ବିହାର ଚାଲାଣ ହେଉଥିଲା ମଦ, ଟ୍ରକରେ ଲେଖାଥିଲା ‘ ଅନ୍ ଆର୍ମୀ ଡ୍ୟୁଟି ’

Published By : Prameya-News7 Bureau | March 09, 2021 IST

ଲକ୍ଷ୍ନୌ ୦୯।୦୩: ପୋଲିସ କବ୍‌ଜାରେ ମଦ ମାଫିଆ । ଏକ ବଡ଼ ଧରଣର ମଦ କାରବାରର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାସଂପର୍କରେ ଆପଣମାନେ ଶୁଣିଲେ ହୋସ୍‌ ଉଡିଯିବ । ପୋଲିସ ଏପରି ଏକ ମଦ କାରବାର ରାକେଟ୍‌କୁ ଠାବ କରିଛି , ଯେଉଁମାନେ କି ପୋଲିସ ଚେକିଂରୁ ବର୍ତ୍ତିବା ପାଇଁ ଭାରତୀୟ ସେନାର ନକଲି ପୋଷ୍ଟର ମାରିଥିଲେ । ସେହି ଷ୍ଟିକରରେ ‘ଅନ ଆର୍ମୀ ଡ୍ୟୁଟି ’ ଲେଖାଯାଇଛି । ଟ୍ରକରେ ଏହି ଷ୍ଟିକର ମାରି ମଦ ଚୋରାରେ କାରବାର୍‌ କରୁଥିଲେ ମାଫିଆ । ଯାହାର ଖୁଲାସା କରିଛି ପୋଲିସ ।

ଉତ୍ତରପ୍ରଦେଶରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୀମାରେ ଜୋରଦାର ଚେକିଂ ଜାରି ରହିଛି । ଏହିକ୍ରମରେ ଚନ୍ଦୋଲିର ଅଲିନଗର ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ହରିୟାଣାରୁ ଆସୁଥିବା ଏକ ଟ୍ରକକୁ ଅଟକାଇଥିଲା ।

ଟ୍ରକକୁ ଯାଞ୍ଚ କରିବା ସମୟରେ , ସେଥିରୁ ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଟ୍ରକ ଆଗରେ ‘ଅନ ଆର୍ମୀ ଡ୍ୟୁଟି ’ ଷ୍ଟିକର ମରାଯାଇଛି । ଯାହାଫଳରେ କି ପୋଲିସ ଚେକିଂରୁ ବର୍ତ୍ତିବାର ଯୋଜନା କରିଥିଲେ ମଦ ମାଫିଆ । କିନ୍ତୁ ଏଠାରେ ଚୋରା ବେପାରୀଙ୍କ ସମସ୍ତ ଯୋଜନା ଫେଲ୍‌ ମାରିଛି । ଜବତ ହୋଇଛି ବିପୁଳ ଚୋରା ମଦ । ଜବତ ହୋଇଥିବା ମଦ ମଧ୍ୟରୁ କିଛି ବିହାର ରାଜ୍ୟକୁ ଚାଲାଣ ହେଉଥିବାର ସୂଚନା ମଧ୍ୟ ମିଳିଛି ।

ସେହିପରି ପୋଲିସକୁ ଚକ୍‌ମା ଦେବା ପାଇଁ ପୁରା ଯୋଜନା କରିଥିଲେ ଚୋରା ବେପାରୀ । ଏପରିକି ମଦ ବୋଝେଇ ଟ୍ରକ ଆଗରେ ଗୋଟିଏ ସ୍ୱିଫ୍ଟ ଡିଜାଇରରେ ୨ଜଣ ଯାଉଥିଲେ । ଯାହାଫଳରେ କି ସେ ପୋଲିସ ଚେକିଂ ବିଷୟରେ ଆଗୁଆ ସୂଚନା ଦେଇପାରିବେ । କିନ୍ତୁ ସମସ୍ତ ପ୍ଲାନ୍‌ ଫେଲ୍‌ ।

ପୋଲିସ ୩ଜଣ ମଦ ମାଫିଆଙ୍କୁ ଗିରଫ କରି ଜେଲ୍‌ ପଠାଇଛି । ଚନ୍ଦୋଲୀ ପୋଲିସ ସେନା ଗୁଇନ୍ଦା ସହ ସଂପର୍କ କରିବାକୁ ଚେଷ୍ଟା କରୁଛି । ଯାହାଦ୍ୱାରା କି ଘଟଣାସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିପାରିବ । ଟ୍ରକରୁ କିଛି ସେନା ସାମଗ୍ରୀ ମିଳିଥିବା ସଂପର୍କରେ ମଧ୍ୟ ସୂଚନା ସଂଗ୍ରହ କରିବାକୁ ପୋଲିସ ପ୍ରସ୍ତୁତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.