ଲାଲକିଲ୍ଲାରେ ଡକାୟତି ନେଇ ମାମଲା ରୁଜୁ, ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ
27/01/2021 at 10:52 PM

ନୂଆଦିଲ୍ଲୀ ୨୭।୧: ଦିଲ୍ଲୀରେ ଟ୍ରାକ୍ଟର ପରେଡ ବେଳେ ହୋଇଥିବା ହିଂସାକୁ ନେଇ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୁଡରେ। ଏଥିରେ ମିଳୁଥିବା ଏକ ସୂଚନାରୁ ଦିଲ୍ଲୀ ପୋଲିସ ଅପରାଧିକ ଷଡ଼ଯନ୍ତ୍ରରେ ଲାଲ କିଲ୍ଲାରେ ଲୁଟପାଟ ମାମଲା ରୁଜୁ କରିଥିବା ଖବର ଆସୁଛି। ଯଦି ଏପରି ହୋଇଥାଏ ତେବେ ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ।
ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ କୋତୱାଲୀ ଥାନାରେ ୨୬ ଜାନୁୟାରୀ ମଙ୍ଗଳବାର ଘଟଣାକୁ ନେଇ ଏକ ଏତଲ୍ଲା ରୁଜୁ ହୋଇଛି। ଏଥିରେ ପୋଲିସ ୧୦ରୁ ଅଧିକ ଅପରାଧିକ ଧାରାରେ ମୋକଦ୍ଦମା ଦାୟର କରିଥିବା କୁହାଯାଉଛି। ପୋଲିସ ରୁଜୁ କରିଥିବା ଏତଲାରେ ଭାରତୀୟ ଦଣ୍ଡବିଧି ଆଇନର ୩୯୫,୩୯୭ ଓ ୧୨୦ଧାରାରେ ମୋକଦ୍ଦମା ରୁଜୁ କରାଯାଇଛି।
ଅଭିଯୋଗ ଅନୁସାରେ ଲାଲ କିଲ୍ଲା ମଧ୍ୟରେ ଏକ ବଡ଼ ଧରଣର ଡକାୟତି ଷଡ଼ଯନ୍ତ୍ର କରାଯାଇଥିଲା। ଯେଉଁଥିରେ ଦୁର୍ବୃତ୍ତ କିଛି ମୂଲ୍ୟବାନ ସାମଗ୍ରୀ ମଧ୍ୟ ଉଠାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ଥାନାରେ ଲାଲକିଲ୍ଲା ହିଂସା କାଣ୍ଡ ନେଇ ଏକ ଏତଲା ରୁଜୁ ହୋଇଥିଲା। ତେବେ ଅପରାଧିକ ଷଡ଼ଯନ୍ତ୍ର ଓ ଡକାୟତି ମୋକଦ୍ଦମା ରୁଜୁ ହେବା ପରେ ଏହାର ତଦନ୍ତ ଦାୟିତ୍ୱ ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।