କାଶ୍ମୀରରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ: ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ୨ ଗିରଫ
12/09/2020 at 8:12 PM

ଶ୍ରୀନଗର ୧୨/୦୯: ଜମୁ-କାଶ୍ମୀରରେ ପୁଞ୍ଚ ଜିଲ୍ଳାର ମେନ୍ଧର ସେକ୍ଟରରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅସ୍ତ୍ରଶସ୍ତ୍ର ସମେତ ଆତଙ୍କବାଦୀଙ୍କ ପାଇଁ କାମ କରୁଥିବା ଦୁଇ ଓଭରଗ୍ରାଉଣ୍ଡ ଓ୍ବାର୍କରଙ୍କୁ ମଧ୍ୟ ଗିରଫ କରିଛି ସୁରକ୍ଷା ବଳ।
ଅସ୍ତ୍ରଶସ୍ତ୍ର ସହ ଭାରତ ସୀମାରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ଖବର ପାଇବା ପରେ ପୋଲିସର ଏସ୍ଓଜି ଯବାନଙ୍କ ସମେତ ସୁରକ୍ଷା ବଳ ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାଞ୍ଚ ବେଳେ ଯବାନମାନେ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ।
ଏହାସହ ସେମାନେ ରହୁଥିବା ସ୍ଥାନରୁ ବହୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିଥିଲା ସୁରକ୍ଷାବଳ। ଏତେ ପରିମାଣର ଅସ୍ତ୍ରଶସ୍ତ୍ରରୁ ଜଣାପଡ଼ୁଛି ଆତଙ୍କବାଦୀମାନେ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ଯାହାକି ବିଫଳ ହୋଇଥିବା ଜଣାପଡ଼ିଛି।
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି ଚୀନ ପିସ୍ତଲ, ୬ ଚୀନ ମ୍ୟାଗାଜିନ୍,ପିସ୍ତଲର ୭୦ ରାଉଣ୍ଡ ଗୁଳ, ୧୧ଟି ହ୍ୟାଣ୍ଡ ଗ୍ରେନେଡ୍,ଦୁଇଟି ପତାକା, ଗୋଟିଏ ଓ୍ବାୟରଲେସ୍ ସେଟ୍, ଦୁଇଟି ବ୍ୟାଟେରୀ, ପେନ୍ ଡ୍ରାଇଭ୍ ଓ ଆଇଇଡି ତିଆରି କରିବାରେ ବ୍ୟବହୃତ ହେଉଥିବା ସାମଗ୍ରୀ ସାମିଲ ରହିଛି। ଗିରଫ କରାଯାଇଥିବା ଦୁଇ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ପଚରା ଉଚରା ଜାରି ରଖିଛି ସୁରକ୍ଷା ବଳ।