ଆସିଲା ଡାକ୍ତର ରବିନ୍ଦ୍ର ରଥଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ : ଘଟଣା ହେଲା ଆହୁରି ରହସ୍ୟମୟ

Published By : Prameya-News7 Bureau | August 28, 2018 IST

ଭୁବନେଶ୍ୱର ୨୮|୮: ଶନିବାର ଭୁବନେଶ୍ବର ରେଳ ଷ୍ଟେସନରୁ ଡାକ୍ତର ରବିନ୍ଦ୍ର ରଥଙ୍କ ମୃତଦେହ ମିଳିବା ଘଟଣା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି । ଗତକାଲି ରେଳବାଇ ପୋଲିସ ଏହି ଘଟଣାରେ ବହୁ ଲୋକଙ୍କୁ ଜେରା କରିଥିଲା । ଏକ ଘରୋଇ କ୍ଲିନିକ୍ର ଜଣେ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ଏହି କ୍ରମରେ ଜେରା କରାଯାଇଥିଲା । ଡାକ୍ତର ରଥଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ଯୋଗୁଁ ନୁହଁ ବରଂ ଯୋଜନାବଦ୍ଧ ଭାବେ ହତ୍ୟାକରାଯାଇଛି ବୋଲି ଅଭିଯୋଗ କରିଆସୁଥିବା ପରିବାର ପକ୍ଷରୁ ଏଥିରେ କୌଣସି ମହିଳାଙ୍କ ସଂପୃକ୍ତି ନେଇ ସନ୍ଦେହ ପ୍ରକାଶ କରାଯାଇଥିଲା । ଇତି ମଧ୍ୟରେ ଡାକ୍ତର ରବିନ୍ଦ୍ର ରଥଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ମୁଣ୍ଡରେ ମାଡ ଓ ପଞ୍ଜରା ହାଡ ଭାଙ୍ଗିଯିବାରୁ ଡାକ୍ତର ରଥଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ଫଳରେ ପୋଲିସ ଆହୁରି ଅଡୁଆରେ ପଡିଯାଇଛି । ସୂଚନାଯୋଗ୍ୟ ଯେ, ଶିଶୁରୋଗ ଡାକ୍ତର ରବିନ୍ଦ୍ର ରଥ ଗତ ଶୁକ୍ରବାର ସନ୍ଧ୍ୟା ସାଢେ ୬ଟାରେ ଏକ ଫୋନ୍ କଲ୍ ପାଇ କ୍ଲିନିକ୍ରୁ ବାହାରିଯାଇଥିଲେ । ତାପରଠାରୁ ସେ ଆଉ ଘରକୁ ଫେରିନଥିଲେ । ଶନିବାର ଦିନ ସକାଳୁ ଭୁବନେଶ୍ବର ଷ୍ଟେସନରୁ ତାଙ୍କ ମୃତଦେହ ମିଳିଥିଲା । ଡାକ୍ତର ରଥଙ୍କ ମୃତଦେହ ନିକଟରୁ ମିଳିଥିବା ତାଙ୍କ ଫୋନ୍ରୁ କଲ୍ ରେକର୍ଡ ଉଡିଯାଇଥିଲା । ଏହା ମଧ୍ୟ ପୋଲିସକୁ ଅଡୁଆରେ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.