ଶହେ ଘଣ୍ଟା ବିତିଗଲାଣି, ମିଳୁନି ପରିଚୟ : ଅସ୍ଥି କଙ୍କାଳର ଡିଏନଏ ଟେଷ୍ଟ ପାଇଁ ପଠାଇଲା ପୋଲିସ

Published By : Prameya-News7 Bureau | February 26, 2021 IST

ବଲାଙ୍ଗିର ୨୬।୨: ପାଳଗଦାରୁ ଅସ୍ଥି କଙ୍କାଳ ମିଳିବା ଘଟଣାକୁ ଶହେ ଘଣ୍ଟା ବିତିଗଲାଣି । କିନ୍ତୁ ଏଯାଏଁ ଜଣାପଡିନି ଏହା କାହାର ? ତେବେ ଉଦ୍ଧାର ହୋଇଥିବା ଅସ୍ଥି କଙ୍କାଳର ଡିଏନ୍ଏ ଟେଷ୍ଟ ପାଇଁ ପଠାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସଇଁତଳା ଥାନା ବିବିନାର ଏକ ମୁଗ ଖେତ ନିକଟ ପାଳଗଦାରୁ ଅସ୍ଥି କଙ୍କାଳ ମିଳିଥିଲା । ପୋଡିଯାଇଥିବା ପାଳ ଗଦାରୁ ଦୁଇଟି ଶଙ୍ଖା, ପାଉଁଜି ଓ ମୁଣ୍ଡ ଖପୁରୀ ସହ ଶରୀରର ବିଭିନ୍ନ ଅଂଶ ଉଦ୍ଧାର କରିଥିଲା ସାଇଣ୍ଟିଫିକ୍ ଟିମ୍ । ତେବେ ଏହା କାହାର ଅସ୍ଥି କଙ୍କାଳ ? କିଏ ଏମିତି ନିର୍ଦ୍ଦୟ ଭାବେ ପାଳ ଗଦାରେ ପୋଡ଼ି ଦେଲା ? କଣ ତାଙ୍କ ପରିଚୟ ? କିଏ ଏଇ ମହିଳା ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ବଦଳରେ ହାତବାନ୍ଧି ବସିଛି ପୋଲିସ l ସେପଟେ ପୋଡ଼ିଯାଇ ଉଦ୍ଧାର ହୋଇଥିବା ଶରୀରର ବିଭିନ୍ନ ଅଂଶର ଡିଏନଏ ଟେଷ୍ଟ ପାଇଁ ଲବୋରେଟୋରୀକୁ ପଠାଯାଇଛି ।

ଗତ ୨୦୧୪ ମସିହାରେ ବରଗାଁ ନିକଟ ଏକ ଜମିରୁ ଜଣେ ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଠିକ୍ ତାର ଆରବର୍ଷ ୨୦୧୫ରେ କନ୍ଧକେଲ ଗାଁ ରେଳ ଲେଭଲ୍ କ୍ରସିଂ ନିକଟରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ସହ ମହିଳାଙ୍କ ବିଭିନ୍ନ ସାମଗ୍ରୀ ଜବତ କରିଥିଲା ପୋଲିସ । ହେଲେ ଏମାନେ କିଏ ? କିଏ ଏହି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କଲା ? ଶରୀରକୁ ପୋଡ଼ି ଦେବା ପଛରେ କଣ ରହିଛି କାରଣ ? ଏଭଳି ନିର୍ମମ ହତ୍ୟା କରିଥିବା ଅପରାଧୀ ପାଖରେ ଏଯାଏଁ ପୋଲିସ ପହଞ୍ଚି ପାରିନଥିବା ବେଳେ ଖୋଲା ଖୋଲି ବୁଲୁଛନ୍ତି ଅପରାଧୀ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.