁବକ ଜଣଙ୍କ ଟାଉନ୍‌ ଥାନା ଅନ୍ତର୍ଗତ ମାରୱାଡ଼ିପଡ଼ାର ମାନସ ମୁନ୍ଦ୍ରା(୨୦) । ସୋମବାର ଟାଉନ୍‌ ପୋଲିସ୍‌ ତାଙ୍କୁ ଆଇପିଏଲ୍‌ ବେଟିଂ ମାମଲାରେ ଗିରଫ କରିଥିଲା । ଏହି ଘଟଣା ପରେ କୋର୍ଟ ମାନସର ପୁନଃ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ୍‌ ସୋମବାର ଏହି ଘଟଣାରେ ଗିରଫ କରିଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇଥିବା ବେଳେ ମାନସକୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ସେପଟେ ମାନସଙ୍କ ବାପା ତାଙ୍କ ପୁଅ ସହ ହୋଇଥିବା ଅତ୍ୟାଚାରର ବିରୋଧ କରିବା ସହ ନ୍ୟାୟ ଦାବି କରିଛନ୍ତି । ଏନେଇ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ ପଚାରିବାରେ, ଏ ସମ୍ପର୍କରେ ଏବେ କିଛି କହିହେବନି ବୋଲି କହିଥିଲେ ।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ସହରରେ ଆଇପିଏଲ୍‌ ବେଟିଂ ଚାଲିଥିବା ନେଇ ଜଣାପଡ଼ିବା ପରେ ଗତ ୨୩ ତାରିଖ ରାତିରେ ପୋଲିସ୍‌ ଟାଉନ୍‌ ଥାନା ଅନ୍ତର୍ଗତ ବୈଦ୍ୟନାଥ ଛକରୁ ଅଇଁଠାପାଲି ଥାନା ଅଞ୍ଚଳର ଶୁଭମ୍‌ ସାହୁକୁ ଗିରଫ କରିଥିଲା । ଶୁଭମ୍‌ ସହ ଥିବା ମାନସ ମୁନ୍ଦ୍ରାକୁ ମଧ୍ୟ ପୋଲିସ୍‌ ଉଠେଇ ଥିଲା । କିନ୍ତୁ କୌଣସି ପ୍ରମାଣ ମିଳିନଥିବା କହି ୨୬ ତାରିଖରେ ମାନସକୁ ପୋଲିସ୍‌ ଛାଡ଼ି ଦେଇଥିଲା ଓ ଶୁଭମ୍‌ ସହ ଅନ୍ୟଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗତ ୨ ତାରିଖ ରାତିରେ ପୋଲିସ୍‌ ପୁଣିଥରେ ମାନସକୁ ଘରୁ ଉଠେଇ ଥିଲା । ଏହାପରେ ପୋଲିସ୍‌ ଗାଡ଼ିରେ ମାନସକୁ ନେଇ ଜଣେ ଯୁବକ ଘରକୁ ଯାଇଥିଲା । ଉକ୍ତ ଘରେ ଅନ୍ୟ ଜଣେ ଅଭିଯୁକ୍ତ ସମ୍ମୁଖରେ ପୋଲିସ୍‌ ମାନସକୁ ଚାପୁଡ଼ା ମାରିଥିଲା । ଏହାପରେ ତାକୁ ଥାନାର ଏକ କୋଠରୀରେ ରଖି ଖୋଦ୍‌ ଏସ୍‌ପି ପାଇପ୍‌ ଓ ଲାଠିରେ ନିର୍ଘାତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ମାଡ଼ ଫଳରେ ମାନସ ପିଠି ଫାଟି ଯାଇଥିବା ବେଳେ ଅଣ୍ଟା ଓ ଗୋଡ଼ରୁ ମଧ୍ୟ ନୋଳା ଉଠିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଇପିଏଲ୍‌ ବେଟିଂ ଘଟଣାରେ ପୋଲିସ୍‌ କିଛି ଯୁବକଙ୍କୁ ଉଠାଇଥିବା ନେଇ ଗଣମାଧ୍ୟମକୁ ଖବର ମିଳିଯିବା ପରେ ପୋଲିସ୍‌ ତରବରିଆ ଭାବେ ସୋମବାର ରାତିରେ ମାନସ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ପ୍ରେସ୍‌ ବିବୃତି ପ୍ରଦାନ କରିଥିଲା । ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ଏହି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ କୋର୍ଟରେ ମାନସ ତାକୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ କରିଥିଲା ।

ଏହି ଘଟଣା ପରେ କୋର୍ଟ ଅଫିସ୍‌ ବାହାରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ସଦର ଏସ୍‌ଡିପିଓ ତପନ ମହାନ୍ତି, ଟାଉନ୍‌ ଥାନାଧିକାରୀ ରମେଶଚନ୍ଦ୍ର ଦୋରା ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ । ଗଣମାଧ୍ୟମକୁ ବିବୃତି ଦେଇ ମାନସର ବାପା ଗୋପାଲ ମୁନ୍ଦ୍ରା ତାଙ୍କ ପୁଅ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ବରଂ ତାଙ୍କ ପୁଅ ଯଦି ଅପରାଧ କରିଥିଲା ତେବେ ତାକୁ କୋର୍ଟ ଚାଲାଣ ନକରି ଦୁଇ ତିନି ଦିନ ଧରି କାହିଁକି ଥାନାରେ ରଖିଲେ ଓ ମାଡ଼ ମାରିଲେ ବୋଲି ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.