ଚାଷୀ ଆନ୍ଦୋଳନ ସ୍ଥଳରୁ ବ୍ୟାରିକେଡ୍‌ ହଟାଇଲା ପୋଲିସ, ଖୋଲିବ ଗାଜିଆବାଦ-ଦିଲ୍ଲୀ ହାଇଓ୍ବେ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦ : ଦୀର୍ଘଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନ ଧିରେ ଧିରେ ଶିଥିଳ ପଡିବାରେ ଲାଗିଛି । ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ କରିଥିବା ବ୍ୟାରିକେଡ ଏବେ ହଟାଯାଉଛି । ଟିକରୀ ବର୍ଡର ପରେ ଏବେ ଗାଜୀପୁର ସୀମାରେ ବ୍ୟାରିକେଡ୍‌ ହଟାଇବା କାମ ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ହଟାଯିବା ପରେ ଏବେ ଦିଲ୍ଲୀକୁ ଯିବା​‌ ପାଇଁ ରାସ୍ତା ଖୋଲିବ ।

ମିଳିଥିବା ସୂଚନା ଅନୁସାରେ, ଟିକରୀ ଏବଂ ଗାଜିପୁର ବର୍ଡରରେ କେବଳ ବ୍ୟାରିକେଡ୍‌ ହିଁ ହଟାଯାଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ପୂର୍ବଭଳି ଚାଷୀମାନେ ଧାରଣା ସ୍ଥଳରେ ବସିରହିଛନ୍ତି । ଗାଜିପୁର ସୀମାରେ ପ୍ରଥମେ ବ୍ୟାରିକେଡ୍ ତାର ଖୋଲାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଗୁରୁବାର ରାତିରେ ଟିକରୀ ସୀମାରେ ବ୍ୟାରିକେଡଗୁଡିକୁ ହଟାଯାଇଥିଲା ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଠାରୁ ଆଦେଶ ମିଳିବା ପରେ ବ୍ୟାରିକେଡ୍‌ ଗୁଡିକୁ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି, ଲ’ ଆଣ୍ଡ ଆର୍ଡର ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦେଶ ମିଳିବା ପରେ ସେହି ବ୍ୟାରିକେଡ୍ ଗୁଡିକୁ ହଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିଛି ସ୍ଥାନରୁ ସମ୍ପୂର୍ଣ୍ଣ ଭା​‌ବେ ଉଚ୍ଛେଦ କରାଯାଇଥିବା ବେଳେ ଆଉ କିଛି ସ୍ଥାନରୁ ଉଚ୍ଛେଦ ପ୍ରକ୍ରିୟ ଜାରି ରହିଛି ।

ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଦୀର୍ଘଦିନ ହେଲା ରାସ୍ତା ଅବରୋଧ କରିବା କାରଣରୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ । କୋର୍ଟ କହିଥିଲେ, ଲମ୍ବା ସମୟ ଧରି କୌଣସି ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ । କାରଣ ରାସ୍ତା ଅବରୋଧ ଦ୍ବାରା ସାଧାରଣ ଲୋକମାନେ ହିଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ପରେ ଚାଷୀ ନେତା ରାକେଶ ଟିକାୟତ ଧାରଣା ସ୍ଥଳରୁ କିଛି ଟେଣ୍ଟ ହଟାଇ ଚାଷୀ ନୁହେଁ ବରଂ ପୋଲିସ ବ୍ୟାରିକେଡ ଯୋଗୁଁ ରାସ୍ତା ବନ୍ଦ ହୋଇଥିବା କଥା କହିଥିଲେ । ଏହା ପରେ ଏବେ ପୋଲିସ ପକ୍ଷରୁ ପ୍ରଥମେ ଟିକରୀ ଏବଂ ପରେ ଏବେ ଗାଜୀପୁର ସୀମାରୁ ବ୍ୟାରିକେଡ୍‌ ହଟାଇବା କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.