Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ରାଷ୍ଟ୍ରପତିଙ୍କ କାନପୁର ଗସ୍ତରେ ଗୁରୁତର ମହିଳାଙ୍କ ଗାଡି ଅଟକାଇ ଦେଲା ପୋଲିସ: ମହିଳାଙ୍କ ମୃତ୍ୟୁ, ୪ ପୋଲିସକର୍ମୀ ନିଲମ୍ବିତ

26/06/2021 at 6:26 PM

ଲକ୍ଷ୍ନୌ ୨୬/୦୬ : ତିନି ଦିନିଆ ଉତ୍ତରପ୍ରଦେଶକୁ ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସର ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସରକାର କାନପୁର ସହରରେ ଗୁରୁତର ଅସୁସ୍ଥ ମହିଳା ବନ୍ଦନା ମିଶ୍ରଙ୍କ ମୃତ୍ୟୁ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତିଙ୍କ କାନପୁର ଗସ୍ତ ସମୟରେ ଶୁକ୍ରବାର ରାତିରେ ବନ୍ଦନା ଓ ତାଙ୍କ ପରିବାରକୁ ଟ୍ରାଫିକ ପ୍ରତିବନ୍ଧକରେ ଅଟକାଇ ଦିଆଯାଇଥିଲା। ଯେଉଁଥିପାଇଁ ମହିଳା ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରିନଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇ ଶୁକ୍ରବାର ରାତିରେ ଟ୍ରେନ ଯୋଗେ କାନପୁରରେ ପହଞ୍ଚିଥିଲେ। ତାଙ୍କ ପୈତୃକ ଗାଁ କାନପୁର ଜିଲ୍ଲା ଅଧୀନରେ ଆସିଥାଏ।

ମୃତ୍ୟୁବରଣ କରିଥିବା ୫୦ ବର୍ଷ ବୟସ୍କା ମହିଳା ବନ୍ଦନା ମିଶ୍ର ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ର କାନପୁର ଶାଖାର ମହିଳା ୱିଙ୍ଗର ମୁଖ୍ୟ ଥିଲେ। ଗତକାଲି ରାତିରେ ଗୁରୁତର ଅସୁସ୍ଥ ହୋଇ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କ ପରିବାର ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ନିକଟରେ ସେ କୋଭିଡରୁ ସୁସ୍ଥ ହୋଇଥିଲେ। ତାଙ୍କ ସ୍ତିତି ବିଗିଡ଼ିବାରୁ ତାଙ୍କ ପରିବାର ତାଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ଯାଉଥିଲେ। ଠିକ ସେତିକିବେଳେ କାନପୁରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଗମନ ହୋଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ୍ କର୍ମଚାରୀମାନେ ସେହି ରାସ୍ତାରେ ଲୋକଙ୍କ ଯାତାୟାତ ବନ୍ଦ କରିଥିଲେ ଯେଉଁ ରାସ୍ତା ଦେଇ ବନ୍ଦନାଙ୍କ ପରିବାର ତାଙ୍କୁ ହସ୍ପିଟାଲ ନେଇ ଯାଉଥିଲେ। ରିପୋର୍ଟରେ କୁହାଯାଇଛି ଯେ ଏହି ପରିସ୍ଥିତି ଯୋଗୁଁ ପରିସ୍ଥିତି ଟ୍ରାଫିକ୍ ଜାମ୍ ହୋଇଥିଲା ଏବଂ ମହିଳାଙ୍କୁ ହସ୍ପିଟାଲ ନେବାରେ ବିଳମ୍ବ କରିଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଘଟଣାରେ କାନପୁର ପୋଲିସ କମିଶନର ଅସୀମ ଅରୁଣ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଟ୍ୱିଟ କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, “ଆଇଆଇଏ ବନ୍ଦନା ମିଶ୍ରଙ୍କ ନିଧନରେ କାନପୁର ପୋଲିସ ଓ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରୁଛି। ଏହା ଭବିଷ୍ୟତ ପାଇଁ ଏକ ବଡ ଶିକ୍ଷା। ଆମେ ପ୍ରତିଶ୍ରୁତି ଦେଇଛୁ ଯେ ଆମର ମାର୍ଗ ବ୍ୟବସ୍ଥା ଏପରି ହେବ ଯେପରି ସର୍ବନିମ୍ନ ସମୟ ପାଇଁ ନାଗରିକଙ୍କ ଯାତାୟାତ ବନ୍ଦ କରାଯିବ ଯେପରି ଏହିଭଳି ଘଟଣାର ପୁନରାବୃତ୍ତି ନହୁଏ। “

ପୋଲିସର ଆଉ ଏକ ଟ୍ୱିଟରେ କୁହାଯାଇଛି ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣା ପାଇଁ ବ୍ୟଥିତ | ରାଷ୍ଟ୍ରପତି ବନ୍ଦନା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଃଖିତ। ସେ ପୋଲିସ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଓ ଶୋକସନ୍ତପ୍ତ ପରିବାରକୁ ବାର୍ତ୍ତା ପହଞ୍ଚାଇବାକୁ କହିଥିଲେ। ଅନ୍ତିମ ସଂସ୍କାରରେ ଉଭୟ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଶୋକସନ୍ତପ୍ତ ପରିବାରକୁ ରାଷ୍ଟ୍ରପତିଙ୍କ ବାର୍ତ୍ତା ଜଣାଇଥିଲେ। ଯେଉଁଠାରେ ବନ୍ଦନା ମିଶ୍ରଙ୍କ ଅନ୍ତିମ ସତ୍କାର କରାଯାଇଥିଲା ସେଠାରେ ଅଧିକାରୀ ମୃତକଙ୍କ ପରିବାର ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି।

ପୋଲିସ ପ୍ରଶାସନର ଅବହେଳା ଓ ନିର୍ଦ୍ଦେଶରୁ ଅଧିକ ସମୟ ଟ୍ରାଫିକ୍ ବନ୍ଦ କରିବା ଅଭିଯୋଗରେ ସବ୍ ଇନ୍ସପେକ୍ଟର ସୁଶୀଲ କୁମାର ଏବଂ ୩ ମୁଖ୍ୟ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ଏବଂ ମାମଲାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। କାନପୁର ଅତିରିକ୍ତ ଡିସିପି ସାଉଥ ମାମଲାର ଯାଞ୍ଚ କରିବେ। ପୋଲିସ ନିର୍ଦ୍ଦେଶ ଦେଇଛି ଯେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ସୁରକ୍ଷା ନେଇ ନାଗରିକଙ୍କୁ କୌଣସି ସମସ୍ୟା ହେବା ଉଚିତ ନୁହେଁ। ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି ଯେଭଳି ଏହି ଘଟଣାର ପୁନରାବୃତି ନ ହେଉ ବୋଲି ଅଧିକାରୀ କହିଛନ୍ତି।

   Related Posts